ଉଛୁଳା ଭକ୍ତିର ଅନ୍ତରାଳେ….
ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l ହେଲେ ନିନ୍ଦୁକେ କହନ୍ତି -ବାବୁ ଭାରି ଲୋଭୀ l ହେଲେ ହୋଇଥିବ ! ଦୁନିଆରେ କିଏ ଲୋଭୀ ନୁହନ୍ତି ଯେ ସିଏ ନୂଆଗୁଣ କାଢ଼ିଲେ ? ତାଙ୍କଠି ସେମିତି ଶକ୍ତି ଥିଲା ବୋଲି ଚାକିରି କାଳରେ ଭଗବାନ ତାଙ୍କ ଦ୍ୱାରା ଯେଉଁ ଧନ ଦିଆଇଲେ, ସେଥିରେ କେଜି କେଜି ସୁନା, […] The post ଉଛୁଳା ଭକ୍ତିର ଅନ୍ତରାଳେ…. appeared first on Dharitri Odia News.
ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l ହେଲେ ନିନ୍ଦୁକେ କହନ୍ତି -ବାବୁ ଭାରି ଲୋଭୀ l ହେଲେ ହୋଇଥିବ ! ଦୁନିଆରେ କିଏ ଲୋଭୀ ନୁହନ୍ତି ଯେ ସିଏ ନୂଆଗୁଣ କାଢ଼ିଲେ ? ତାଙ୍କଠି ସେମିତି ଶକ୍ତି ଥିଲା ବୋଲି ଚାକିରି କାଳରେ ଭଗବାନ ତାଙ୍କ ଦ୍ୱାରା ଯେଉଁ ଧନ ଦିଆଇଲେ, ସେଥିରେ କେଜି କେଜି ସୁନା, ରୁପା, ଏକର ଏକର ଜାଗାଜମି, ବହୁ ଘର, ପ୍ଲଟ କିଣିଲେ l ସେଥିରେ ମୋ ଭଳି ଲୋକ ହିଂସା -ଈର୍ଷା କରିବା କ’ଣ ଭଲକଥା? ଲୋକେ କୁହାକୁହି ହୁଅନ୍ତି -ସେ କୁଆଡେ କେଇଥର ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି l କିନ୍ତୁ ତାଙ୍କ କଥାବାର୍ତ୍ତା, ସେ ପିନ୍ଧୁଥିବା ଡ୍ରେସପରି ଭାରି ସଫା ଲାଗୁଥିବାରୁ, ଲୋକଙ୍କ କଥାକୁ ଆମ୍ଭେ ପରତେ ଯାଉନା l ଲୋକଙ୍କ କଥାରୁ କ’ଣ ମିଳିବ ଯେ ! ଖୋଦ ସର୍କାର ତ ତାଙ୍କ ସଫାଗୁଣ -ପାରିବାପଣର ପରିଚୟ ପାଇଁ ଉଚ୍ଚରୁ ଉଚ୍ଚତର ଉଚ୍ଚତମ ପଦବୀକୁ ତିନି ତିନିଥର ପ୍ରମୋଶନ ଦେଇଛନ୍ତି। ଆମେ କହିବାକୁ କିଏ ? ହଁ, ମାଧବ ବାବୁ ଚତୁରଗୁଣରେ ପରିପୂର୍ଣ୍ଣ l ଏତେ ପାଠପଢି ଚତୁର ନ ହୋଇ କ’ଣ ଓଲା କାବେଡା ବୋକା ହେଲେ, ଆଜିକାଲି ଦୁନିଆରେ କି ଚଳିହୁଏ?
ଅନେକ ନେତାଙ୍କ ଶିକ୍ଷାଗତ ଯୋଗ୍ୟତା ନ ଥାଇ ଯେବେ ବିଭାଗ, ରାଇଜ ଚଳାଉଛନ୍ତି, ତେବେ ମାଧବ ବାବୁ ସେଇ ବୁଦ୍ଧିରେ ପରିବାର ଉନ୍ନତି -ସମ୍ପତ୍ତି ବୃଦ୍ଧି କରିବାରେ ଅସୁବିଧା କ’ଣ ? ହେଲା, ଆମେ ମାନୁଛୁ ସେ କାହାକୁ ଦେଇ ଶିଖିନାହାନ୍ତି – ନେବାରେ ଓସ୍ତାଦ l ତଥାପି ସେ ଅତି ଭଦ୍ରଲୋକ। ବୁଦ୍ଧି ଥିବାରୁ ଅନେକ ମାର୍କେଟ କମ୍ପ୍ଲେକ୍ସ, ଗଢ଼େଇଥିବା କୋଠାର ଭଡା, ଚାକିରି କାଳରେ ଜମେଇଥିବା ଧନକୁ କୋଉଠି କେମିତି ସୁରକ୍ଷିତ ରଖିବେ ବୋଲି ପତ୍ନୀ ସହ ଆଲୋଚନାରେ ଅନେକ ରାତି ପୁହାଇଛନ୍ତି। ମାଧବଚନ୍ଦ୍ର, ଆଜିକାର ଅନ୍ଧାରିଶାସନ ସଂସାରେ ଏକମାତ୍ର ଚନ୍ଦ୍ର ପରି ବିଖ୍ୟାତ ହୋଇଛନ୍ତି l ମାତ୍ର ଅବସର ନେବା ପରେ ଧୀରେ ଧୀରେ ତାଙ୍କ ଶରୀରକୁ ଶତ୍ରୁ ଭଳିଆ ଅନେକ ବେମାରୀ ଆକ୍ରମଣ କରୁଥିବାରୁ ମନ ସୁସ୍ଥ ରଖିବାକୁ କୋଉ ପଣ୍ଡିତଙ୍କ ପରାମର୍ଶରେ ସାଆରେ ଏବେ ଧର୍ମକଥା ଶ୍ରବଣରେ ମନ ଧ୍ୟାନ ଦେଇଛନ୍ତି l ସଞ୍ଜବୁଡ଼ିଲେ ସହରର କୋଉ ମନ୍ଦିର କି ମଞ୍ଚରେ ଦିଆଯାଉଥିବା ପ୍ରବଚନ ଶୁଣିବାକୁ ଧାଉଁଛନ୍ତି l ଅବଶ୍ୟ କୋଉଠି ଚାନ୍ଦାଭେଦା ଦାନ ଦକ୍ଷିଣା ଦେବାକୁ ଶୁଣିଲେ, ସେଠାକୁ ଯିବାପାଇଁ ମନଊଣା ସିନା କରନ୍ତି, ମାତ୍ର ତାଙ୍କ ମନ ଭାରି ସଫା, ଅନ୍ତର ନିର୍ମଳ… ଭକ୍ତି ଜୋର। ପ୍ରଣାମ ଠୁ ବଳି, ଧନ ଦାନ କ’ଣ ଏତେ ବଡ଼ ? ସେ ଯୋଉ ସାଧୁ ସନ୍ଥ ପ୍ରବଚକଙ୍କ ପ୍ରବଚନ ଶୁଣନ୍ତି, ତାଙ୍କୁ ଦେଖୁ ଦେଖୁ ଭକତିରେ ଗଦଗଦ ହୋଇ ଅଣ୍ଟାକୁ ନୁଆଇଁ ମଥାକୁ ଆଣ୍ଠୁ ତଳକୁ ଝୁଲେଇ ଏମିତି ବାଗରେ ଜୁହାର କରନ୍ତି ଯେ, କେହି କେହି ତାଙ୍କୁ ଅର୍ଦ୍ଧସିଦ୍ଧ ମହାପୁରୁଷ ବୋଲି ଚିହ୍ନିପକାନ୍ତି -ଏ କଥା ମାଧବବାବୁ ତାଙ୍କ ସାଙ୍ଗ ସାଥୀଙ୍କୁ କହିବାର ଆମେ ଶୁଣିଛୁ l
ଦିନେ ଜଣେ ପ୍ରବଚକ ଭଗବାନଙ୍କ କଥା ବଡ଼ ପାଟିରେ କହୁଥିବାବେଳେ, ବାବୁ ଆଗ ଧାଡିରେ ତାଙ୍କ ପାଖରେ ବସି ଶୁଣିଲାବେଳେ, ବକ୍ତାଙ୍କ ତୁଣ୍ଡରୁ ଛେପ ତାଙ୍କ ଉପରେ ପଡୁଥିବା ଦେଖି କହିଲେ- ହେ ମହାଶୟ, ଆପଣଙ୍କ କଥା ବଡ଼ ମଧୁର ଲାଗୁଛି l ମାତ୍ର ଆପଣଙ୍କ ତୁଣ୍ଡରୁ ଛେପ ବାହାରି ମୋ ଉପରେ ପଡୁଛି l ପ୍ରବଚକ କହିଲେ- ଆପଣ ବହୁତ ଭାଗ୍ୟବାନ l ମୋ ଗର୍ଭରେ ପରା ଗଙ୍ଗା, ଯମୁନା, ସରସ୍ବତୀଙ୍କ ତ୍ରିବେଣୀ ଘାଟ ଅଛି l ସେଇ ଜଳ ପଡ଼ି ଆପଣଙ୍କ ଦେହ ପବିତ୍ର ହୋଇଛି l ଏକଥା ଶୁଣି ବାବୁ ଖୁସିହେଲେ l ପରଦିନ ସେ ସାଇତି ଆଣିଥିବା କିଛି ଜିନିଷ ସାଧୁଙ୍କ ପାଟିରେ ଖୁଆଇଦେଇ କହିଲେ – ହେ ମହାଶୟ ! ଏତକ ଭୋଜନ କରିବା ପୂର୍ବକ ମୋତେ କୃତାର୍ଥ କରାନ୍ତୁ l ସାଧୁ ପଚାରିଲେ.. ଏ କ’ଣ ଖୁଆଇଲେ?! ବାବୁ କହିଲେ କାଲି ଜାଣିଲି ଆପଣଙ୍କ ଭିତରେ ତ୍ରିବେଣୀ ତୀର୍ଥ ଅଛନ୍ତି l ତେଣୁ ମୋ ବାପାଙ୍କ ସାଇତି ରଖିଥିବା ଅସ୍ଥିକୁ ଗୁଣ୍ଡକରି ପାଚିଲା କଦଳୀରେ ମିଶେଇ ତ୍ରିବେଣୀ ତୀର୍ଥରେ ବିସର୍ଜନ କରି ମୋ ମନସ୍କାମନା ପୂରଣ କରିବାର ସୁଯୋଗ ହାତଛଡ଼ା କରିନାହିଁ l ବିଚରା ପ୍ରବଚକ ମଞ୍ଚରେ ବାନ୍ତି କରିବା ଦେଖି ସେ ଛୁ ମାରିଥିଲେ l
ଆଉଦିନେ ଜଣେ ସାଧୁ ତାଙ୍କ ଭକ୍ତିଭରା ବ୍ୟବହାର ଓ ପ୍ରବଚନ ଶୁଣିବାର ଆଗ୍ରହ ଦେଖି ଏତେ ମୁଗ୍ଧ ହୋଇଗଲେ ଯେ, ମାଧବବାବୁଙ୍କ ଘରକୁ ଯିବାପାଇଁ ଇଚ୍ଛାକରି ଗୁଡ଼ାଏ ପ୍ରଶଂସା କରିବାକୁ ଲାଗିଲେ l ମାଧବବାବୁ ନିଜର ପ୍ରଶଂସା ଶୁଣି ଗର୍ବରେ ଉଛୁଳିଉଠିଲେ ଓ ପରଦିନକୁ ତାଙ୍କ ଘରେ ଅତିଥି ହେବାକୁ ନିମନ୍ତ୍ରଣ କଲେ l ବଜାରରୁ ବେପାରୀଙ୍କ ବଳି ପଡ଼ିଥିବା ପରିବା ଶ୍ରଦ୍ଧା ସହକାରେ ଶସ୍ତାରେ କିଣି ରୋଷେଇ ବ୍ୟବସ୍ଥା କଲେ l ଯେମିତି ସାଧୁ ସୁଆଦିଆ ଖାଦ୍ୟ ଲୋଭରେ ବାରମ୍ବାର ଆସିବା ଭଳି ହରକତ ନ କରନ୍ତି l ଯଥା ସମୟରେ ସାଧୁ ପରଦିନ ଘରେ ଉପସ୍ଥିତ ହେବା ଦେଖି ଯଥାଯଥ ଅଭ୍ୟର୍ଥନା ପୂର୍ବକ ତାଙ୍କ ସହିତ ମଧ୍ୟାହ୍ନଭୋଜନ ପାଇଁ ଅନୁରୋଧ କଲେ l
ସେଦିନ ଥାଏ ରବିବାର l ଭୋଜନାନ୍ତେ ବୈଠକଖାନାରେ ବାବୁ ଓ ସାଧୁ ଦୁଃଖ ସୁଖ ହେଲେ l ସୁନ୍ଦର ଘର ବଗିଚା ବୁଲାଇ ଦେଖେଇବା ପରେ, ତାଙ୍କ ବଡ ପୁଅ-ବୋହୂ ଆସି ପ୍ରଣାମ କରିବାରୁ ସାଧୁ ପୁଛାକଲେ -ଏମାନେ କିଏ?
ମାଧବବାବୁ କହିଲେ- ଏ ମୋ ବଡ଼ପୁଅ, ଯାହାକୁ ମୁଁ ବହୁ ଟଙ୍କା ଖର୍ଚ୍ଚକରି ଡାକ୍ତର କରେଇଛି l ଏଇ ବୋହୂ ବି ଡାକ୍ତର l ଉଭୟେ ଏଇ ସହରରେ ଚାକିରି କରି ଭଲ ରୋଜଗାର କରୁଛନ୍ତି l ପରେ ଆଉ ଦୁଇଜଣ ଆସି ପ୍ରଣାମ କରିବାରୁ, ବାବୁ ପରିଚୟ ଦେଇ କହିଲେ ଏ ମୋ ସେକେଣ୍ଡ ପୁଅ ବୋହୂ l ମୁଁ ଏ ପୁଅକୁ ଇଂଜିନିୟର କରେଇଛି l ସେ ଏବେ ପ୍ରମୋସନ ହୋଇ ଚିଫ-ଇଂଜିନିୟର l ବୋହୂ ପ୍ରଫେସର l ମୁଁ ଏମାନଙ୍କୁ ମଣିଷ କରିଛି l ମୁଁ ଏଇ କୋଠାବାଡ଼ି ସବୁ ଘରଦ୍ୱାର କରିଛି l ମତେ ସମସ୍ତେ ସମ୍ମାନ ଦିଅନ୍ତି l ମୁଁ ଏମାନଙ୍କ ପାଇଁ ବ୍ୟାଙ୍କ ବାଲାନ୍ସ ରଖିଦେଇଛି…. I ଏଇବେଳେ ଜଣେ ପ୍ରାୟ କୋଡିଏ ବର୍ଷର ଦିବ୍ୟାଙ୍ଗ, ଗୋଡ଼ ଘୋଷାରି ଆସୁଥିବାର ଦେଖି ମାଧବବାବୁ ବିରକ୍ତ ହୋଇ ତଡିବାରୁ, ସାଧୁ ବାରଣକରି କହିଲେ- ତାକୁ ଆସିବାକୁ ଦିଅନ୍ତୁ l ପିଲାଟି ଆସି ପ୍ରଣାମ କରିବାରୁ, ସେ କିଏ ବୋଲି ସାଧୁ ପଚାରିବାରୁ, ମାଧବବାବୁ କହିଲେ ଏ ହତଭାଗା ମୋ ସାନପୁଅ l ଦେଖିଲେ ! ଭଗବାନଙ୍କର କି ଅବିଚାର! ତାକୁ ଦିବ୍ୟାଙ୍ଗ କରେଇଛନ୍ତି l ପାଠଶାଠ କାହିଁକି ବା ପଢ଼େଇ ଟଙ୍କା ସାରିଥାନ୍ତି ? ଯୋଉ ଭଗବାନ ତାକୁ ଏମିତି କରିଛନ୍ତି, ସେ ବୁଝିବେ ! ସାଧୁ ଏମିତି ଶୁଣି ସ୍ମିତହସି କହିଲେ, ମହାଶୟ ! ଆପଣ କୋଠାବାଡ଼ି, ଉଦ୍ୟାନ କରିଛନ୍ତି, ଦୁଇଟା ପିଲାଙ୍କୁ ଯୋଗ୍ୟ କରିଛନ୍ତି l ମାତ୍ର ଏ ପିଲାକୁ ଆପଣ ନୁହଁ ଭଗବାନ ଦିବ୍ୟାଙ୍ଗ କରିଛନ୍ତି ବୋଲି ଦୋଷାରୋପ କରୁଛନ୍ତି? ସବୁ ପ୍ରଶଂସା ଆପଣଙ୍କର, ଅଥଚ ନିନ୍ଦା ଭଗବାନଙ୍କର ! ଆପଣଙ୍କର ତ ବହୁତ ଧନଥିଲା, ତାକୁ ଭଲ କରେଇ ଦେଲେନି କାହିଁକି? ଆପଣ ଯେବେ ସବୁ କରିପାରନ୍ତି, ତେବେ ଆପଣଙ୍କ ଆୟୁ ହଜାରେ ବର୍ଷ କରିଦିଅନ୍ତୁ ! ଆପଣ ଯେତେବେଳେ ରୋଗଶଯ୍ୟାରେ ବାର୍ଦ୍ଧକ୍ୟ ଅବସ୍ଥାରେ ଖଟିଆରେ ପଡ଼ିବେ, ସେତେବେଳେ କ’ଣ ଭଗବାନଙ୍କୁ ଦାୟୀ କରିବେ ?
ଏଇ କେଇପଦ କଥା ସାଧୁଙ୍କ ମୁଖରୁ ଶୁଣି, ଯେମିତି ତାଙ୍କ ଚତୁର ବୁଦ୍ଧିଜ୍ଞାନ ହଜିଗଲା ! ଆପଣା କୃତକର୍ମ ବିଷୟରେ ଭାବି ଚାଲିଥିଲେ। ସାଧୁ ବିଦାୟନେଇ ଚାଲିଯାଉଥିବା ବେଳେ, ସେ ତାଙ୍କ ଯିବା ପଥକୁ ପ୍ରଶ୍ନିଳ ଦୃଷ୍ଟିରେ ଅନାଇ ରହିଥିଲେ l
-ମଙ୍ଗରାଜପୁର, ପୁରୀ, ମୋ: ୭୦୦୮୧୮୮୮୪୭
The post ଉଛୁଳା ଭକ୍ତିର ଅନ୍ତରାଳେ…. appeared first on Dharitri Odia News.