ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୫ ପାଳନ:‘ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍‌’ର ଶୁଭାରମ୍ଭ

ଭୁବନେଶ୍ୱର:ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତିର ଚକ୍ରକୁ ଶ୍ରମିକମାନେ ଅବିରତ ଭାବେ ଚଳେଇ ଆସୁଛନ୍ତି ଓ ବିକାଶରେ ନିଜର ଯୋଗଦାନ ନିରବଚ୍ଛିନ୍ନ ଭାବେ ଦେଇଆସୁଛନ୍ତି। ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ଆମ ସରକାର ରାଜ୍ୟର ସବା ତଳ ପାହଚରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି। ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ସ୍ଥାନୀୟ ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ […]

ଆନ୍ତର୍ଜାତିକ ଶ୍ରମିକ ଦିବସ ୨୦୨୫ ପାଳନ:‘ଓଡ଼ିଶା ଶ୍ରମିକ ସାଥୀ ମୋବାଇଲ୍ ଆପ୍‌’ର ଶୁଭାରମ୍ଭ

ଭୁବନେଶ୍ୱର:ଦଶନ୍ଧି ଦଶନ୍ଧି ଧରି ଦେଶର ପ୍ରଗତିର ଚକ୍ରକୁ ଶ୍ରମିକମାନେ ଅବିରତ ଭାବେ ଚଳେଇ ଆସୁଛନ୍ତି ଓ ବିକାଶରେ ନିଜର ଯୋଗଦାନ ନିରବଚ୍ଛିନ୍ନ ଭାବେ ଦେଇଆସୁଛନ୍ତି। ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ଆମ ସରକାର ରାଜ୍ୟର ସବା ତଳ ପାହଚରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି।

ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ସ୍ଥାନୀୟ ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ।

ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଦୁଇଟି ପ୍ରମୁଖ ଶ୍ରମିକ ପ୍ରତୀକ୍ଷା ସ୍ଥାନ- ଡୁମ୍‌ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍‌ଘାଟନ କରିଥିଲେ। ଏହି ପ୍ରତୀକ୍ଷା କେନ୍ଦ୍ରମାନଙ୍କରେ ଶ୍ରମଜୀବୀମାନଙ୍କ ପାଇଁ ସାମୟିକ ଆଶ୍ରୟ ସ୍ଥଳର ସୁବିଧା ସହିତ ପାନୀୟ ଜଳ, ଶୌଚାଳୟ ଓ ପାର୍କ ଆଦିର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ କଟକ, ରାଉରକେଲା, ସମ୍ବଲପୁର, କେନ୍ଦୁଝର, ବ୍ରହ୍ମପୁର ଭଳି ଅନ୍ୟ ସହରାଞ୍ଚଳ ଗୁଡିକରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରାଯିବ । ଏହି କେନ୍ଦ୍ର ଗୁଡିକ ଶ୍ରମଜୀବୀମାନଙ୍କ ଗରିମା ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏଥି ସହିତ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତିକାଳୀନ ସହାୟତା, ମୃତ୍ୟୁକାଳୀନ ସହାୟତା ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ବଣ୍ଟନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ ଥିବା ବିଭିନ୍ନ ସଂଗଠିତ ତଥା ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ଆଇନଗତ ଅଧିକାର ଓ ସାମାଜିକ ସୁରକ୍ଷା ଦିଗରେ ସର୍ବଦା ଯତ୍ନବାନ ହୋଇ କାର୍ଯ୍ୟ କରି ଆସୁଛି।

ସେ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ଆମର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଏହି ବୋର୍ଡ଼ ଅଧିନରେ ପ୍ରଦାନ କରାଯାଉଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ସାଧାରଣ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ଏବଂ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୪ ଲକ୍ଷ ଟଙ୍କାରୁ ୬ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।