ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ: ଦୋଛକିରେ ବିଜେଡି
ଭୁବନେଶ୍ୱର,୨ା୮(ରବିନାରାୟଣ ଜେନା):ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନକରଙ୍କ ଇସ୍ତଫା ପରେ ଜାତୀୟ ଓ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି। ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ସ୍ଥିର ହୋଇଛି। ଧନକରଙ୍କ ଇସ୍ତଫାକୁ ନେଇ ଜାତୀୟସ୍ତରରେ ଅନେକ କଳ୍ପନା ଜଳ୍ପନା ଚାଲିଛି। ସେ ତାଙ୍କ ଇସ୍ତଫା ପତ୍ରରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ସନ୍ଦେହ କରୁଛନ୍ତି। ଧନକର ଦିନରେ ସ୍ବାଭାବିକ ଭାବେ ରାଜ୍ୟ ସଭା କାର୍ଯ୍ୟ […] The post ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ: ଦୋଛକିରେ ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୨ା୮(ରବିନାରାୟଣ ଜେନା):ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନକରଙ୍କ ଇସ୍ତଫା ପରେ ଜାତୀୟ ଓ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି। ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ସ୍ଥିର ହୋଇଛି। ଧନକରଙ୍କ ଇସ୍ତଫାକୁ ନେଇ ଜାତୀୟସ୍ତରରେ ଅନେକ କଳ୍ପନା ଜଳ୍ପନା ଚାଲିଛି। ସେ ତାଙ୍କ ଇସ୍ତଫା ପତ୍ରରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ସନ୍ଦେହ କରୁଛନ୍ତି। ଧନକର ଦିନରେ ସ୍ବାଭାବିକ ଭାବେ ରାଜ୍ୟ ସଭା କାର୍ଯ୍ୟ ସାରିବା ପରେ ରାତିରେ ହଠାତ୍ ଇସ୍ତଫା ଘୋଷଣା କରିଥିବାରୁ ଏହା ପଛରେ ଭାଜପାର ନିଶ୍ଚିତ କିଛି ଯୋଜନା ରହିଥିବା ବିରୋଧୀ ଆକଳନ କରୁଛନ୍ତି। ଏ ନେଇ ସେମାନେ ଭାଜପାର ଆଭିମୁଖ୍ୟ ଉପରେ ଅନେକ ପ୍ରଶ୍ନ ମଧ୍ୟ ଉଠାଉଛନ୍ତି । ଏହାକୁ ଅନୁଧ୍ୟାନକଲେ ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ସହମତି ଭିତ୍ତିରେ ହେବା ନେଇ ସନ୍ଦେହ ରହିଛି। ଯଦି ‘ଇଣ୍ଡି ମେଣ୍ଟ’ ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଦିଏ, ତେବେ ଓଡ଼ିଶାର ବିରୋଧୀ ଦଳ ବିଜେଡି କେଉଁ ଆଭିମୁଖ୍ୟ ରଖିବ, ତାହାକୁ ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ନିକଟରେ ‘ଅପରେଶନ ସିନ୍ଦୂର’ ବିତର୍କ ବେଳେ ରାଜ୍ୟ ସଭାରେ ‘ସିନ୍ଦୂର’ ସପକ୍ଷରେ ବିଜେଡି ରହିଥିଲା। ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମୟରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପୂର୍ଣ୍ଣମାତ୍ରାରେ ସମର୍ଥନ କରିଥିଲା। ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ମଧ୍ୟ ବିଜେଡି ଧନକରଙ୍କୁ ସମର୍ଥନ ଦେଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସେତେବେଳେ ଗଣମାଧ୍ୟମ ସମ୍ମୁଖରେ ତାଙ୍କ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। କିନ୍ତୁ ଏବେ ସମୟ ବଦଳିଛି। ବର୍ତ୍ତମାନ ରାଜ୍ୟରେ ବିରୋଧୀ ଆସନରେ ବସିଥିବାରୁ ବିଜେଡି କ’ଣ ପଦକ୍ଷେପ ନେବ ତାହାକୁ ନେଇ ଦଳରେ ଦ୍ୱନ୍ଦ୍ୱ ଲାଗି ରହିଛି। ରାଜ୍ୟର ଆଇନଶୃଙ୍ଖଳା ପ୍ରସଙ୍ଗରେ ଭାଜପା ସରକାରକୁ ବିଜେଡି ଘେରୁଛି। ତେଣୁ ଜାତୀୟ ପ୍ରସଙ୍ଗରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କଲେ ବିଜେଡିକୁ ପୁଣି ସମାଲୋଚନାର ସାମ୍ନା କରିବାକୁ ପଡ଼ିବ ବୋଲି ରାଜନୈତିକ ମହଲରେ କୁହାଯାଉଛି।
ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଉଭୟେ ଭାଜପା-ବିଜେଡିକୁ ନେଇ ବହୁ ସମାଲୋଚନା କରିଥିଲା, ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହିଥିଲା। ନିର୍ବାଚନ ପରେ ଏବେ ରାଜ୍ୟ ରାଜନୀତି ସମୀକରଣ ବଦଳିଛି। ବିଜେଡି-କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ଏକ ହୋଇ ଭାଜପା ସରକାରଙ୍କୁ ଘେରୁଛନ୍ତି। ହେଲେ ରାଜ୍ୟ ସଭାରେ ଓ୍ବକଫ୍ ବିଲ୍ ଆଗତ ବେଳେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ନ ଥିଲା, ଯାହାକୁ ନେଇ ଦଳ ଭିତରେ ଏବେ ବି ତୁ ତୁ ମେଁ ମେଁ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା, ବଳଙ୍ଗାରେ ଛାତ୍ରୀଙ୍କୁ ପୋଡ଼ିବାକୁ ଉଦ୍ୟମ ଭଳି ବହୁ ପ୍ରସଙ୍ଗ ବିରୋଧୀଙ୍କୁ ଏକ ହେବାର ସୁଯୋଗ ସୃଷ୍ଟି କରିଛି; ଯେଉଁଥିପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଭାଜପା ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆହ୍ବାନ ଦେଇ ବିଜେଡିର ସମର୍ଥନ ଲୋଡ଼ିଛନ୍ତି । ଏହି ପ୍ରସଙ୍ଗ ଏବେ ମୌସୁମୀ ଅଧିବେଶନ ପାଇଁ ଅପେକ୍ଷାରେ ରହିଛି। ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ସମର୍ଥନ ନ କଲେ କେନ୍ଦ୍ର ଭାଜପାର ଆକ୍ରୋଶର ଶିକାର ହେବ ବୋଲି ରାଜନୈତିକ ମହଲରେ ବିବେଚନା କରାଯାଉଛି।
ନିକଟରେ ରାଜ୍ୟ ସଭାରେ ଏମ୍ପି ସୁଲତା ଦେଓ ଯେଉଁଭଳି ଧନକରଙ୍କ ଇସ୍ତଫା ପ୍ରସଙ୍ଗରେ ସମାଲୋଚନା କରିଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ବକ୍ତବ୍ୟ ଥିଲା ନା ଦଳୀୟ ଇସାରା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେଣୁ ଉପରାଷ୍ଟ୍ରପତି ନିର୍ବାଚନବେଳେ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କର ନଜର ରହିଛି। ଏଭଳିସ୍ଥଳେ ନାମାଙ୍କନର ଶେଷ ତାରିଖ ଅର୍ଥାତ୍ ଅଗଷ୍ଟ ୨୧ ପୂର୍ବରୁ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଭାରତର ବିରୋଧୀ ଆଞ୍ଚଳିକ ଦଳଗୁଡ଼ିକ କେଉଁ ନିଷ୍ପତ୍ତିି ନେବେ ତାହା ପ୍ରାୟତଃ ଜଣାପଡ଼ିଯିବ। ଏନେଇ ଓଡ଼ିଶାର କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, ଉଭୟେ ବିଜେଡି-ଭାଜପା ୧୦ବର୍ଷ ଧରି ସରକାରରେ ଥିଲେ। ସେମାନଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଛି। ତେବେ ପ୍ରଥମଥର ପାଇଁ ବିଜେଡି ବିରୋଧୀ ଆସନରେ ବସିଛି। ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଭାଜପା ସରକାରଙ୍କୁ ବିରୋଧ କରୁଛନ୍ତି। ଆମେ ଆଶା କରିବୁ, ବିଜେଡି ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ‘ଇଣ୍ଡି ମେଣ୍ଟ’କୁ ସମର୍ଥନ କରୁ ବୋଲି ଅଶୋକ କହିଛନ୍ତି।
ବିଜେଡି ବିଧାୟକ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନ ବେଳେ ଦଳର ଆଭିମୁଖ୍ୟ କ’ଣ ରହିବ ତାହାର ନିଷ୍ପତ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ। ବିଜେଡି ସବୁବେଳେ ରାଜ୍ୟର ସ୍ବାର୍ଥକୁ ଗୁରୁତ୍ୱ ଦେଇ ଆସିଛି। ଏଥର ମଧ୍ୟ ଦଳ ଠିକ୍ ସମୟରେ ଠିକଣା ନିଷ୍ପତ୍ତି ନେବ ବୋଲି ମିଶ୍ର କହିଛନ୍ତି।
ଭାଜପା ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, ପୂର୍ବରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନବେଳେ ବିଜେଡିକୁ ସମର୍ଥନ ନ ମାଗିଲେ ମଧ୍ୟ ଦେଇଛି। ଆଗକୁ ମଧ୍ୟ ସମର୍ଥନ ଦେବ, ବିଜେଡିର କିଛି ଉପାୟ ନାହିଁ। ସମୟ କହିବ କିଏ କାହାକୁ ସମର୍ଥନ କରୁଛି। ଯେହେତୁ ନିର୍ବାଚନ କଥା, ଭାଜପା ପକ୍ଷରୁ ନିଶ୍ଚିତ ଭାବେ ସମସ୍ତଙ୍କୁ ସମର୍ଥନ ମଗାଯିବ ବୋଲି ଷଡ଼ଙ୍ଗୀ କହିଛନ୍ତି। ସେହିପରି ଭାଜପାର ଅନ୍ୟ ଜଣେ ବରିଷ୍ଠ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ନିଶ୍ଚିତ ଭାବେ ଆମ ପ୍ରାର୍ଥୀଙ୍କୁ ଭୋଟ ଦେବ। ସେମାନେ ଗୋଡ଼ାଣିଆ, ସେମାନଙ୍କୁ କୌଣସି ତୋଷାମଦ କରିବାକୁ ପଡ଼ିବ ନାହିଁ। ସେମାନେ ବଳେ ଆସି ଆମ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବେ।
The post ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ: ଦୋଛକିରେ ବିଜେଡି appeared first on Dharitri Odia News.