ଆପରେ ବଡ଼ ଗଡ଼ବଡ଼: ଇସ୍ତଫା ଦେଲେ ୧୩ କାଉନସିଲର, ଗଢ଼ିଲେ ନୂଆ ଦଳ

ଶନିବାର ଗୋଏଲଙ୍କ ନେତୃତ୍ୱରେ ବିଦ୍ରୋହୀ ନେତାମାନେ ପ୍ରଥମେ ଆପ୍‌ରୁ ଇସ୍ତଫା ଦେଇଥିଲେ। ଏହାପରେ ସେମାନେ ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି ଗଠନ କରିଥିବା ଘୋଷଣା କରିଛନ୍ତି।

ଆପରେ ବଡ଼ ଗଡ଼ବଡ଼: ଇସ୍ତଫା ଦେଲେ ୧୩ କାଉନସିଲର, ଗଢ଼ିଲେ ନୂଆ ଦଳ

ଦିଲ୍ଲୀରେ କ୍ଷମତାଚ୍ୟୁତ ହୋଇଥିବା ଆପ୍‌କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏକାସାଙ୍ଗରେ ଦଳର ୧୩ ଜଣ କାଉନସିଲର ଇସ୍ତଫା ଦେଇଛନ୍ତି। ସେମାନେ ଆପ୍‌ ଛାଡ଼ି ଥିବା ବେଳେ ନିଜର ସ୍ୱତନ୍ତ୍ର ଦଳ ଗଠନ କରିଥିବା ଘୋଷଣା କରିଛନ୍ତି। ବିଦ୍ରୋହୀ ନେତାଙ୍କ ମଧ୍ୟରେ ମୁକେଶ ଗୋଏଲ ରହିଛନ୍ତି। ଏକଦା ସେ ଦିଲ୍ଲୀ ମହାନଗର ନିଗମରେ ଗୃହର ନେତା ଭାବେ କାମ କରୁଥିଲେ।

ଶନିବାର ଗୋଏଲଙ୍କ ନେତୃତ୍ୱରେ ବିଦ୍ରୋହୀ ନେତାମାନେ ପ୍ରଥମେ ଆପ୍‌ରୁ ଇସ୍ତଫା ଦେଇଥିଲେ। ଏହାପରେ ସେମାନେ ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି ଗଠନ କରିଥିବା ଘୋଷଣା କରିଛନ୍ତି। ଫେବୃଆରୀ ମାସରେ ଅନୁଷ୍ଠିତ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ଗୋଏଲ ଆପ୍‌ ଟିକେଟରୁ ଆଦର୍ଶ ନଗରରୁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ହାରିବାକୁ ପଡ଼ିଥିଲା। ଏବେ ସେ ଆପରୁ ଇସ୍ତଫା ଦେଇଛନ୍ତି।

ଗତ ଥରର ମହାନଗର ନିଗମ ନିର୍ବାଚନ ପୂର୍ବରୁ ଏହି ନେତାମାନେ କଂଗ୍ରେସ ଛାଡ଼ି ଆପ୍‌ରେ ଯୋଗ ଦେଇଥିଲେ। ୨୫ ବର୍ଷ ହେଲା କାଉନସିଲର ଭାବେ ନିର୍ବାଚିତ ହୋଇ ଚାଲିଥିବା ଗୋଏଲ ପ୍ରଥମେ କଂଗ୍ରେସରେ ଥିଲେ। କିନ୍ତୁ ୨୦୨୧ରେ ସେ ଆପ୍‌କୁ ଚାଲି ଆସିଥିଲେ। ଏବେ ସେ ଅନ୍ୟ ସହଯୋଗୀ ନେତାମାନଙ୍କ ସହ ମିଶି ନୂଆ ଦଳ ଗଠନ କରିଛନ୍ତି।

ଫେବୃଆରୀ ମାସରେ ଆପ୍ ବିଧାନସଭା ନିର୍ବାଚନରେ ବିଜେପି ଠାରୁ ହାରିଥିଲା। ଏହାପରେ ଆପ୍‌ ମାର୍ଚ୍ଚ ମାସରେ ସାଂଗଠନିକ ପରିବର୍ତ୍ତନ କରିଥିଲା। ଦିଲ୍ଲୀ ୟୁନିଟର ସଭାପତି ଭାବେ ସୌରଭ ଭରଦ୍ୱାଜଙ୍କୁ ନିଯୁକ୍ତି କରାଯାଇଥିଲା। ସେହିପରି ମନୀଷ ସିସୋଦିଆ ପଞ୍ଜାବର ଆପ ମୁଖିଆ ହୋଇଛନ୍ତି। ଗୋପାଲ ରାଏ ଗୁଜରାଟ ଇନ ଚାର୍ଜ ଓ ସନ୍ଦୀପ ପାଠକଙ୍କୁ ଛତିଶଗଡ଼ର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।