ଆବେଲ ପୁରସ୍କାର-୨୦୨୫
ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ପ୍ରଦାନ କରାଯାଉଥିବା ଗୋଟିଏ ଉଲ୍ଲେଖନୀୟ ପୁରସ୍କାର। ଗଣିତ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଜଣେ ଗଣିତଜ୍ଞଙ୍କୁ ଏହା ପ୍ରଦାନ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍ସ ହେନ୍ରିକ ଆବେଲ (୧୮୦୨-୧୮୨୯)ଙ୍କ ନାମାନୁସାରେ ନରଓ୍ବେ ସରକାର ଏହାକୁ ୨୦୦୨ ମସିହାରେ ପ୍ରତିଷ୍ଠା କରିଛନ୍ତି। ପଞ୍ଚଘାତୀ ସମୀକରଣ ସମାଧାନ ସମ୍ଭବ ନୁହେଁ ବୋଲି ସେ ପ୍ରଥମେ ପ୍ରମାଣ କରିଥିଲେ। ମାତ୍ର ୨୭ ବର୍ଷର ସ୍ବଳ୍ପ ଜୀବନକାଳ ମଧ୍ୟରେ ସେ ଇଲିପ୍ଟି ଫଳନ ଓ […] The post ଆବେଲ ପୁରସ୍କାର-୨୦୨୫ appeared first on Dharitri Odia News.
ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ପ୍ରଦାନ କରାଯାଉଥିବା ଗୋଟିଏ ଉଲ୍ଲେଖନୀୟ ପୁରସ୍କାର। ଗଣିତ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଜଣେ ଗଣିତଜ୍ଞଙ୍କୁ ଏହା ପ୍ରଦାନ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍ସ ହେନ୍ରିକ ଆବେଲ (୧୮୦୨-୧୮୨୯)ଙ୍କ ନାମାନୁସାରେ ନରଓ୍ବେ ସରକାର ଏହାକୁ ୨୦୦୨ ମସିହାରେ ପ୍ରତିଷ୍ଠା କରିଛନ୍ତି। ପଞ୍ଚଘାତୀ ସମୀକରଣ ସମାଧାନ ସମ୍ଭବ ନୁହେଁ ବୋଲି ସେ ପ୍ରଥମେ ପ୍ରମାଣ କରିଥିଲେ। ମାତ୍ର ୨୭ ବର୍ଷର ସ୍ବଳ୍ପ ଜୀବନକାଳ ମଧ୍ୟରେ ସେ ଇଲିପ୍ଟି ଫଳନ ଓ ଆବେଲୀୟ ଫଳନ ଉପରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ।
ଆବେଲ ପୁରସ୍କାରକୁ ନୋବେଲ ପୁରସ୍କାରର ସମସ୍କନ୍ଦ ଭାବରେ ବିଚାର କରାଯାଏ। ସୂଚନାଯୋଗ୍ୟ ଯେ, ଗଣିତକୁ ସମସ୍ତ ବିଜ୍ଞାନର ରାଣୀ କୁହାଯାଉଥିଲେ ସୁଦ୍ଧା ନୋବେଲ ପୁରସ୍କାରରେ ମଧ୍ୟ ଗଣିତକୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଆବେଲ ପୁରସ୍କାରରେ ୭୫ ଲକ୍ଷ କ୍ରୋନର (୭୨୦୦୦୦ ଆମେରିକୀୟ ଡଲାର) ପ୍ରଦାନ କରାଯାଏ। ପୁରସ୍କାର ଚୟନ ପାଇଁ ଗଣିତଜ୍ଞଙ୍କର ଦେଶ, ବୟସ କିିମ୍ବା ଅଧ୍ୟୟନ କ୍ଷେତ୍ରକୁ ବିଚାର କରାଯାଏ ନାହିଁ। ଗଣିତର ଯେ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ବର୍ଷକୁ ଅତି ବେଶୀରେ ତିନି ଜଣ ଗଣିତଜ୍ଞଙ୍କୁ ଏହି ପୁରସ୍କାର ଦିଆଯାଏ। ୨୦୦୩ରୁ ଏପର୍ଯ୍ୟନ୍ତ ୨୮ ଜଣ ଗଣିତଜ୍ଞଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଚଳିତ ବର୍ଷ ପାଇଁ ଜାପାନର ୭୮ ବର୍ଷ ବୟସ୍କ ଗଣିତଜ୍ଞ ମାସାକି କାଶିଓ୍ବାରାଙ୍କୁ ଆବେଲ ପୁରସ୍କାର ପ୍ରଦାନ କରିବା ପାଇଁ ନରଓ୍ବେ ବିଜ୍ଞାନ ଓ କଳା ଏକାଡେମୀ ଘୋଷଣା କରିଛି। ବୀଜଗାଣିତିକ ବିଶ୍ଳେଷଣ ଓ ପ୍ରତିନିଧିତ୍ୱ ତତ୍ତ୍ୱରେ ଏବଂ ବିଶେଷ ଭାବେ ଡି-ମଡ୍ୟୁଲର ବିକାଶ ଓ କ୍ରିଷ୍ଟାଲ ଆଧାର ଆବିଷ୍କାରରେ ତାଙ୍କର ମୌଳିକ ଅବଦାନ ପାଇଁ ତାଙ୍କୁ ଏହି ବର୍ଷର ଆବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି।
ଆବେଲ ପୁରସ୍କାର ଘୋଷଣା ପତ୍ରରେ କୁହାଯାଇଛି, ”କାଶିଓ୍ବାରା ହେଉଛନ୍ତି ଜଣେ ବିଚକ୍ଷଣ ଗଣିତଜ୍ଞ। ତାଙ୍କ ସହିତ ୭୦ରୁ ଅଧିକ ସହଯୋଗୀ କାର୍ଯ୍ୟ କରିଛନ୍ତି। ଗତ ୫୦ ବର୍ଷ ଧରି ସେ ଗଣିତରେ ପ୍ରତିନିଧିତ୍ୱ ତତ୍ତ୍ୱ ଓ ବୀଜଗାଣିତିକ ବିଶ୍ଳେଷଣରେ ଗଭୀର ଅନୁଧ୍ୟାନ କରି ଏହାକୁ ସମୃଦ୍ଧ କରିଛନ୍ତି। ସମସାମୟିକ ଗଣିତରେ ତାଙ୍କ କାର୍ଯ୍ୟ ସର୍ବଦା ସମ୍ମୁଖ ଭାଗରେ ରହିଛି ଏବଂ ଏହା ଅନେକ ପିଢ଼ିର ଗବେଷକମାନଙ୍କୁ ପ୍ରେରଣା ଦେବ।“
କାଶିଓ୍ବାରା ୧୯୪୭ ମସିହା ଜାନୁୟାରୀ ୩୦ ତାରିଖରେ ଜାପାନର ୟୁକି ଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୯ ମସିହାରେ ସ୍ନାତକ ଓ ୧୯୭୧ରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିଲେ। ସେ ୧୯୭୪ରେ ‘ଗାଣିତିକ ବିଜ୍ଞାନ ଗବେଣଷା ପ୍ରତିଷ୍ଠାନ’ରୁ ପିଏଚ୍ଡି ଡିିଗ୍ରୀ ଲାଭ କରି ସେଠାରେ ୧୯୭୮ ମସିହାରେ ପ୍ରଫେସର ଓ ପରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
କାଶିଓ୍ବାରା ଜାପାନ ଏକାଡେମୀର ସଭ୍ୟ ଏବଂ ଫରାସୀ ବିଜ୍ଞାନ ଏକାଡେମୀର ବୈଦେଶିକ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଗଣିତରେ କୃତୀ ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ୨୦୧୯ରେ ତାଙ୍କୁ ଏସିଆର ଶ୍ରେଷ୍ଠ ଏକଶତ ବୈଜ୍ଞାନିକମାନଙ୍କ ମଧ୍ୟରେ ତାଙ୍କୁ ନିର୍ବାଚିତ କରାଯାଇଥିଲା।
ଆବେଲ ପୁରସ୍କାର ପାଇବାରେ କାଶିଓ୍ବାରା ହେଉଛନ୍ତି ପ୍ରଥମ ଜାପାନ ନାଗରିକ। ତାଙ୍କୁ ଚଳିତ ବର୍ଷ ମେ’ ୨୦ ତାରିଖରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ।
ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର, ଫେଜ୍ ୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪
The post ଆବେଲ ପୁରସ୍କାର-୨୦୨୫ appeared first on Dharitri Odia News.