ଏଟିଏମ୍‌ ଲୁଟ୍‌ର ୨୪ଘଣ୍ଟା ଭିତରେ ଲୁଟେରା ଗିରଫ: ଚୋର କିଏ ଜାଣି ବ୍ୟାଙ୍କ ହେଲା ଆଶ୍ଚର୍ଯ୍ୟ

ସମ୍ବଲପୁର,୧୨ା୩(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ତାଙ୍କଠାରୁ ୧୯ ଲକ୍ଷ ୬୪ ହଜାର ୩୦୦ଟଙ୍କା, ଦୁଇଟି ମୋବାଇଲ ଫୋନ, ଗୋଟିଏ ସ୍କୃଡ୍ରାଇଭର ଜବତ କରାଯାଇଛି। ଲୁଟେରା ଏଟିଏମ୍‌ ପରିଚାଳନା ସଂସ୍ଥାର ବୈଷୟିକ କର୍ମଚାରୀ ସୁମନ୍‌ ସାହୁ(୨୫)। ତାଙ୍କ ଘର ସମ୍ବଲପୁର ଜିଲା ଯୁଯୁମୁରା ଥାନା ଟାମ୍ପରଗଡ଼ ଗ୍ରାମରେ। ଲୁଟ୍‌ର ୨୪ଘଣ୍ଟା ଭିତରେ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ୍‌ ଟଙ୍କା ଜବତ ହେବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। […] The post ଏଟିଏମ୍‌ ଲୁଟ୍‌ର ୨୪ଘଣ୍ଟା ଭିତରେ ଲୁଟେରା ଗିରଫ: ଚୋର କିଏ ଜାଣି ବ୍ୟାଙ୍କ ହେଲା ଆଶ୍ଚର୍ଯ୍ୟ appeared first on Dharitri Odia News.

ଏଟିଏମ୍‌ ଲୁଟ୍‌ର ୨୪ଘଣ୍ଟା ଭିତରେ ଲୁଟେରା ଗିରଫ: ଚୋର କିଏ ଜାଣି ବ୍ୟାଙ୍କ ହେଲା ଆଶ୍ଚର୍ଯ୍ୟ

ସମ୍ବଲପୁର,୧୨ା୩(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ତାଙ୍କଠାରୁ ୧୯ ଲକ୍ଷ ୬୪ ହଜାର ୩୦୦ଟଙ୍କା, ଦୁଇଟି ମୋବାଇଲ ଫୋନ, ଗୋଟିଏ ସ୍କୃଡ୍ରାଇଭର ଜବତ କରାଯାଇଛି। ଲୁଟେରା ଏଟିଏମ୍‌ ପରିଚାଳନା ସଂସ୍ଥାର ବୈଷୟିକ କର୍ମଚାରୀ ସୁମନ୍‌ ସାହୁ(୨୫)। ତାଙ୍କ ଘର ସମ୍ବଲପୁର ଜିଲା ଯୁଯୁମୁରା ଥାନା ଟାମ୍ପରଗଡ଼ ଗ୍ରାମରେ। ଲୁଟ୍‌ର ୨୪ଘଣ୍ଟା ଭିତରେ ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ୍‌ ଟଙ୍କା ଜବତ ହେବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲା ପୋଲିସ ମୁଖ୍ୟାଳୟରେ ବୁଧବାର ଅପରାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁସାରେ, ସମ୍ବଲପୁର ସହର ନୟାପଡ଼ାସ୍ଥିତ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ବଜାର ଶାଖା ପ୍ରବନ୍ଧକ ମନୋଜ କୁମାର ମହାନନ୍ଦ ବୁଧବାର ଟାଉନ ଥାନାରେ ତାଙ୍କ ଶାଖା ସଂଲଗ୍ନ ଏଟିଏମ୍‌ରୁ ଟଙ୍କା ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ। ଏତଲାରେ ମାର୍ଚ୍ଚ ୧୧ ତାରିଖ ସକାଳ ୭ଟା୫ରେ ତାଙ୍କ ବ୍ୟାଙ୍କର ହାଇଦ୍ରାବାଦସ୍ଥିତ ଇ-ସର୍ଭିଲାନ୍ସ ଟିମ୍‌ ପକ୍ଷରୁ ଉକ୍ତ ଏଟିଏମ୍‌ର ଚେଷ୍ଟ ଡୋରକୁ ସକାଳ ୫ଟା୧୩ରେ ଅନଧିକୃତ ଭାବେ ଖୋଲାଯାଇ ଟଙ୍କା ଚୋରି ସମ୍ପର୍କରେ ସୂଚନା ମିଳିଥିବା ଜଣାଇଥିଲେ। ସେ ଏଟିଏମ୍‌ ପରିଦର୍ଶନ କରି ସେଥିରୁ ଟଙ୍କା ଚୋରି ହୋଇଥିବା ନିଶ୍ଚିତ ହୋଇଥିଲେ ବୋଲି ଦର୍ଶାଇଥିଲେ।

ଏତଲାକୁ ଆଧାର କରି ଟାଉନ ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୩୦୫(ଏ)ରେ ଏକ ମାମଲା(ନଂ. ୬୮/୨୫)ରୁଜୁ କରି ପୋଲିସ ତନାଘନା ଆରମ୍ଭ କରିଥିଲା। ଟାଉନ ଥାନା ତଦନ୍ତକାରୀ ଦଳ ଏଟିଏମ୍‌ରେ ଲାଗିଥିବା ସିସି ଟିଭି ଫୁଟେଜ୍‌ ଅନୁଧ୍ୟାନ କରିଥିଲେ। ଏହା ସହ ଅନ୍ୟାନ୍ୟ ସୂତ୍ର ସହାୟତାରେ ଲୁଟେରା ସୁମନ୍‌ଙ୍କ ନିକଟରେ ପୋଲିସ ପହଞ୍ଚତ୍ଥିଲା। ସୁମନ୍‌ଙ୍କୁ ଥାନାକୁ ଆଣି ପଚରାଉଚରା ପରେ ସେ ଏଟିଏମ୍‌ ଲୁଟ୍‌ କରିଥିବା ମାନି ଯାଇଥିଲେ। ପୋଲିସ ତାଙ୍କ ଘରୁ ଲୁଟ୍‌ ଟଙ୍କା ଉଦ୍ଧାର କରିଥିବା ଆରକ୍ଷୀ ଅଧୀକ୍ଷକ ଭାମୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏଟିଏମ୍‌ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ଅଧୀନରେ କାର୍ଯ୍ୟ କରି ଏଟିଏମ୍‌ ଖୋଲିବା, ଟଙ୍କା ଭରିବା ଆଦି କାର୍ଯ୍ୟରେ ବୈଷୟିକ ଭାବେ ନିପୁଣ ସୁମନ୍‌ଙ୍କ ପାଇଁ ଏଟିଏମ୍‌ ଚେଷ୍ଟଡୋର ଖୋଲି ଟଙ୍କା ଚୋରି କରିବା ସହଜ ହୋଇଥିଲା। ତେବେ ଏଟିଏମ୍‌ ଲୁଟ୍‌ରେ ସେ ଏକାକୀ ନା ତାଙ୍କ ସହିତ ଅନ୍ୟ କିଏ ସମ୍ପୃକ୍ତ ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଆରକ୍ଷୀ ଅଧୀକ୍ଷକ ଭାମୁ କହିଛନ୍ତି। ପୋଲିସ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ତାଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

The post ଏଟିଏମ୍‌ ଲୁଟ୍‌ର ୨୪ଘଣ୍ଟା ଭିତରେ ଲୁଟେରା ଗିରଫ: ଚୋର କିଏ ଜାଣି ବ୍ୟାଙ୍କ ହେଲା ଆଶ୍ଚର୍ଯ୍ୟ appeared first on Dharitri Odia News.