ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି
ପୁରୀ : ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ। ସମୟ କମ୍ ଥିବାରୁ ଭିଡ଼ ନିୟନ୍ତ୍ରଣ ନେଇ ଏହି ନିଷ୍ପତ୍ତି ନିଆଯାଇଛି।ଏବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ, ରଥଯାତ୍ରା ଏକାଠି ପଡୁଛି। ଏଣୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନବଯୌବନ ଦର୍ଶନ ବନ୍ଦ ସହ ପହଣ୍ଡି ଟିକେଟ୍ ମଧ୍ୟ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇଛି। ଏଥି ସହିତ ସେହିଦିନ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ମଧ୍ୟ ମନା କରାଯାଇଛି। ସୋମବାର ଅନୁଷ୍ଠିତ ନୀତି ସବ୍-କମିଟି ଏବଂ ଛତିଶା […]

ପୁରୀ : ଏଥର ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ। ସମୟ କମ୍ ଥିବାରୁ ଭିଡ଼ ନିୟନ୍ତ୍ରଣ ନେଇ ଏହି ନିଷ୍ପତ୍ତି ନିଆଯାଇଛି।ଏବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ, ରଥଯାତ୍ରା ଏକାଠି ପଡୁଛି। ଏଣୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନବଯୌବନ ଦର୍ଶନ ବନ୍ଦ ସହ ପହଣ୍ଡି ଟିକେଟ୍ ମଧ୍ୟ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇଛି। ଏଥି ସହିତ ସେହିଦିନ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ମଧ୍ୟ ମନା କରାଯାଇଛି।
ସୋମବାର ଅନୁଷ୍ଠିତ ନୀତି ସବ୍-କମିଟି ଏବଂ ଛତିଶା ନିଯୋଗର ଯୁଗ୍ମ ବୈଠକରେ ରଥଯାତ୍ରାଠୁ ନୀଳାଦ୍ରି ବିଜେ ଯାଏ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବ୍ୟବସ୍ଥାବଳୀରେ ମୋହର ବାଜିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ଛତିଶା ନିଯୋଗ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଉପରେ ପରିଚାଳନା କମିଟି ବୈଠକରେ ମୋହର ଲାଗିଛି । ଚଳିତ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରାରେ ନୀତିକାନ୍ତି ଅନୁଷ୍ଠିତ ହେବ।
ଏବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା। ତେଣୁ ଏ ଦୃଷ୍ଟିରୁ ଏବର୍ଷର ରଥଯାତ୍ରା ବିରଳ। ତେଣୁ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୁରୂପେ ସମ୍ପାଦନ କରାଯିବ, ସେନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।
ଏ ବର୍ଷ ଅଣସର ୧୩ ଦିନିଆ ପକ୍ଷ ପଡ଼ିଛି। ତେଣୁ ରଥଯାତ୍ରା ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ ତାରିଖରେ ପଟିଦିଅଁଙ୍କଠାରୁ ରଥଖଳାକୁ ଆଜ୍ଞାମାଳ ବିଜେ ହେବ। ସେହିଦିନ ରଥଖଳାରୁ ତିନିରଥକୁ ସିଂହଦ୍ୱାର ସମ୍ମୁଖକୁ ନିଆଯିବ। ୬ ତାରିଖ ରାତି ୨ଟାରେ ଦ୍ୱାରଫିଟି ନେତ୍ରୋତ୍ସବ ନୀତି ହେବ। ରାତି ୨ଟାରେ ହେବ ମଙ୍ଗଳ ଆଳତି। ଏହାପରେ ମଇଲମ, ଅବକାଶ, ଦଶାବତାର ଠାକୁର ବାହୁଡା ବିଜେ ଆଦି ନୀତିକାନ୍ତି କରାଯାଇ ୭ ତାରିଖ ସକାଳ ୬ରୁ ୭ଟା ମଧ୍ୟରେ ଗୋପାଳବଲ୍ଲଭ ଓ ଘଣ୍ଟଛତା ସକାଳ ଧୂପ (ଖେଚୁଡି ଭୋଗ) ସରିବ। ସକାଳ ସାଢ଼େ ୭ରୁ ମଧ୍ୟାହ୍ନ ସାଢ଼େ ୧୨ଟା ମଧ୍ୟରେ ଶ୍ରୀଅଙ୍ଗରେ ସେନାପଟା ଲାଗି ହେବ। ପୂର୍ବାହ୍ନ ୧୧ଟାରେ ରଥ ପ୍ରତିଷ୍ଠା, ଅପରାହ୍ଣ ୧ଟାରେ ମଙ୍ଗଳାର୍ପଣ ହୋଇ ୧ଟା ୧୦ରେ ଆରମ୍ଭ ହେବ ପହଣ୍ଡି। ୧ଘଣ୍ଟା ୨୦ ମିନିଟ୍ ମଧ୍ୟରେ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଶେଷ କରାଯିବାକୁ ସମୟ ନିର୍ଘଣ୍ଟ ହୋଇଛି। ଅର୍ଥାତ୍ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ସରିବ। ୩ଟା ମଧ୍ୟରେ ମଦନମୋହନ, ରାମ ଓ କୃଷ୍ଣଙ୍କୁ ରଥରେ ବିଜେ କରାଯିବ। ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ସାଢ଼େ ୪ଟା ସୁଦ୍ଧା ଚାରମାଳ ଫିଟାଯାଇ ଘୋଡ଼ା ଓ ସାରଥି ଲାଗିବେ। ଏହାପରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।
ସେହିପରି ବୈଠକରେ ଜୁଲାଇ ୧୫ ତାରିଖ ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ହୋଇଛି। ମଧ୍ୟାହ୍ନ ୧୨ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ସାଢ଼େ ୨ଟାରେ ପହଣ୍ଡି ଶେଷ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ଶେଷ ହୋଇ ଅପରାହ୍ଣ ୪ଟାରେ ରଥଟଣା ଯିବ। ୧୭ ତାରିଖ ଅପରାହ୍ଣ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ। ୧୮ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ। ଜୁଲାଇ ୧୯ ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି।