ଋଷଭ ପନ୍ତଙ୍କୁ ଏହି କାରଣ ପାଇଁ ଦଣ୍ଡିତ କଲା ଆଇସିସି
ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ପନ୍ତ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଆଜି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ ହାସଲ କରିଥିବା ଋଷଭ ପନ୍ତଙ୍କୁ ଦଣ୍ଡିତ କରିଛି ଆଇସିସି। ସେ ଅମ୍ପାୟାରଙ୍କ ଗୋଟିଏ ନିଷ୍ପତ୍ତିକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଥିବାରୁ ତାଙ୍କୁ ଆଇସିସି ପକ୍ଷରୁ ଦଣ୍ଡିତ କରାଯାଇଛି। ଲିଡ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ପନ୍ତ ପ୍ରଦର୍ଶନ କରିଥିବା ଆଚରଣ ପାଇଁ ଆଜି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ପଡ଼ିଆ ମଝିରେ ସେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଥିବାରୁ ତାଙ୍କୁ ଆଇସିସି ଦଣ୍ଡିତ କରିବା ସହ ତାଗିଦ କରିଛି। ୨୭ ବର୍ଷୀୟ ଋଷଭ ପନ୍ତ ଆଇସିସିର ଆଚରଣ ବିଧିର ଲେଭଲ ୧କୁ ଉଲ୍ଲଙ୍ଘନ କରିଥିଲେ। ସେ ନିୟମକୁ ଉଲ୍ଲଙ୍ଘନ କରି ଭାରତର ଫିଲ୍ଡିଂ ବେଳେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ସହମତ ହୋଇ ନଥିଲେ। ଏଥିପାଇଁ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି। ୨୪ ମାସ ମଧ୍ୟରେ ଏହା ପନ୍ତଙ୍କ ପ୍ରଥମ ଅପରାଧ ବୋଲି ଆଇସିସି କହିଛି।
ପନ୍ତଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଥିଲେ ହେଁ ତାଙ୍କ ମ୍ୟାଚ୍ ଫି’କୁ ଆଇସିସି କୌଣସି ପ୍ରକାରର କାଟ କରିନାହିଁ। କେବଳ ପନ୍ତଙ୍କୁ ତାଗିଦ କରି ଛାଡ଼ି ଦିଆଯାଇଛି। ପୂରା ଘଟଣା ଇଂଲଣ୍ତ ଇନିଂସର ୬୧ତମ ଓଭରରେ ଘଟିଥିଲା।
ହ୍ୟାରୀ ବ୍ରୁକ ଓ ବେନ ଷ୍ଟୋକ୍ସ ଏହି ସମୟରେ ବ୍ୟାଟିଂ କରୁଥିଲେ। ବଲର ଅବସ୍ଥାକୁ ନେଇ ପନ୍ତ ଏତିକି ବେଳେ ଅମ୍ପାୟାରଙ୍କ ସହ କିଛି କଥା ହୋଇଥିଲେ। ପନ୍ତ ବଲକୁ ବଦଳାଇବାକୁ ଚାହୁଁଥିଲେ ହେଁ ଏହାକୁ ଅମ୍ପାୟାର ଗ୍ରହଣ କରି ନଥିଲେ। ଏଥିରେ ରାଗି ଯାଇ ପନ୍ତ ଅମ୍ପାୟାରଙ୍କ ସାମ୍ନାରେ ହିଁ ବଲକୁ ତଳେ ବେଧଡ଼କ ଅନ୍ଦାଜରେ ଫିଙ୍ଗି ଦେଇଥିଲେ।
ଖେଳ ଶେଷ ପରେ ମ୍ୟାଚ୍ ରେଫରୀ ରିଚି ରିଚାର୍ଡସନ ଏହାକୁ ଗୁରୁତ୍ୱର ସହ ନେଇ ପନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରସ୍ତାବ ଦେଇଥିଲେ। ନିଜର ଅପରାଧକୁ ପନ୍ତ ଗ୍ରହଣ କରି ନେଇଥିବାରୁ ଏହାର ବିଧିବଦ୍ଧ ଶୁଣାଣିର ଆବଶ୍ୟକ ପଡ଼ିନାହିଁ।
ପନ୍ତଙ୍କ ବିରୋଧରେ ଆଚରଣ ବିଧିର ଉଲ୍ଲଙ୍ଘନ ଦୁଇ ଅନଫିଲ୍ଡ ଅମ୍ପାୟାର କ୍ରିସ ଗାଫାନୀ ଓ ପଲ ରେଇଫଲଙ୍କ ସମେତ ତୃତୀୟ ଅମ୍ପାୟାର ଶର୍ଫୁଦୌଲା ଇବନେ ଶାହିଦ ଓ ୪ର୍ଥ ଅମ୍ପାୟାର ମାଇକ ବର୍ନସ ଆଣିଥିଲେ।
ସାଧାରଣ ଲେଭଲ ୧ ଅପରାଧ ପାଇଁ ଖେଳାଳିଙ୍କୁ ତାଗିଦ କରାଯିବା ସହ ତାଙ୍କ ମ୍ୟାଚ୍ ଫି’ ୫୦% କାଟ କରାଯାଏ। ସେହିପରି ତାଙ୍କୁ ଗୋଟିଏ କିମ୍ବା ୨ଟି ଡିମେରିଟ ପଏଣ୍ଟ ମିଳେ। କିନ୍ତୁ ପନ୍ତଙ୍କ ମ୍ୟାଚ୍ ଫି’ କଟା ଯାଇ ନାହିଁ। ତାଙ୍କୁ କେବଳ ତାଗିଦ ସହ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି।