ଆମେରିକା କାହାର ମିତ୍ର
ଇସ୍ରାଏଲ୍ ଓ ଆମେରିକା ଆଗପଛ କରି ଇରାନ୍ ଉପରେ ଝାମ୍ପି ପଡ଼ିଲେ। ଇରାନ୍ର ଅପରାଧ? ପରମାଣୁ ଅସ୍ତ୍ର ତିଆରି କରୁଛି, ବିଶ୍ୱ ପାଇଁ ବିପଦ! ଯେଉଁମାନେ ପରମାଣୁ ଅସ୍ତ୍ର ତିଆରି କରି ଗଚ୍ଛିତ ରଖିଛନ୍ତି ସେମାନେ ବିପଦ ହେଲେ ନାହିଁ, ଇରାନ୍ ତିଆରି କରୁଥିବାରୁ ବିପଦ ହୋଇଗଲା। ଅଜବ ଯୁକ୍ତି! ତଥ୍ୟ କହେ- ବିଶ୍ୱର ୯ଟି ଦେଶ ପାଖରେ ୧୨ ହଜାରରୁ ଊର୍ଦ୍ଧ୍ୱ ପରମାଣୁ ଅସ୍ତ୍ର ରହିଛି। ସେଥିମଧ୍ୟରୁ ଆକ୍ରମଣକାରୀ ରାଷ୍ଟ୍ର ଆମେରିକା ପାଖରେ ୫,୧୭୭ଟି ଏବଂ […] The post ଆମେରିକା କାହାର ମିତ୍ର appeared first on Dharitri Odia News.
ଇସ୍ରାଏଲ୍ ଓ ଆମେରିକା ଆଗପଛ କରି ଇରାନ୍ ଉପରେ ଝାମ୍ପି ପଡ଼ିଲେ। ଇରାନ୍ର ଅପରାଧ? ପରମାଣୁ ଅସ୍ତ୍ର ତିଆରି କରୁଛି, ବିଶ୍ୱ ପାଇଁ ବିପଦ! ଯେଉଁମାନେ ପରମାଣୁ ଅସ୍ତ୍ର ତିଆରି କରି ଗଚ୍ଛିତ ରଖିଛନ୍ତି ସେମାନେ ବିପଦ ହେଲେ ନାହିଁ, ଇରାନ୍ ତିଆରି କରୁଥିବାରୁ ବିପଦ ହୋଇଗଲା। ଅଜବ ଯୁକ୍ତି! ତଥ୍ୟ କହେ- ବିଶ୍ୱର ୯ଟି ଦେଶ ପାଖରେ ୧୨ ହଜାରରୁ ଊର୍ଦ୍ଧ୍ୱ ପରମାଣୁ ଅସ୍ତ୍ର ରହିଛି। ସେଥିମଧ୍ୟରୁ ଆକ୍ରମଣକାରୀ ରାଷ୍ଟ୍ର ଆମେରିକା ପାଖରେ ୫,୧୭୭ଟି ଏବଂ ଇସ୍ରାଏଲ୍ ପାଖରେ ୯୦ଟି। ତେବେ ବିଶ୍ୱ ପାଇଁ ବିପଦ କିଏ? ଇରାନ୍?
ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗ ଆଣି ୨୦୦୩ ମସିହାରେ ଇରାକ୍ ଉପରେ ଆକ୍ରମଣ କଲା ଆମେରିକା। ରାଷ୍ଟ୍ରପତି ସଦ୍ଦାମ ହୁସେନ୍ଙ୍କୁ ଫାଶୀ ଦିଆଗଲା। କିନ୍ତୁ ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ରର ସାମାନ୍ୟତମ ଚିହ୍ନବର୍ଣ୍ଣ ମିଳିଲା ନାହିଁ। ମୋଦି ସରକାରଙ୍କ ଭଳି ବାଜପେୟୀଙ୍କ ସରକାର ସେତେବେଳେ ଆମେରିକାର ସମର୍ଥକ ସାଜିଥିଲେ। ଇରାନ୍ ଉପରେ ଆମେରିକାର ଆକ୍ରମଣକୁ ନିନ୍ଦା କରି ପାର୍ଲାମେଣ୍ଟରେ ବିରୋଧୀ ଦଳ ଏକ ପ୍ରସ୍ତାବ ଆଗତ କଲେ। ମାତ୍ର ବାଜପେୟୀ ସରକାର ତାହା ଗ୍ରହଣ କଲେ ନାହିଁ। ପାର୍ଲାମେଣ୍ଟ ଅଚଳ ହୋଇଗଲା। ଶେଷରେ ସରକାର ବାଧ୍ୟ ହୋଇ ଦୁଇଧାଡ଼ିଆ ନିନ୍ଦା ପ୍ରସ୍ତାବଟିଏ ଗୃହୀତ କଲେ। ଆମେରିକା ସହ ଅପ୍ରିୟ ନ ହେବାକୁ ତାହା ପୁଣି ଇଂଲିଶ୍ରେ ଲେଖା ନ ହୋଇ ହିନ୍ଦୀରେ ଲେଖା ହେଲା।
କହିବା ଅନାବଶ୍ୟକ ଯେ, ଆମେରିକା ଏକ ସାମ୍ରାଜ୍ୟବାଦୀ ରାଷ୍ଟ୍ର। ଅନ୍ୟ ଦେଶ ଉପରେ ଆଧିପତ୍ୟ ଜାହିର କରି ତାର ବଜାରକୁ ଦଖଲ କରିବା ହେଉଛି ଲକ୍ଷ୍ୟ। ୱାର୍ସ ଚୁକ୍ତିଭୁକ୍ତ କମ୍ୟୁନିଷ୍ଟ ଦେଶଗୁଡ଼ିକୁ ଭୟ କରି ନାଟୋ ମେଣ୍ଟଭୁକ୍ତ ରାଷ୍ଟ୍ରମାନେ ଶୀତଳ ଯୁଦ୍ଧ ଚଳାଇଥିଲେ। ସୋଭିଏଟ୍ ୟୁନିଅନ ସମେତ ଆଉ କେତେକ ସମାଜବାଦୀ ରାଷ୍ଟ୍ରର ପତନ ପରେ ୱାର୍ସ ଚୁକ୍ତି ଅକାମୀ ହୋଇଗଲା। ନାଟୋ ମେଣ୍ଟର ରାଷ୍ଟ୍ରମାନେ ଆମେରିକା ନେତୃତ୍ୱରେ ଉଷ୍ଣ ଯୁଦ୍ଧ ଚଳାଇଲେ। ଭିଏଟ୍ନାମ ଓ ଆଫଗାନିସ୍ତାନରୁ ଆମେରିକା ଲାଙ୍ଗୁଡ଼ ଜାକି ପଳାଇ ଆସିଥିଲେ ମଧ୍ୟ ତାହାର ଖୋଇ ଛାଡ଼ିନାହିଁ। ଇରାନ୍, ୟେମେନ୍, ସିରିଆ, ସୋମାଲିଆ ସହିତ ପ୍ରତ୍ୟକ୍ଷ ଯୁଦ୍ଧରେ ଆମେରିକା ସାମିଲ ହୋଇଥିଲା ବେଳେ ଗାଜା, ୟୁକ୍ରେନ୍ ଭଳି ଆଉ କେତେକ ଦେଶରେ ପରୋକ୍ଷ ଯୁଦ୍ଧରେ ସାମିଲ ହୋଇଛି। ୮୦ଟି ଦେଶର ୭୫୦ଟି ସ୍ଥାନରେ ସାମରିକ ଘାଟି ପ୍ରତିଷ୍ଠା କରି ଅଣ-ନାଟୋ-ମେଣ୍ଟ ରାଷ୍ଟ୍ରକୁ କରାୟତ୍ତ କରିବାକୁ ବସିଛି। ଅଧା ପୃଥିବୀ ଅତିକ୍ରମ କରି ଇରାନ୍ ଉପରେ ଆକ୍ରମଣ କରିଛି।
ବହୁ ବର୍ଷ ଧରି ସାମ୍ରାଜ୍ୟବାଦ ବିରୋଧରେ ଭାରତର ଅବସ୍ଥାନ ନିର୍ଣ୍ଣାୟକ ଥିଲା। ମାତ୍ର ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆସିବା ପରେ ଭାରତ କ୍ରମେ କ୍ରମେ ଆମେରିକା ମୁହଁା ହେଲା। ଆମ ଦେଶର ଅର୍ଥନୀତି ଓ ବୈଦେଶିକ ନୀତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେଲା। ଆମେରିକା ହାଣ୍ଡିରେ ଫୁଟଣ ଫୁଟିଲେ ଭାରତରେ ତାହା ବାସୁଥିଲା। ସହଜରେ ତ ଏବେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ଓ ଟ୍ରମ୍ପ୍୍ ପ୍ରଶାସନ ମଧ୍ୟରେ ଆଉ ପାଣି ଗଳୁନି! ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ଟ୍ରମ୍ପ୍୍ଙ୍କ ମଧ୍ୟସ୍ଥତାରେ ସମ୍ଭବ ହୋଇଛି ବୋଲି ସେ ବାରମ୍ବାର ମନ୍ତବ୍ୟ ଦେଉଥିବା ବେଳେ କେନ୍ଦ୍ର ସରକାର ଦୃଢ଼ତାର ସହ ତାକୁ ଖଣ୍ଡନ କରୁନାହାନ୍ତି। ବାଜପେୟୀଙ୍କ ଶାସନ କାଳରେ ହୋଇଥିବା କାର୍ଗିଲ ଲଢ଼େଇରେ ଆମେରିକା ହସ୍ତକ୍ଷେପ କରିଥିବାର ଠୋସ୍ ପ୍ରମାଣ ରହିଛି।
୨୦୧୯ରେ ‘ହାଓଡ଼ି ମୋଦି’ କାର୍ଯ୍ୟକ୍ରମରେ ଟ୍ରମ୍ପ୍ଙ୍କ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ନିର୍ବାଚନ ପ୍ରଚାର କରିଥିଲେ। ଏପଟେ ଟ୍ରମ୍ପ୍ଙ୍କ ବିଜୟ କାମନା କରି ହିନ୍ଦୁ ମହାସଭା ଭାରତର ବିଭିନ୍ନ ସ୍ଥାନରେ ଯଜ୍ଞ ମଧ୍ୟ ଆୟୋଜନ କରିଥିଲା। ଦୁର୍ଭାଗ୍ୟକୁ ଟ୍ରମ୍ପ୍ ପରାଜିତ ହେଲେ। ତା’ ସତ୍ତ୍ୱେ ରାଷ୍ଟ୍ରପତି ହେବାକୁ ଏକ ଅସଫଳ ଉଦ୍ୟମ କରିଥିଲେ।
ପହଲଗାମ୍ ଘଟଣା ପରେ ଭାରତର ୮ଟି ବହୁଦଳୀୟ ପ୍ରତିନିଧି ଦଳ ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ଗସ୍ତ କଲେ। ଫଳ କ’ଣ ହେଲା ତାହା ଜଣାପଡ଼ିଲା ନାହିଁ। କାନାଡ଼ାରେ ଅନୁଷ୍ଠିତ ଜି-୭ ଦେଶର ସମ୍ମିଳନୀ ଅଧାରୁ ଟ୍ରମ୍ପ୍ ଚାଲିଆସି ଘୋଷଣା କଲେ- ‘ଆଇ ଲଭ୍ ପାକିସ୍ତାନ’। ଆମେରିକାର ସମ୍ମତିରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପାକିସ୍ତାନର ବିକାଶ ଲାଗି ୭ ବିଲିଅନ୍ ଡଲାର ଋଣ ମଞ୍ଜୁର କଲା। ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର୍ଙ୍କୁ ଜଣେ ସ୍ବତନ୍ତ୍ର ଅତିଥି ଭାବେ ଟ୍ରମ୍ପ୍ ତାଙ୍କ ଉତ୍ସବକୁ ନିମନ୍ତ୍ରଣ କଲେ। ପହଲଗାମ୍ ଓ ଇରାନ୍ ଯୁଦ୍ଧ ମଧ୍ୟରେ ଏସବୁ ଘଟିଗଲା। ବହୁଦଳୀୟ ପ୍ରତିନିଧି ମଧ୍ୟ ଆମେରିକା ଯାଇ ଫେରିଆସିଛନ୍ତି। ବାଣିଜି୍ୟକ ଶୁଳ୍କ ଲାଗୁ କଲାବେଳେ ଟ୍ରମ୍ପ୍ ଭାରତ ପ୍ରତି ସାମାନ୍ୟତମ ଅନୁକମ୍ପା ଦେଖାଇ ନାହାନ୍ତି କି ପାକିସ୍ତାନକୁ ସାହାଯ୍ୟ ସହଯୋଗରେ ଆଦୌ ହେଳା କରିନାହାନ୍ତି। ଏସବୁ ସତ୍ତ୍ୱେ ଆମେରିକା କୁଆଡ଼େ ଭାରତର ବନ୍ଧୁ!
ଉଭୟ ଭାରତ ଓ ପାକିସ୍ତାନର ପିଠି ଥାପୁଡ଼େଇ ଆମେରିକା ଯେ ପୁଳାଏ ମାଂସ ନେଇଯାଉଛି ଏକଥା କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଏବେ ବି ସମୟ ଅଛି, ଭାରତ ତା’ର ବୈଦେଶିକ ନୀତିର ସମୀକ୍ଷା କରୁ। ପଡ଼ୋଶୀ ରାଷ୍ଟ୍ର ସହ ମିତ୍ରତା ସ୍ଥାପନ କରି ସାମ୍ରାଜ୍ୟବାଦୀ ଆମେରିକାର କଳା କାରସାଦିକୁ ପ୍ରତିହତ କରୁ।
ରବିନାରାୟଣ ସାମଲ
ମୋ: ୭୯୭୫୦୪୬୪୮୬
The post ଆମେରିକା କାହାର ମିତ୍ର appeared first on Dharitri Odia News.