ଆମେ ପାଇଛୁ କ’ଣ
ଆମେରିକାର ଜନସଂଖ୍ୟା ୩୪ କୋଟି। ବିଶ୍ୱ ଜନସଂଖ୍ୟାର ୪% ହେଉଛନ୍ତି ଆମେରିକୀୟ ଏବଂ ତଥାକଥିତ ରୁଲ୍ସ ବେସ୍ଡ ଅର୍ଡର ବା ନିୟମ ଆଧରିତ (ବୈଶ୍ୱିକ) ବ୍ୟବସ୍ଥାର ସେମାନେ ସବୁଠୁ ବଡ଼ ହିତାଧିକାରୀ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ବ୍ୟବସ୍ଥା ଆମେରିକା ଓ ଏହାର ୟୁରୋପୀୟ ମିତ୍ରଙ୍କ ଦ୍ୱାରା ଲାଗୁ କରାଯାଇଥିଲା। ଏହି ବ୍ୟବସ୍ଥା ଚାହେଁ ଜାତିସଂଘ ଓ ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ) ଭଳି ସଂସ୍ଥାଗୁଡ଼ିକ ମାଧ୍ୟମରେ ବୈଶ୍ୱିକ ସହଯୋଗ। କିନ୍ତୁ ବିଡ଼ମ୍ବନାର ବିଷୟ, ଆମେରିକୀୟମାନେ ସେମାନଙ୍କ ରାଷ୍ଟ୍ରପତିଙ୍କୁ […] The post ଆମେ ପାଇଛୁ କ’ଣ appeared first on Dharitri Odia News.
ଆମେରିକାର ଜନସଂଖ୍ୟା ୩୪ କୋଟି। ବିଶ୍ୱ ଜନସଂଖ୍ୟାର ୪% ହେଉଛନ୍ତି ଆମେରିକୀୟ ଏବଂ ତଥାକଥିତ ରୁଲ୍ସ ବେସ୍ଡ ଅର୍ଡର ବା ନିୟମ ଆଧରିତ (ବୈଶ୍ୱିକ) ବ୍ୟବସ୍ଥାର ସେମାନେ ସବୁଠୁ ବଡ଼ ହିତାଧିକାରୀ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ବ୍ୟବସ୍ଥା ଆମେରିକା ଓ ଏହାର ୟୁରୋପୀୟ ମିତ୍ରଙ୍କ ଦ୍ୱାରା ଲାଗୁ କରାଯାଇଥିଲା। ଏହି ବ୍ୟବସ୍ଥା ଚାହେଁ ଜାତିସଂଘ ଓ ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ) ଭଳି ସଂସ୍ଥାଗୁଡ଼ିକ ମାଧ୍ୟମରେ ବୈଶ୍ୱିକ ସହଯୋଗ। କିନ୍ତୁ ବିଡ଼ମ୍ବନାର ବିଷୟ, ଆମେରିକୀୟମାନେ ସେମାନଙ୍କ ରାଷ୍ଟ୍ରପତିଙ୍କୁ ମୁକ୍ତ ବିଶ୍ୱର ନେତା ଭାବେ ଅଭିହିତ କରନ୍ତି। ନିୟମ ଆଧାରିତ ବ୍ୟବସ୍ଥାର ସଂସ୍ଥା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍ଏଫ୍) ଅନୁଯାୟୀ, ଆମେରିକାର ବାର୍ଷିକ ମୁଣ୍ଡ ପିଛା ଆୟ ୯୦,୦୦୦ ଡଲାର। ଭାରତର ମୁଣ୍ଡ ପିଛା ଆୟ ଏହାର ୩୦ ଭାଗରୁ ୧ଭାଗ ଅର୍ଥାତ୍ ୩,୦୦୦ ଡଲାରରୁ କମ୍। ଗତ କିଛି ଦଶନ୍ଧି ମଧ୍ୟରେ ଆମେରିକାର ଅର୍ଥ ବ୍ୟବସ୍ଥା ବୃଦ୍ଧି ପାଇଛି, କାରଣ ଏହାର କମ୍ପାନୀଗୁଡ଼ିକ ବିମାନ, ଫୋନ୍ ଓ କମ୍ପ୍ୟୁଟର ଭଳି ଉତ୍ପାଦ ରପ୍ତାନି କରୁଛନ୍ତି। ସାରା ବିଶ୍ୱରେ ଏହାର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ସେବା ଯୋଗାଇବା ସହ ପ୍ରଭାବ ବିସ୍ତାରକରି ରହିଛନ୍ତି। ଏପରିକି ନିକଟରେ ଚାକିରି ସଂଖ୍ୟା ହ୍ରାସ କରିଥିଲେ ମଧ୍ୟ ଆମେରିକାକୁ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରଦାନକାରୀ ଦେଶ ବୋଲି କୁହାଯାଉଛି। ସେଠାରେ ବେରୋଜଗାର ପାଖାପାଖି ୪%, ଯାହା ଏକ ଭଲ ସ୍ଥିତି। ଏଥିରୁ ବୁଝାପଡ଼ୁଛି, ଆୟ ଓ ନିଯୁକ୍ତି ଦୃଷ୍ଟିକୋଣରୁ ଦାରିଦ୍ର୍ୟ ତଥା ବେରୋଜଗାର ଭଳି ଗମ୍ଭୀର ସମସ୍ୟାରେ ଜଡ଼ିତ ଭାରତ ଭଳି ଦେଶଗୁଡ଼ିକ ତୁଳନାରେ ଆମେରିକା ଅତ୍ୟନ୍ତ ଭଲ ସ୍ଥିତିରେ ଅଛି। ତଥାପି ଆମେରିକା ଅସନ୍ତୁଷ୍ଟ। ଏହା ବିଶ୍ୱସ୍ତରରେ ଠକାମିର ଶିକାର ହେଉଛି ଓ ତାହାକୁ ରୋକିିବା ଲାଗି ପଦକ୍ଷେପ ନେଇଛନ୍ତି ବୋଲି ଏହାର ରାଷ୍ଟ୍ରପତି କହୁଛନ୍ତି। ମୁଖ୍ୟତଃ, ଅନ୍ୟ ଦେଶଗୁଡ଼ିକର ଉତ୍ପାଦ ରପ୍ତାନି (ଆମେରିକାକୁ)ରେ ସେ ଅତ୍ୟନ୍ତ କଠିନ ସ୍ଥିତି ଉପୁଯାଇଛନ୍ତି। ଭାରତର ସବୁଠୁ ବଡ଼ ରପ୍ତାନି ବଜାର ହେଉଛି ଆମେରିକା ଏବଂ ଆମ ସାମଗ୍ରୀ ଉପରେ ୨୫% ଟାରିଫ୍ ଆମ ରପ୍ତାନିକୁ କ୍ଷତି ପହଞ୍ଚାଇବ। ଯଦି ଏହି ଟାରିଫ୍ ଜାରି ରହେ ଆମ ସ୍ବାର୍ଥରେ ଘୋର ବାଧା ଆସିବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନେଉଥିବା ପଦକ୍ଷେପ ରୁଲ୍ସ ବେସ୍ଡ ଅର୍ଡରକୁ ଏବଂ ତାହାର ମିତ୍ର ଦେଶ ଓ ମେଣ୍ଟ ତଥା ଗରିବ ଦେଶଗୁଡ଼ିକର କ୍ଷତି କରିବ ନା ନାହିଁ, ସେ ସମ୍ପର୍କରେ ଆମେରିକାରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିତର୍କ ହେଉନାହିଁି । ଡବ୍ଲ୍ୟୁଟିଓର ନିୟମ ଓ ନିୟାମକ ଅଧୀନରେ ଥିବା ଏବଂ ଉପଯୋଗ ହେଉଥିବା ଟାରିଫ୍ ବ୍ୟବସ୍ଥାକୁ ଆମେରିକା ଭାଙ୍ଗିଦେବା ପାଇଁ ପଦକ୍ଷେପ ନେଇଛି। ଆମେରିକା ତାହାକୁ ଅମାନ୍ୟ ବା ଉପେକ୍ଷା କରିଛି ଏବଂ ଯେଉଁ ବ୍ୟବସ୍ଥାକୁ ଅନେକ ଦଶନ୍ଧି ଧରି ଭଲ ଭାବେ ଚଳାଇ ଆସିଥିଲା ତାହାକୁ ଏବେ ଦୁର୍ବଳ କରିଛି। ଫଳରେ ଆମେରିକା ସାରା ବିଶ୍ୱର କ୍ଷତି କରୁଛି।
ନିୟମ ଆଧାରିତ ବୈଶ୍ୱିକ ବ୍ୟବସ୍ଥାକୁ ଅଣଦେଖା କରିବାର ଦ୍ୱିତୀୟ ଉଦାହରଣ ରହିଛି। ଗାଜାରେ ଗଣହତ୍ୟା ପାଇଁ ଇସ୍ରାଏଲକୁ ଆମେରିକା ସାହାଯ୍ୟ ସହଯୋଗ କରିଆସୁଛି। ଆମେରିକା ଅନେକ ହଜାର ପାଲେଷ୍ଟନୀୟଙ୍କୁ ଭୋକିଲା ରଖିବା ସହ ଗଣହତ୍ୟାରେ ଜଡ଼ିତ ଇସ୍ରାଏଲକୁ ସୁରକ୍ଷା ଦେଇଆସୁଛି। ଏହା ସହ ଇରାନ ଉପରେ ବେଆଇନ ଭାବେ ଆକ୍ରମଣ କରିଛି। ବିଶ୍ୱର ଅଧିକାଂଶ ଦେଶ ଗାଜାରେ ଆତଙ୍କର ଅନ୍ତ ସକାଶେ ଜାତିସଂଘ ସାଧାରଣ ସଭାରେ ଭୋଟ ମାଧ୍ୟମରେ ଜଣାଇଛନ୍ତି। କିନ୍ତୁ ଆମେରିକା ତାହାର ଭିଟ୍ଟୋ ପ୍ରୟୋଗକରି ଏକବିଂଶ ଶତାବ୍ଦୀରେ ଗଣହତ୍ୟା ଜାରି ରଖିବା ପାଇଁ ଅନୁମତି ଦେଇଛି। ସେହିଭଳି ଟାରିଫ୍ ବିଷୟରେ ଆମେରିକା ବିଶ୍ୱକୁ ଜଣାଇ ଦେବାକୁ ଚାହଁୁଛି ଯେ, ତାହା ମଧ୍ୟ ନିୟମ ଆଧାରିତ ବୈଶ୍ୱିକ ବ୍ୟବସ୍ଥାରୁ ଦୂରେଇଯାଇ ଶକ୍ତି ବଳରେ ଧମକଚମକ ଦେଇ ତାହାକୁ ହଟାଇଦେବାକୁ ଚାହଁୁଛି। ଏହିସବୁ ପଦକ୍ଷେପରୁ ଆଉ କିଛି ବିଷୟ ଆମେ ଆକଳନ କରିପାରିବା। ପ୍ରଥମରେ, ଆମେରିକା ଏବେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଆଗକୁ ଯେଉଁ ଦେଶ କ୍ଷମତାଶାଳୀ ହେବ ତାହା ମଧ୍ୟ ଆମେରିକା ଭଳି ଦୁର୍ବଳ ଦେଶଗୁଡ଼ିକୁ ବ୍ୟବହାର କରିବ।‘ଜୋର ଯାର ମୁଲକ ତାର’ବୈଧ ହୋଇଯିବ। ବିଶ୍ୱର ଧନୀ ଦେଶଗୁଡ଼ିକ ପକ୍ଷରୁ ଏହାକୁ ଦୃଢ ବିରୋଧ କରାଯାଉନାହିଁ ଏବଂ ବ୍ରିକ୍ସରେ ଦେଖାଯାଇଥିବା ବିଭେଦ ମଧ୍ୟ ଆମେରିକାର ବଦମାସିକୁ ଖୋରାକ ଯୋଗାଉଛି। ଦ୍ୱିତୀୟରେ, ଆମ ବ୍ୟକ୍ତିକୈନ୍ଦ୍ରିକ କୂଟନୀତିର କ’ଣ ଲାଭ ହୋଇଛି ସେ ବିଷୟରେ ବିଚାର କରାଯିବା ଦରକାର। ଇସ୍ରାଏଲ ନେତାଙ୍କୁ କୋଳେଇନେବା ଯୋଗୁ ଆମେ ଦଶନ୍ଧି ବ୍ୟାପୀ ଚାଲିଆସିଥିବା ସଂସ୍ଥାଗତ ସହମତିକୁ ଅଣଦେଖା କରିଛୁ। ଭାରତରେ ହେଉ କିମ୍ବା ଆମେରିକାରେ, ସବୁ ସମ୍ମାନ ଆମେ ଆମେରିକା ରାଷ୍ଟ୍ରପତିଙ୍କ ଉପରେ ଅଜାଡ଼ି ଦେଇଛୁ ଏବଂ ତାଙ୍କୁ ଭୋଟଦେବା ପାଇଁ ଭାରତୀୟ-ଆମେରିକୀୟଙ୍କୁ ଉତ୍ସାହିତ କରିଛୁ। ହେଲେ ତା’ବଦଳରେ ଆମେ କୌଣସି ଲାଭ କିମ୍ବା ଅନୁକମ୍ପା ପାଇନାହଁୁ।
ଶେଷକଥା ହେଉଛି, ଏଭଳି ସ୍ଥିତିରେ ଏହି ସମୟରେ ଆମେରିକାକୁ ଏହା କରିବା ପାଇଁ କେଉଁସବୁ ବିଷୟ ଉସୁକାଉଛି, ସେ ସମ୍ପର୍କରେ ବିଚାରକରିବା ଉଚିତ। ଆମେରିକାର କ୍ଷମତା, ଧନ ଓ ଭଲ ଆର୍ଥିକ ସ୍ଥିତିକୁ ଦେଖିଲେ ଏହା କାହିଁକି ହେଉଛି? ଆମେରିକା ଏବେ ବାଚାଳାମି ବା ପାଗଳାମି ଦେଇ ଗତିକରୁଛି କି? ଏହାର ଉତ୍ତର ହେଉଛି, ବିକାଶଶୀଳ ଦେଶଗୁଡ଼ିକ ବିଶେଷକରି ଚାଇନାର ଉତ୍ଥାନ। ବିଗତ ୩୦ ବର୍ଷ ମଧ୍ୟରେ ସେମାନଙ୍କର ଯେଭଳି ଉତ୍ଥାନ ହେଉଛି ଓ ତାହା ଯଦି ଜାରି ରହେ, ତେବେ ଗୋଟିଏ କିମ୍ବା ଦୁଇ ଦଶନ୍ଧି ମଧ୍ୟରେ ଆମେରିକା ବିଶ୍ୱର ବୃହତ୍ତମ ଅର୍ଥ ବ୍ୟବସ୍ଥା ହୋଇ ରହିବ ନାହିଁ, ଯାହା ପ୍ରଥମ ଥର ପାଇଁ ଘଟିବ। ଏହା ପାଶ୍ଚାତ୍ୟ ପାଇଁ ଗ୍ରହଣୀୟ ହେଉନାହିଁ। ଅନେକ ଶତାବ୍ଦୀ ଧରି ଉତ୍ତର ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା କିମ୍ବା ଏବେ ଯାହା ପାଲେଷ୍ଟାଇନ୍ରେ କରୁଛି, ତାହା କରିବାକୁ ଏହା ସକ୍ଷମ ହେବ ନାହିଁ। ପାଶ୍ଚାତ୍ୟ ଭଳି ବିଶ୍ୱର ଅନ୍ୟ ସବୁ ଦେଶର ବିକାଶ ହେଉଥିବାରୁ ପାଶ୍ଚାତ୍ୟର ଏମାନଙ୍କ ଉପରେ ନିୟନ୍ତ୍ରଣ ଓ ପ୍ରାଧାନ୍ୟ ହ୍ରାସ ପାଉଛି। ଏହି କାରଣରୁ ଆମେରିକା ନିୟମ ଆଧାରିତ ବ୍ୟବସ୍ଥାଠାରୁ ଦୂରେଇ ଯାଉଛି ଓ ତା’ ଶକ୍ତିର ସାହାରା ନେଉଛି। ବିଶ୍ୱ ପାଇଁ ବିଶେଷକରି ସ୍ଥାୟିତ୍ୱ ଓ ଦାରିଦ୍ର୍ୟରୁ ମୁକୁଳିବା ସକାଶେ ଆଉ କିଛି ବର୍ଷ ବୈଶ୍ୱିକ ସହଯୋଗ ଚାହଁୁଥିବା ଦେଶଗୁଡ଼ିକ ପାଇଁ ଏହି ସମୟ ସବୁଠୁ ବିପଜ୍ଜନକ।
Email:aakar.patel@gmail.com
The post ଆମେ ପାଇଛୁ କ’ଣ appeared first on Dharitri Odia News.