ଏତେ ବହପ; ଚୋରି କରିବା ପାଇଁ ଟ୍ରକ୍‌ ଧରି ଯାଉଥିଲେ

ମଙ୍ଗଳବାର ରାତିରେ ଗୋଟିଏ ୧୨ ଚକିଆ ଟ୍ରକ୍‌ ମୁଖ୍ୟ ରାସ୍ତା ଭାଙ୍ଗି ବାଲିଶର ଗାଁ ରାସ୍ତା ଦେଇ ଭୀମକାଣ୍ଡ ଅଭିମୁଖେ ପଳାଇ ଯାଉଥିଲା। ଠିକ୍‌ ସେହି ସମୟରେ ସ୍ଥାନୀୟ ଲୋକେ ଟ୍ରକଙ୍କୁ ଅଟକାଇ ଦେଇଥିଲେ। ଟ୍ରକ୍‌ ଅଟକିବା ପରେ ୪ ଜଣ ଲୋକ ଦୌଡ଼ି ପଳାଇଥିଲେ।

ଏତେ ବହପ; ଚୋରି କରିବା ପାଇଁ ଟ୍ରକ୍‌ ଧରି ଯାଉଥିଲେ

ଏତେ ବହପ। ଇଟା ଫ୍ୟାକ୍ଟ୍ରୀରୁ ଚୋରି କରିବା ପାଇଁ ଟ୍ରକ୍ ଧରି ଯାଉଥିଲେ ୧୨ ଦୁର୍ବୃତ୍ତ। ହେଲେ ଗାଁ ଲୋକେ ମାଡ଼ି ବସିଲେ। ଆଉ ଅନ୍ଧାର ରାତିରେ ବହେ ନାଦିଲେ। ମଙ୍ଗଳବାର ରାତିରେ ଏପରି ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ୮ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତେଲକୋଇ ଥାନା ନୂଆଗାଁରେ ରହିଛି ଗୋଟିଏ ଇଟା ଫ୍ୟାକ୍ଟ୍ରି। ଦୁଇ ଦିନ ତଳେ ସେହି ଇଟା ଫ୍ୟାକ୍ଟ୍ରିରୁ ଚୋରି ହେଉଥିଲା। ଦୁର୍ବୃତ୍ତମାନେ ଲୁହା ରଡ୍‌ ଓ ଅନ୍ୟାନ୍ୟ ସମଗ୍ରରୁ ଲୁଟି ନେଉଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଲୁଟେରାଙ୍କ ପତ୍ତା ପାଉନଥିଲେ।

ମଙ୍ଗଳବାର ରାତିରେ ଗୋଟିଏ ୧୨ ଚକିଆ ଟ୍ରକ୍‌ ମୁଖ୍ୟ ରାସ୍ତା ଭାଙ୍ଗି ବାଲିଶର ଗାଁ ରାସ୍ତା ଦେଇ ଭୀମକାଣ୍ଡ ଅଭିମୁଖେ ପଳାଇ ଯାଉଥିଲା। ଠିକ୍‌ ସେହି ସମୟରେ ସ୍ଥାନୀୟ ଲୋକେ ଟ୍ରକଙ୍କୁ ଅଟକାଇ ଦେଇଥିଲେ। ଟ୍ରକ୍‌ ଅଟକିବା ପରେ ୪ ଜଣ ଲୋକ ଦୌଡ଼ି ପଳାଇଥିଲେ। ତେବେ ଟ୍ରକରେ ଥିବା ୮ ଜଣ ଚୋରଙ୍କୁ ଗାଁ ଲୋକେ କାବୁ କରି ନେଇଥିଲେ। ଆଉ ଉତ୍ତମ ମାଧ୍ୟମ ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କ କବଳରୁ ୮ ଅଭିଯୁକ୍ତଙ୍କୁ ଉଦ୍ଧାର କରିଥିଲା।

ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର ହୋଇଥିବା ୮ ଅଭିଯୁକ୍ତ ହେଲେ- ଢେଙ୍କାନାଳ ଜିଲ୍ଲା ଗଡ଼ପଳାଶୁଣୀ ଗାଁର ଗୋଲଖ ପ୍ରଧାନ, ସୁରେଶ ସାମଲ, ପବିତ୍ର କିଶାନ, ଗୌତମ ସିଂ ଜିତେନ୍ଦ୍ର ବିଶ୍ୱାଳ, ସନ୍ତୋଷ ସ୍ୱାଇଁ, ନରେଶ ସାମଲ ଓ ମନୋଜ ପ୍ରଧାନ। ସେମାନଙ୍କ ଭିତରୁ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୨ଜଣକୁ ଥାନାରେ ରଖି ପୁଲିସ ପଚାର ଉଚରା କରୁଛି। ଫେରାର ୪ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି। ଏଥିସହ ଟ୍ରକଙ୍କୁ ଜବତ କରିଛି ପୁଲିସ୍‌। ଲୁଟ୍‌ ସାମଗ୍ରୀ ଉଦ୍ଧାର କରିବା ପାଇଁ ତେଲକୋଇ ପୁଲିସ୍‌ ଢେଙ୍କାନାଳ ଜିଲ୍ଲା ମହାବୀର ରୋଡ୍‌ ଅଭିମୁଖେ ଯାଇଥିବା ଜଣାପଡ଼ିଛି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ