ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର
ଭୁବନେଶ୍ୱର : ଆମେରିକାର ଅନ୍ୟତମ ଖ୍ୟାତି ସମ୍ପନ୍ନ ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭରସିଟି ଅଫ୍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟରେ ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ ଖୁବ୍ ଶୀଘ୍ର ଏକ ଗବେଷଣା କେନ୍ଦ୍ର ଖୋଲାଯିବ । ଆସନ୍ତା ମାସରେ ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ ଅଫ୍ ଦି କ୍ୟୁନି କ୍ରେଷ୍ଟ ଇନ୍ଷ୍ଟିଚ୍ୟୁଟ୍ (ଏଏସ୍ଆଇଆଇସିସିଆଇ) ନାମରେ ଏହି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ । ଆଜି କିଟରେ ଏ ନେଇ ଅନୁଷ୍ଠିତ […] The post ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର appeared first on KNews Odisha.

ଭୁବନେଶ୍ୱର : ଆମେରିକାର ଅନ୍ୟତମ ଖ୍ୟାତି ସମ୍ପନ୍ନ ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭରସିଟି ଅଫ୍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟରେ ଶିକ୍ଷାବିତ୍, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ ଖୁବ୍ ଶୀଘ୍ର ଏକ ଗବେଷଣା କେନ୍ଦ୍ର ଖୋଲାଯିବ । ଆସନ୍ତା ମାସରେ ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ ଅଫ୍ ଦି କ୍ୟୁନି କ୍ରେଷ୍ଟ ଇନ୍ଷ୍ଟିଚ୍ୟୁଟ୍ (ଏଏସ୍ଆଇଆଇସିସିଆଇ) ନାମରେ ଏହି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ । ଆଜି କିଟରେ ଏ ନେଇ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ୟୁନି ବିଶ୍ୱବିଦ୍ୟାଳୟର ସଭାପତି ଡ. ମିଲଟନ୍ ସାଣ୍ଟିଆଗୋ ଘୋଷଣା କରିଛନ୍ତି । ଏହି ଗବେଷଣା କେନ୍ଦ୍ରରେ ସେହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଉପରେ ଗବେଷଣା, ଶିକ୍ଷା ବିନିମୟ ସହ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଗବେଷଣା ଓ ଅଧ୍ୟୟନ କରିବେ ।
କ୍ୟୁନି ସଭାପତି ଡ ସାଣ୍ଟିଆଗୋ, ମୁମ୍ବାଇ ଏବଂ ହାଇଦ୍ରାବାଦସ୍ଥିତ ଆମେରିକା କନ୍ସୁଲ୍ ଜେନେରାଲଙ୍କ ପ୍ରତିନିଧିଙ୍କୁ ନେଇ ଏକ ୧୫ ଜଣିଆ ପ୍ରତିନିଧିମଣ୍ଡଳ ଗତ କାଲି କିଟ୍ ଓ କିସ୍ ପରିଦର୍ଶନରେ ଆସିଥିଲେ । ସେମାନେ କିଟ୍ ଓ କିସ୍ ପରିଦର୍ଶନ କରିବା ସହ ଶିକ୍ଷା, ସମାଜସେବା ଓ ଗବେଷଣା କ୍ଷେତ୍ରରେ କିଟ୍ ଓ କିସ୍ କାର୍ଯ୍ୟକ୍ରମ ଦେଖି ବେଶ ପ୍ରଭାବିତ ହୋଇଥିଲେ ।
ଆସନ୍ତା ମାସରେ କ୍ୟୁନି ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ଏଏସ୍ଆଇଆଇସିସିଆଇ ଗବେଷଣା କେନ୍ଦ୍ର । ଗବେଷଣା କେନ୍ଦ୍ର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଡ. ସାଣ୍ଟିଆଗୋ ଆଜି ଶ୍ରୀ ସାମନ୍ତଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ପ୍ରସ୍ତାବରେ ଶ୍ରୀ ସାମନ୍ତ ସମ୍ମତି ପ୍ରକାଶ କରିବା ସହ ପ୍ରଥମ ଥର ପାଇଁ ତାଙ୍କ ନାମରେ ଆମେରିକାର ଏକ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା କେନ୍ଦ୍ର ଖୋଲୁଥିବା ଜାଣି ସନ୍ତୋଷ ବ୍ୟକ୍ତ କରିଥିଲେ । ଓଡ଼ିଶାର କଳା ଓ ସଂସ୍କୃତି ଉପରେ ଆମେରିକାର ଏକ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିନିମୟ ଓ ଗବେଷଣା କରାଯିବା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ କହିଥିଲେ ।
ସୂଚନାଯୋଗ୍ୟ, ସିଟି ୟୁନିଭରସିଟି ଅଫ୍ ନିଉୟର୍କ (କ୍ୟୁନି) ବିଶ୍ୱବିଦ୍ୟାଳୟ ଆମେରିକାର ଅନ୍ୟତମ ବହୁ ପୁରାତନ ଓ ସରକାରୀ ବିଶ୍ୱବିଦ୍ୟାଳୟ । ଭାରତର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଭଳି ଆମେରିକାର କ୍ୟୁନି ବିଶ୍ୱବିଦ୍ୟାଳୟର ବେଶ ନାଁ ଅଛି । ଏଠାରେ ବିଶ୍ୱର ୧୨୨ଟି ଦେଶର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଠାରୁ ୧୩ଜଣ ନୋବେଲ ବିଜେତା ସୃଷ୍ଟି ହୋଇଛନ୍ତି । କ୍ୟୁନି ବିଶ୍ୱବିଦ୍ୟାଳୟ ଅଧୀନରେ ୨୫ଟି ମହାବିଦ୍ୟାଳୟ ରହିଛି । ଆଜି କାର୍ଯ୍ୟକ୍ରମରେ ହାଇଦ୍ରାବାଦସ୍ଥିତ ଆମେରିକା କନ୍ସୁଲ୍ ଜେନେରାଲ ପ୍ରତିନିଧି ଆଲେକଜାଣ୍ଡର ମାକ୍ ଲର୍ନ, ମୁମ୍ବାଇସ୍ଥିତ ଆମେରିକା କନ୍ସୁଲ୍ ଜେନେରାଲ୍ ପ୍ରତିନିଧି ସୀତା ରାଇଟର, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କୁଳସଚିବ ଡ. ଜ୍ଞାନ ରଞ୍ଜନ ମହାନ୍ତି, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହଲି, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
The post ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର appeared first on KNews Odisha.