ଉତ୍କଳଙ୍କ କୁଶପୁତ୍ତଳିକା ଦାହକଲେ ବିଧାୟିକାଙ୍କ ସମର୍ଥକ
ପାଟକୁରା, ୪।୨(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଜେଡିରେ ଏବେ ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଛି। ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବିରୋଧରେ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହାର ପ୍ରତିବାଦରେ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ସମର୍ଥକମାନେ ଶନିବାର ଅପରାହ୍ନରେ ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦା ବାରୁଣୀ ଛକଠାରେ ପରିଡ଼ାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। କିଛିଦିନ ତଳେ ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତଠାରେ ପାଟକୁରା ସ୍ବାଭିମାନ ମଞ୍ଚ ପକ୍ଷରୁ […] The post ଉତ୍କଳଙ୍କ କୁଶପୁତ୍ତଳିକା ଦାହକଲେ ବିଧାୟିକାଙ୍କ ସମର୍ଥକ appeared first on Dharitri Odia News.
ପାଟକୁରା, ୪।୨(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଜେଡିରେ ଏବେ ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଛି। ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବିରୋଧରେ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡ଼ା ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହାର ପ୍ରତିବାଦରେ ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ସମର୍ଥକମାନେ ଶନିବାର ଅପରାହ୍ନରେ ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦା ବାରୁଣୀ ଛକଠାରେ ପରିଡ଼ାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
କିଛିଦିନ ତଳେ ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତଠାରେ ପାଟକୁରା ସ୍ବାଭିମାନ ମଞ୍ଚ ପକ୍ଷରୁ ଆୟୋଜିତ ସଭାରେ ପରିଡ଼ା ଗୋଖାକୁ ପୋଖରୀ ହୁଡ଼ାରେ ବସାଇଲେ ପୋଖରୀରେ କେତେ ମାଛ କହିଦେବ ବୋଲି କହିଥିଲେ। ଏହାଛଡ଼ା ମାଢୁଆଳି ହାତରେ ଗଡୁ ଧରି ଆସିଥିଲେ, ଏବେ ନେତା ହୋଇ ଅନେକ କୋଟି ଟଙ୍କା ରୋଜଗାର କରି ପରିବାର ରାଜନୀତି କରୁଛନ୍ତି। ପାଟକୁରାବାସୀ ଭାରି ସ୍ବାଭିମାନୀ, ଏହାକୁ ବରଦାସ୍ତ କରିବେନି ବୋଲି ସେ କହିଥିଲେ। ଏଭଳି ମନ୍ତବ୍ୟକୁ ନେଇ ବିଧାୟିକା ଅଗ୍ରଓ୍ବାଲଙ୍କ ସମର୍ଥକମାନେ ଶନିବାର ଜୋର୍ଦାର ପ୍ରତିବାଦ କରିଛନ୍ତି। ଏପରିକି ଜିଲା ସଭାପତିଙ୍କୁ ଗରଦପୁର ବ୍ଲକ ଅଞ୍ଚଳରେ ପୂରାଇ ନ ଦେବାକୁ ଘୋଷଣା କରିଛନ୍ତି। ଆତ୍ମାର ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ସରପଞ୍ଚ ଅରୁଣ ନାୟକ, ସୂର୍ଯ୍ୟମଣି ସେଠୀ, ପୂର୍ବତନ ସମିତିସଭ୍ୟ ଭଜହରି ସେନାପତି, ପୂର୍ବତନ ସମିତିସଭ୍ୟ ତଥା ଜିଲା ବିଜେଡି ସମ୍ପାଦକ ହେମନ୍ତ କୁମାର ସେଠୀ, ପୂର୍ବତନ ସରପଞ୍ଚ ଅନୁଜ ମହାନ୍ତି, ବ୍ଲକ ବିଜେଡି ସଭାନେତ୍ରୀ ଶାନ୍ତିଲତା ପଟ୍ଟନାୟକ, ସୁଧିମ୍ମିତା ଲେଙ୍କା, ପୂର୍ବତନ ସମିତି ସଭ୍ୟ ପ୍ରହଲ୍ଲାଦ ସାହୁ, କମଳ କୁମାର ମିଶ୍ର, ଦୀପକ ମହାପାତ୍ର, ବସନ୍ତ ବେହେରା ପ୍ରମୁଖ ଜିଲା ବିଜେଡି ସଭାପତି ପରିଡ଼ାଙ୍କୁ ବାଲିଚୋର କହିବା ସହ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ। ଏହାଛଡ଼ା ଗୋଖାଜାତିକୁ ହୀନଦୃଷ୍ଟିରେ ଦେଖିବା ଦ୍ୱାରା ସେ ଗୋଟିଏ ଜାତିକୁ ଅପମାନ କରିଛନ୍ତି। ଏହି ଜାତିଆଣ ମନ୍ତବ୍ୟ ପାଇଁ ତାଙ୍କୁ ଜିଲା ବିଜେଡି ସଭାପତି ପଦରୁ ବହିଷ୍କୃତ ପାଇଁ ଦାବି କରିଛନ୍ତି। ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ଥିବାରୁ ବିଜେଡି ସଙ୍ଗଠନ ମଧ୍ୟରେ ଏପରି ମତପାର୍ଥକ୍ୟ ଲାଗି ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ତେବେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କଲେ ଅବସ୍ଥାରେ ସୁଧାର ଆସିବ ବୋଲି ଦଳୀୟ କର୍ମୀମାନେ ଆଲୋଚନା କରୁଛନ୍ତି।
The post ଉତ୍କଳଙ୍କ କୁଶପୁତ୍ତଳିକା ଦାହକଲେ ବିଧାୟିକାଙ୍କ ସମର୍ଥକ appeared first on Dharitri Odia News.