ଆସ୍ଥା ଭୋଟ୍‌ରେ ନୀତୀଶ ପାସ୍‌, RJDକୁ ଝଟ୍‌କା

ନୀତୀଶଙ୍କ ବିପକ୍ଷରେ କୌଣସି ଭୋଟ୍‌ ନପଡିବାରୁ କଂଗ୍ରେସ, ବାମଦଳ ଓ ଆର୍‌ଜେଡି ଗୃହ ତ୍ୟାଗ କରିଥିଲେ।

ଆସ୍ଥା ଭୋଟ୍‌ରେ ନୀତୀଶ ପାସ୍‌, RJDକୁ ଝଟ୍‌କା

ଆସ୍ଥା ଭୋଟ୍‌ରେ ବାଜି ମାରିଲେ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସପକ୍ଷରେ ପଡିଲା ୧୨୯ ଭୋଟ୍‌। ବିରୋଧୀଙ୍କ କକ୍ଷ ତ୍ୟାଗ ଯୋଗୁ ବିଜେପି, ଜେଡିୟୁ ମେଣ୍ଟ ବିପକ୍ଷରେ ଗୋଟିଏ ବି ଭୋଟ୍‌ ପଡିନି। ତେବେ ଆର୍‌ଜେଡିର  ତିନି ଜଣ ବିଧାୟକ ଦଳ ବଦଳ କରି ଏନ୍‌ଡିଏ କ୍ୟାମ୍ପରେ ଯୋଗ ଦେଇଥିଲେ। ଏଥିଯୋଗୁ ଆର୍‌ଜେଡିକୁ ବଡ଼ ଝଟ୍‌କା ଲାଗିଛି। ନୀତୀଶଙ୍କ ବିପକ୍ଷରେ କୌଣସି ଭୋଟ୍‌ ନପଡିବାରୁ କଂଗ୍ରେସ, ବାମଦଳ ଓ ଆର୍‌ଜେଡି ଗୃହ ତ୍ୟାଗ କରିଥିଲେ।

ଆସ୍ଥା ଭୋଟ୍‌ ଜିତିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, 'ଆମେ ପୁଣି ଥରେ ଆମ ପୁରୁଣା ସ୍ଥାନକୁ ଫେରି ଆସିଛୁ। ଏଥର ଆମେ ସବୁ ଦିନ ପାଇଁ ଆସିଛୁ। ଚିନ୍ତା କରନି, ଆମେ କାହାର କ୍ଷତି କରିବୁନି। ଆପଣ ସମସ୍ତଙ୍କ ହିତ ପାଇଁ କାମ କରିବୁ। ଆପଣ ଯେଉଁ କମ୍ୟୁନିଟି କଥା କହୁଛନ୍ତି, ତା' ପାଇଁ ବି କାମ କରୁଥିଲୁ ଓ ଆଗକୁ କରିବୁ ମଧ୍ୟ।'   

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆର୍‌ଜେଡି ସ୍ପିକର୍‌ ଅବଧ ବିହାରୀ ଚୌଧୁରୀ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ୍ ଦେବା ସମୟରେ ୧୨୫ଜଣ ବିଧାୟକ ସରକାରଙ୍କ ସପକ୍ଷରେ ଛିଡା ହୋଇଥିଲେ। ସରକାରଙ୍କ ଫ୍ଲୋର ଟେଷ୍ଟରେ ଭୋଟ୍ ଦେବା ବେଳକୁ ଏହି ସଂଖ୍ୟା ୧୨୯କୁ ବୃଦ୍ଧି ପାଇଛି। ସୂତ୍ରରୁ ପ୍ରକାଶ ଯେ ମହେଶ୍ୱର ହାଜାରୀ ଗୃହ ଚଳାଉ ଥିବାବେଳେ ଶାସକ ଦଳର ଦିଲୀପ ରାୟ ଫ୍ଲୋର ଟେଷ୍ଟରେ ଭୋଟ୍ ଦେବାକୁ ହାଜର ହୋଇନଥିଲେ। ଶାସକ ଦଳରୁ ୧୨୬ ଏବଂ ଆରଜେଡିରୁ ତିନୋଟି ଭୋଟ୍ ସହ ମୋଟ ୧୨୯ଟି ଭୋଟ ନୀତୀଶ ସପକ୍ଷରେ ପଡିଥିଲା। 

ବିହାରରେ ସତ୍ତା ହରାଇ ବସିଥିବା ଆର୍‌ଜେଡିକୁ ସେତେବେଳେ ଝଟ୍‌କା ଲାଗିଥିଲା ଯେତେବେଳେ ବିହାର ବିଧାନସଭାରେ ଦଳର ତିନି ଜଣ ବିଧାୟକ ଦଳବଦଳାଇ ଏନ୍‌ଡିଏ କ୍ୟାମ୍ପରେ ଯାଇ ବସିଥିଲେ। ବିଧାୟକ ଚେତନ ଆନନ୍ଦ, ନୀଲମ ନେବୀ ଓ ପ୍ରହ୍ଲାଦ ଯାଦବ ଆର୍‌ଜେଡି ସଦସ୍ୟଙ୍କ ମଧ୍ୟରେ ଯାଇ ବସିବା ପରେ ଏହାକୁ ନେଇ ଜେଡିୟୁ ନେତା ତେଜସ୍ୱୀ ଯାଦବ ଆପତ୍ତି ଉଠାଇଥିଲେ। ଆସ୍ଥା ଭୋଟ୍‌ ଯାଏଁ ସମସ୍ତ ବିଧାୟକ ନିଜ ନିଜ ଦଳରେ ବସିବା ଉଚିତ ବୋଲି ସେ କହିଥିଲେ।