ଆରଏସ୍‌‌ଏସ୍‌‌ର ବୈଚାରିକ ପରିବର୍ତ୍ତନ

ଆସନ୍ତା ବର୍ଷ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌‌ଏସ୍‌‌)କୁ ଶହେବର୍ଷ ପୂରିବ। ଏହାପୂର୍ବରୁ ଆରଏସ୍‌‌ଏସ୍‌‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ସରକାରୀ କର୍ମଚାରୀଙ୍କ ଉପରେ ଥିବା ନିଷେଧାଦେଶ କେନ୍ଦ୍ର ସରକାର ଉଠାଇ ଦେଇଛନ୍ତି। ଗତ କିଛିଦିନ ତଳେ ସରସଂଘଚାଳକ ମୋହନ ଭାଗବତ ମନ୍ତବ୍ୟ ଦେଇଥିଲେ ଯେ, ସେବକ ଅହଂକାରୀ ହେବା ଉଚିତ୍‌‌ ନୁହେଁ। ଭାରତୀୟ ଜନତା ପାର୍ଟି(ବିଜେପି)ର ଲୋକସଭା ନିର୍ବାଚନରେ ସ୍ପଷ୍ଟ ଜନାଦେଶ ଅଭାବ ପରିପ୍ରେକ୍ଷୀରେ ସଂଘମୁଖ୍ୟଙ୍କ ଏହି ମନ୍ତବ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଆଲୋଚନା ପାଇଁ ଖୋରାକ ଯୋଗାଇଛି। […]

ଆରଏସ୍‌‌ଏସ୍‌‌ର ବୈଚାରିକ ପରିବର୍ତ୍ତନ
sakala article

ଆସନ୍ତା ବର୍ଷ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌‌ଏସ୍‌‌)କୁ ଶହେବର୍ଷ ପୂରିବ। ଏହାପୂର୍ବରୁ ଆରଏସ୍‌‌ଏସ୍‌‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ସରକାରୀ କର୍ମଚାରୀଙ୍କ ଉପରେ ଥିବା ନିଷେଧାଦେଶ କେନ୍ଦ୍ର ସରକାର ଉଠାଇ ଦେଇଛନ୍ତି। ଗତ କିଛିଦିନ ତଳେ ସରସଂଘଚାଳକ ମୋହନ ଭାଗବତ ମନ୍ତବ୍ୟ ଦେଇଥିଲେ ଯେ, ସେବକ ଅହଂକାରୀ ହେବା ଉଚିତ୍‌‌ ନୁହେଁ। ଭାରତୀୟ ଜନତା ପାର୍ଟି(ବିଜେପି)ର ଲୋକସଭା ନିର୍ବାଚନରେ ସ୍ପଷ୍ଟ ଜନାଦେଶ ଅଭାବ ପରିପ୍ରେକ୍ଷୀରେ ସଂଘମୁଖ୍ୟଙ୍କ ଏହି ମନ୍ତବ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଆଲୋଚନା ପାଇଁ ଖୋରାକ ଯୋଗାଇଛି। ବିଜେପି ସାଧାରଣତଃ ଆରଏସ୍‌‌ଏସ୍‌‌ର ଏକ ରାଜନୈତିକ ଶାଖା ଭାବେ ଜଣାଶୁଣା ଥିବାରୁ ମୋହନ୍‌‌ଙ୍କ ମନ୍ତବ୍ୟ ନିଶ୍ଚିତ ଭାବେ ସଂଘର ପୂର୍ବ ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି। କାରଣ ଚଳିତ ନିର୍ବାଚନ ମୋଦୀକୈନ୍ଦ୍ରିକ ଥିଲା ଏବଂ ନିର୍ବାଚନ ପ୍ରଚାରଧାରାରେ ଶିଷ୍ଟାଚାର, ନମ୍ରତା, ଭଦ୍ର ଅଭିବ୍ୟକ୍ତି ଓ ଶାଳୀନତା ନ ଥିବା ଲକ୍ଷ୍ୟ କରାଯାଇଥିଲା। ଏହାକୁ ସଂଘ ସକାରାତ୍ମକ ଭାବେ ବୋଧହୁଏ ଗ୍ରହଣ କରିପାରି ନାହିଁ। ତେବେ ନିର୍ବାଚନ ପ୍ରଚାର ସମୟରେ ଏ ବିଷୟ ଚେତାଇ ଦିଆଯାଇ ପାରିଥା’ନ୍ତା। କିନ୍ତୁ ତା’ ନ କରି ସଂଘର ବରିଷ୍ଠ ନେତୃମଣ୍ଡଳୀଙ୍କ ଏପ୍ରକାର ମନ୍ତବ୍ୟ ନିର୍ବାଚନ ପରେ ଦେବାର ଆବଶ୍ୟକତା କାହିଁକି ପଡ଼ିଲା? ମୋଦୀଙ୍କ ଧୂଆଁଧାର ପ୍ରଚାର କାଳେ ବିଜେପି ପାଇଁ ଦୁଇ-ତୃତୀୟାଂଶ ଆସନ ଆଣିବାରେ ସମର୍ଥ ହୋଇପାରିବ, ବୋଧହୁଏ ଏହି ଦୃଷ୍ଟିରୁ ନିର୍ବାଚନ ପ୍ରଚାର ବେଳେ ସଂଘ ନିରବ ରହିଥିଲା।

ସାମାଜିକ ତଥା ହିନ୍ଦୁ ସାଂସ୍କୃତିକ ସଂଗଠନ ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା ପୁନେଠାରେ ହୁଏ ୧୯୨୫ ମସିହାରେ। ଏହାର ପ୍ରତିଷ୍ଠାତା ଥିଲେ କେଶବ ବଳିରାମ ହେଡ଼ଗେୱାର। ହିନ୍ଦୁତ୍ୱ, ନୈତିକତା ଓ ବୌଦ୍ଧିକ ବିଚାର ଆଲୋଚନା ଥିଲା ସଂଘର ଆଧାରଶିଳା। ୧୯୫୧ ମସିହାରେ ପ୍ରତିଷ୍ଠା ହୁଏ ଭାରତୀୟ ଜନସଂଘ, ଯାହାକୁ ଭାରତୀୟ ଜନତା ପାର୍ଟିର ଆଦ୍ୟ ଅବତାର ବୋଲି ଏବେ କୁହାଯାଉଛି। ନେହେରୁବାଦୀ ନୀତିର ବିରୋଧ କରି ହିନ୍ଦୁ ମହାସଭା ସଭ୍ୟ ଶ୍ୟାମ ପ୍ରସାଦ ମୁଖାର୍ଜୀ ୧୯୫୦ ମସିହାରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଭେଟିଥିଲେ ଆରଏସ୍‌‌ଏସ୍‌‌ ତତ୍କାଳୀନ ସରସଂଘଚାଳକ ଏମ.ଏସ୍‌‌.ଗୋଲୱାକରଙ୍କୁ। ଏହି ସମୟରେ ନାଥୁରାମ ଗଡ଼଼ସେଙ୍କ ଗୁଳିରେ ମହାତ୍ମା ଗାନ୍ଧୀ ନିହତ ହେବାରୁ ଆରଏସ୍‌‌ଏସ୍‌‌ ଉପରେ ନିଷେଧାଦେଶ ମଧ୍ୟ ଲାଗୁ କରାଯାଇଥିଲା। ଏଇ ଦୁଇ ଘଟଣାରୁ ଜନ୍ମ ନେଇଥିଲା ଭାରତୀୟ ଜନସଂଘ। ଏହାର ପ୍ରତିଷ୍ଠାତା ସଭାପତି ହୋଇଥିଲେ ଶ୍ୟାମାପ୍ରସାଦ ମୁଖାର୍ଜୀ। ଏହି ସମୟରେ ଆରଏସ୍‌‌ଏସ୍‌‌ ପ୍ରଚାରକ ଦାୟିତ୍ୱ ତୁଲାଉଥିବା ଦୀନ ଦୟାଲ ଉପାଧ୍ୟାୟ, ବଳରାମ ମାଧୋକ, ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ସଂଘ ପକ୍ଷରୁ ଭାରତୀୟ ଜନସଂଘକୁ ସାଂଗଠନିକ କାର୍ଯ୍ୟ ନିମନ୍ତେ ପ୍ରେରଣ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ରୂପାନ୍ତରିତ ଭାରତୀୟ ଜନତା ପାର୍ଟିରେ ମଧ୍ୟ ସଂଘ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତ କରାଯାଉଛି।

ଗତ କିଛିଦିନ ଧରି ଆରଏସ୍‌‌ଏସ୍‌‌ର ମନ୍ତବ୍ୟକୁ ବିଶ୍ଲେଷଣ କରାଗଲେ ଜଣାପଡ଼ୁଛି ଯେ ଚଳିତ ନିର୍ବାଚନୀ ବିପର୍ଯ୍ୟୟ ବିଜେପିକୁ ଯେତିକି କଷ୍ଟ ନ ଦେଇଛି, ତା’ଠାରୁ ଅଧିକ କଷ୍ଟ ଦେଇଛି ଆରଏସ୍‌‌ଏସ୍‌‌କୁ। ୨୦୨୪ ଲୋକସଭା ନିର୍ବାଚନ ଚାଲିଥିବା ସମୟରେ ବିଜେପି ସଭାପତି ଜେପି ନଡ୍ଡା ଅତ୍ୟନ୍ତ ଦମ୍ଭର ସହ କହିଥିଲେ ଦଳ ଏବେ ନିର୍ଭରଶୀଳ ହୋଇ ରହିନାହିଁ। ପରୋକ୍ଷରେ ସଂଘକୁ ଲକ୍ଷ୍ୟ କରି ନଡ୍ଡା ଏକଥା କହିଥବା ସେତେବେଳେ ଚର୍ଚ୍ଚା ହୋଇଥିଲା। ତେବେ ବିଜେପି ନିର୍ବାଚନରେ ଆଶାନୁରୂପ ସଫଳତା ନ ପାଇବା ପରେ ସଂଘର ବରିଷ୍ଠ ସ୍ୱୟଂସେବକ ଇନ୍ଦ୍ରେଶ କୁମାର ମନ୍ତବ୍ୟ ଦେଇ କହିଥିଲେ ଯେ, ଅହଂକାର ଯୋଗୁଁଁ ନିର୍ବାଚନରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିଲା। ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ଏବେ ଭାଗବତ କହିଛନ୍ତି। ନକାରାତ୍ମକ ପ୍ରଚାର ହେଉ ବା ମଣିପୁର ହିଂସା ହେଉ ଉଚିତ୍‌‌ ସମୟରେ ଆରଏସ୍‌‌ଏସ୍‌‌ ଏହା ନକହି ନିର୍ବାଚନ ପରେ କହିବାର ବିଶେଷ କିଛି ଯଥାର୍ଥତା ନାହିଁ। ଯଦି ବିଜେପି ନିର୍ବାଚନରେ ସ୍ପଷ୍ଟ ବହୁମତ ପାଇ ୪୦୦ ଅତିକ୍ରମ କରିଯାଇଥା’ନ୍ତା ତା’ହାଲେ ଆରଏସ୍‌‌ଏସ୍‌‌ ନେତୃବୃନ୍ଦ ଏପ୍ରକାର ମନ୍ତବ୍ୟ ବୋଧହୁଏ ଦେଇ ନ ଥା’ନ୍ତେ।

ଆରଏସ୍‌‌ଏସ୍‌‌ ଓ ବିଜେପିର ଆଦର୍ଶ, ବିଚାରଧାରା ପ୍ରାୟତଃ ସମାନ। ଫରକ ଏତିକି ଯେ, ବିଜେପି ଦେଶ ଶାସନର ଡୋରି ଧରିଛି। ସଂଘ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଭାବେ କାର୍ଯ୍ୟ କରୁଛି। ସଂଘର କାର୍ଯ୍ୟକର୍ତ୍ତା ବିଜେପିର ବିଭିନ୍ନ ପଦପଦବୀରେ ରହି ବିଭିନ୍ନ କାର୍ଯ୍ୟ ପରିଚାଳନା କରିଥା’ନ୍ତି। ଏଥିସହ ସଂଘର ବିଭିନ୍ନ ଶାଖା ଯଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭାରତୀୟ କିଶାନ ସଂଘ, ଭାରତୀୟ ମଜଦୂର ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ ଆଦିର କର୍ମକର୍ତ୍ତା ବିଜେପି ପାଇଁ କାର୍ଯ୍ୟ କରିଥା’ନ୍ତି। ଚଳିତ ନିର୍ବାଚନରେ ଏହି କର୍ମକର୍ତ୍ତାଗଣ ଯଦି ସକ୍ରିୟ ରହି ମଧ୍ୟ ଦଳ ବିଫଳ ହୋଇଥାଏ, ତା’ହାଲେ ଧରିନେବାକୁ ପଡ଼ିବ ଯେ ଜନସାଧାରଣ ବିଜେପି-ଆରଏସ୍‌‌ଏସ୍‌‌ ବିଚାରଧାରାକୁ ଅଗ୍ରାହ୍ୟ କରିଛନ୍ତି। ଯଦି ଉପରୋକ୍ତ ସଂଗଠନଗୁଡ଼ିକ ଏଥର ନିର୍ବାଚନରୁ ଦୂରେଇ ରହିଥା’ନ୍ତି, ତେବେ ବିଜେପିର ନକାରାତ୍ମକ ରାଜନୀତିକୁ ସଂଘ ବିରୋଧ କରୁଛି ବୋଲି ପ୍ରମାଣିତ ହୋଇଯିବ।

ଏକଥା ସତ୍ୟ ଯେ ନିର୍ବାଚନୀ ବିଫଳତା ପାଇଁ ସଂଘ ଅଧିକ ବିଚଳିତ ଅବସ୍ଥାରେ ରହିଛି। ଲୋକସଭା ନିର୍ବାଚନ ପରେ ଗତ ଜୁନ ମାସରେ ସଂଘ ମୁଖ୍ୟ ମୋହନ ଭାଗବତ ଉତ୍ତରପ୍ରଦେଶ ଗସ୍ତ କରିଥିଲେ। ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରୁ ବିଜେପି ଯେଉଁ ସଫଳତା ଆଶା କରୁଥିଲା, ତାହା ପାଇପାରିଲା ନାହିଁ। ଏହି ଦୃଷ୍ଟିରୁ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ କରିବା ଭାଗବତଙ୍କ ଏହି ଗସ୍ତ ଉଦ୍ଦିଷ୍ଟ ଥିବା କୁହାଯାଇପାରେ। ସେହିପରି ଆଗକୁ ମହାରାଷ୍ଟ୍ର, ହରିୟାଣା, ଝାଡ଼ଖଣ୍ଡ, ବିହାର ଓ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ନିର୍ବାଚନକୁ ସଂଘ ଦୃଷ୍ଟିରେ ରଖିଛି। ଝାଡ଼ଖଣ୍ଡର ରାଞ୍ଚିଠାରେ ମଧ୍ୟ ସଂଘର ପ୍ରାନ୍ତ ପ୍ରଚାରକତୟ ତିନିଦିନଆ ବୈଠକ ଜୁଲାଇ ୧୪ରେ ଅନୁଷ୍ଠିତ ହୋଇଥିଲା। ମହାରାଷ୍ଟ୍ରରେ ଏବେ ଶିବସେନା(ସିନ୍ଧେ) ନେତୃତାଧୀନ ତ୍ରି-ଦଳୀୟ ମେଣ୍ଟ ସରକାରରେ ବିଜେପି ଭାଗିଦାରୀ ରହିଛି। ଦିଲ୍ଲୀରେ ଆପ୍‌‌ ଏବଂ ଝାଡ଼ଖଣ୍ଡରେ ଜେଏମଏମ ସରକାର ରହିଛି। ଏହି ୫ଟି ରାଜ୍ୟ ମଧ୍ୟରୁ ଦିଲ୍ଲୀକୁ ଛାଡ଼ି ଅନ୍ୟ ରାଜ୍ୟରେ ବିଜେପି ବିଶେଷ ଲୋକସଭା ନିର୍ବାଚନୀ ସଫଳତା ପାଇପାରି ନାହିଁ। ଏହା ସଂଘ ପାଇଁ ଆଶଙ୍କାର ବାତାବରଣ ସୃଷ୍ଟି କରିଛି। ଏହି ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ସଫଳ ନ ହେଲେ ଦଳର ରାଜ୍ୟସଭା ଶକ୍ତି ମଧ୍ୟ ଦୁର୍ବଳ ହେବ। ପୂର୍ବରୁ ବିଜୁ ଜନତା ଦଳ ଏନ୍‌‌ଡିଏକୁ ବାହାରୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଉଥିଲା। ଲୋକସଭା ଓ ବିଧାନସଭା ନିର୍ବାଚନ ବିପର୍ଯ୍ୟୟ ପରେ ବିଜୁ ଜନତା ଦଳ ରାଜ୍ୟସଭାରେ ସରକାରଙ୍କୁ ସମର୍ଥନ ଦେବା ପାଇଁ ଚାହୁଁନାହିଁ।

ଆଦ୍ୟରୁ ସଂଘର ଯେଉଁ କେତେକ ପ୍ରମୁଖ ରାଷ୍ଟ୍ରୀୟ କାର୍ଯ୍ୟସୂଚୀ ରହିଆସିଛି, ସେଥିମଧ୍ୟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଦେଶରେ ଏକକ ନାଗରିକ ସଂହିତା ପ୍ରଚଳନ ଅନ୍ୟତମ। ଗତଥର ସ୍ପଷ୍ଟ ବହୁମତରେ ବିଜେପି କ୍ଷମତାସୀନ ହେବା ପରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ଏହାଦ୍ୱାରା ସଂଘର ଗୋଟିଏ ସ୍ୱପ୍ନ ପୂରଣ ହୋଇଥିଲା। କିନ୍ତୁ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଦିଆଗଲା, ଯାହା ଗ୍ରହଣୀୟ ହୋଇପାରିଲା ନାହିଁ। ରହିଗଲା ଏକକ ନାଗରିକ ସଂହିତାର କାର୍ଯ୍ୟକାରିତା। ଚଳିତ ଲୋକସଭା ନିର୍ବାଚନରେ ବିଜେପି ସଫଳତା ହାସଲ କରିପାରିଲା ନାହିଁ। ଆଗାମୀ ବିଧାନସଭା ନିର୍ବାଚନଗୁଡ଼ିକରେ ଯଦି ସଫଳତା ନ ପାଏ, ତା’ହାଲେ ଏକକ ନାଗରିକ ସଂହିତା ସ୍ୱପ୍ନ ପୂରଣ ଅଧୁରା ରହିଯିବ। କାରଣ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏକକ ନାଗରିକ ସଂହିତା ବିଲ ଗୃହୀତ କରାଇବାକୁ ପଡ଼ିବ। ଇତିମଧ୍ୟରେ ଉତ୍ତରପ୍ରଦେଶର ବିଜେପି ସରକାରରେ ମତଭେଦ ସୃଷ୍ଟି ହୋଇଛି। ଏପ୍ରକାର ରାଜନୈତିକ ଦୃଶ୍ୟପଟ୍ଟରେ ଚିନ୍ତିତ ହୋଇ ସଂଘ ନିଜର ସମସ୍ତ ଅନୁବନ୍ଧିତ ସଂଗଠନକୁ ସକ୍ରିୟ କରିବାକୁ ଉଦ୍ୟମ ଆରମ୍ଭ କରିଥିବା ମନେ ହେଉଛି। ବୋଧହୁଏ ଏହି କାରଣରୁ ହିଁ ବିଜେପି ବିରୋଧ କରୁଥିବା ଜାତିଗତ ଜନଗଣନା ସପକ୍ଷରେ ଆରଏସ୍‌‌ଏସ୍‌‌ର ପ୍ରଚାରମୁଖ୍ୟ ସୁନୀଲ ଆମ୍ବେକର ଏବେ ମତ ଦେଇଛନ୍ତି।

ସୌଭାଗ୍ୟ ସୁନ୍ଦରରାୟ
କଟକ, ମୋ: ୯୪୩୭୨୨୯୨୩୩