ଉଗ୍ରରୂପ ନେଲା ଓ୍ବକ୍ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍ ସେବା ବନ୍ଦ
କୋଲକାତା,୧୨।୪: ଓ୍ବକ୍ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ ବାପ, ପୁଅଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସମଶରଗଞ୍ଜ ଅଞ୍ଚଳର ଜାଫ୍ରାବାଦରେ ବାପପୁଅ ହରଗୋବିନ୍ଦ ଦାସ ଓ ଚନ୍ଦନଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିଲେ। ସୂତି ଅଞ୍ଚଳର ସଜୁର ମୋରେଠାରେ ଗୁଳିମାଡ଼ରେ ଗୁରୁତର ୨୧ ବର୍ଷୀୟ ଯୁବକ ଇଜାଜ ମୋମିନ ଶୁକ୍ରବାର ହସ୍ପିଟାଲରେ ପ୍ରାଣ […] The post ଉଗ୍ରରୂପ ନେଲା ଓ୍ବକ୍ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍ ସେବା ବନ୍ଦ appeared first on Dharitri Odia News.
କୋଲକାତା,୧୨।୪: ଓ୍ବକ୍ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ ବାପ, ପୁଅଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ସମଶରଗଞ୍ଜ ଅଞ୍ଚଳର ଜାଫ୍ରାବାଦରେ ବାପପୁଅ ହରଗୋବିନ୍ଦ ଦାସ ଓ ଚନ୍ଦନଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିଲେ। ସୂତି ଅଞ୍ଚଳର ସଜୁର ମୋରେଠାରେ ଗୁଳିମାଡ଼ରେ ଗୁରୁତର ୨୧ ବର୍ଷୀୟ ଯୁବକ ଇଜାଜ ମୋମିନ ଶୁକ୍ରବାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ବିକ୍ଷୋଭକାରୀମାନେ ପୋଲିସ ଭ୍ୟାନ୍ ସମେତ କେତେକ ଗାଡ଼ି ଜାଳିଦେଇଥିଲେ। ହିଂସାପ୍ରବଣ ଜାଙ୍ଗିପୁରରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ କୋଲକାତା ହାଇକୋର୍ଟର ସ୍ବତନ୍ତ୍ର ଖଣ୍ଡପୀଠ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଓ୍ବକ୍ଫ ଆଇନ ପ୍ରତ୍ୟାହାର ଦାବିକରି ତ୍ରିପୁରାର ଉନାକୋଟି ଜିଲାରେ ଶନିବାର ବିକ୍ଷୋଭ ବେଳେ ହିଂସାରେ ଅନୂ୍ୟନ ୧୮ ଜଣ ଆହତ ହୋଇଛନ୍ତି। ମଣିପୁରର ଇମ୍ଫାଲ ସମେତ ବିଭିନ୍ନ ଅଞ୍ଚଳରେ ଅନେକ ହଜାର ଲୋକ ଶୁକ୍ରବାର ଓ୍ବକ୍ଫ ବିରୋଧୀ ବିକ୍ଷୋଭରେ ସାମିଲ ହୋଇଥିଲେ।
ମୁର୍ଶିଦାବାଦ ହିଂସାରେ ସମ୍ପୃକ୍ତ ୧୧୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଉତ୍ତେଜନା ଜାରି ରହିଥିବାରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରେ ବିଏସ୍ଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଡିଜି ରାଜୀବ କୁମାର କହିଛନ୍ତି। ହିଂସାକୁ ଦୃଷ୍ଟିରେ ରଖି ମାଲଦା, ମୁର୍ଶିଦାବାଦ, ଦକ୍ଷିଣ ୨୪ ପ୍ରଗଣା ଏବଂ ହୁଗ୍ଲି ଜିଲାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
The post ଉଗ୍ରରୂପ ନେଲା ଓ୍ବକ୍ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍ ସେବା ବନ୍ଦ appeared first on Dharitri Odia News.