ଆମେରିକାକୁ ଡରାଇଦେଲେ ପୁଟିନ: କାହିଁକି ଆଣବିକ ସିଦ୍ଧାନ୍ତକୁ କଲେ ସଂଶୋଧନ
ମସ୍କୋ,୨୦।୧୧:ବିଶ୍ୱରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏକ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଯୋଗାଇଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍କୁ ଅନୁମତି ଦେବା ପରେ ପୁଟିନ୍ ଏହାର ଦୃଢ଼ ଜବାବ ଦେଇଛନ୍ତି। ୟୁକ୍ରେନ୍ ଆକ୍ରମଣର ୧,୦୦୦ତମ ଦିନରେ ପୁଟିନ୍ ମଙ୍ଗଳବାର ସଂଶୋଧିତ ଆଣବିକ ସିଦ୍ଧାନ୍ତରେ ସ୍ବାକ୍ଷର କରିଛନ୍ତି। ଅଣୁଅସ୍ତ୍ର କ୍ଷମତା ବିଶିଷ୍ଟ କୌଣସି […] The post ଆମେରିକାକୁ ଡରାଇଦେଲେ ପୁଟିନ: କାହିଁକି ଆଣବିକ ସିଦ୍ଧାନ୍ତକୁ କଲେ ସଂଶୋଧନ appeared first on Dharitri Odia News.
ମସ୍କୋ,୨୦।୧୧:ବିଶ୍ୱରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏକ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଯୋଗାଇଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍କୁ ଅନୁମତି ଦେବା ପରେ ପୁଟିନ୍ ଏହାର ଦୃଢ଼ ଜବାବ ଦେଇଛନ୍ତି। ୟୁକ୍ରେନ୍ ଆକ୍ରମଣର ୧,୦୦୦ତମ ଦିନରେ ପୁଟିନ୍ ମଙ୍ଗଳବାର ସଂଶୋଧିତ ଆଣବିକ ସିଦ୍ଧାନ୍ତରେ ସ୍ବାକ୍ଷର କରିଛନ୍ତି। ଅଣୁଅସ୍ତ୍ର କ୍ଷମତା ବିଶିଷ୍ଟ କୌଣସି ଦେଶର ସମର୍ଥନରେ ତାଙ୍କ ଦେଶ ଉପରେ କେହି ପାରମ୍ପରିକ ଆକ୍ରମଣ କଲେ ଏହାକୁ ମିଳିତ ଆକ୍ରମଣ ବିବେଚନା କରାଯିବ ବୋଲି ପୁଟିନ୍ କହିଛନ୍ତି। ରୁଷିଆ ଉପରେ ଆକାଶମାର୍ଗରୁ କୌଣସି ବଡ଼ ଧରଣର ଆକ୍ରମଣ ହେଲେ ଏହାର ଜବାବ ଆଣବିକ ଅସ୍ତ୍ରରେ ଦିଆଯିବ। ଆଣବିକ ଆକ୍ରମଣ ପାଇଁ ପୁଟିନ୍ ପ୍ରସ୍ତୁତ ଥିବା ଏଥିରୁ ପ୍ରତିଫଳିତ ହୋଇଛି। ଗତ ସେପ୍ଟେମ୍ବରରେ ପୁଟିନ୍ ଯୁଦ୍ଧ ସ୍ଥିତି ସମୀକ୍ଷା ବୈଠକରେ ମଧ୍ୟ ଆଣବିକ ସିଦ୍ଧାନ୍ତରେ ପରିବର୍ତ୍ତନ ହେବା କଥା ଘୋଷଣା କରିଥିଲେ। ଏବେ ସଂଶୋଧିତ ସିଦ୍ଧାନ୍ତରେ ପୁଟିନ୍ ସ୍ବାକ୍ଷର କରିବା ପରେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଛି। ଏଥିପାଇଁ ନାଟୋ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ନାଗରିକମାନଙ୍କୁ ସତର୍କ କରାଇଛନ୍ତି। ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ସୁଇଡେନ୍ ସରକାର ଏହାର ଜନସାଧାରଣଙ୍କ ପାଇଁ ପାମ୍ପଲେଟ୍ ଜାରି କରି ପ୍ରସ୍ତୁତ ରହିବାକୁ କହିଥିବାବେଳେ ନରଓ୍ବେ ମଧ୍ୟ ଏହାର ନାଗରିକମାନଙ୍କୁ ଅନ୍ତତଃ ସପ୍ତାହେ ପାଇଁ ଜରୁରୀ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି।
ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଦାୟିତ୍ୱ ନେବାକୁ ଆଉ ମାତ୍ର ୨ ମାସ ବାକି ଥିବାବେଳେ ବାଇଡେନ୍ ପ୍ରଶାସନ ଏହାର ନୀତିରେ ଉଲ୍ଲେଖନୀୟ ପରିବର୍ତ୍ତନ କରିଛନ୍ତି। ରୁଷିଆ ଭିତରେ ଆମେରିକା ନିର୍ମିତ ଏଟିଏସିଏମ୍ଏସ୍ ମିଶାଇଲ ଆକ୍ରମଣ କରିବା ପାଇଁ ଆମେରିକା ପ୍ରଥମ ଥର ଲାଗି ୟୁକ୍ରେନ୍କୁ ଅନୁମତି ଦେଇଛି। ଆମେରିକା କଟକଣା ହଟାଇବାର ଦିନକ ପରେ ୟୁକ୍ରେନ୍ ରୁଷିଆ ଉପରକୁ ୬ଟି ଏଟିଏସିଏମ୍ଏସ୍ କ୍ଷେପଣାସ୍ତ୍ର ଛାଡ଼ିଲାଣି। ରୁଷିଆ ସେନା ସେଥିରୁ ୫ଟିକୁ ଖସାଇ ଦେଇଥିବା ବେଳେ ଅନ୍ୟଟି ନଷ୍ଟ ହୋଇଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସୋମବାର ମଧ୍ୟରାତ୍ରରେ ବ୍ରିଆନ୍ସ୍କସ୍ଥିତ ରୁଷିଆର ସାମରିକ ଅସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରି ୟୁକ୍ରେନ୍ ମିଶାଇଲ ମାଡ଼ କରିଥିବା କହିଛି। ଟାର୍ଗେଟରେ ଥିବା ଅଞ୍ଚଳରେ ଅନେକ ବିସ୍ଫୋରଣ ଶୁଣିବାକୁ ମିଳିଥିବା ୟୁକ୍ରେନ୍ ଜେନେରାଲ ଷ୍ଟାଫ୍ ରିପୋର୍ଟରେ କୁହାଯାଇଛି।
ୟୁକ୍ରେନ୍ର ଉତ୍ତର ସୀମାରେ ରୁଷିଆ ରାଷ୍ଟ୍ରପତି ଉତ୍ତର କୋରିଆ ସୈନ୍ୟଙ୍କୁ ମୁତୟନ କରିବା ପରେ କିଭ୍କୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର ପାଇଁ ବାଇଡେନ୍ ପ୍ରଶାସନ ସୋମବାର ଅନୁମତି ଦେଇଥିଲେ। ଏହା ୟୁକ୍ରେନ୍-ରୁଷିଆ ଯୁଦ୍ଧରେ ଆଉ ଏକ ପର୍ଯ୍ୟାୟ ଉତ୍ତେଜନା ସୃଷ୍ଟି କରିବ ବୋଲି ମସ୍କୋ କହିଛି।
The post ଆମେରିକାକୁ ଡରାଇଦେଲେ ପୁଟିନ: କାହିଁକି ଆଣବିକ ସିଦ୍ଧାନ୍ତକୁ କଲେ ସଂଶୋଧନ appeared first on Dharitri Odia News.