ଏପଟେ ଶପଥ ନେଉଥିଲେ ମୋଦି, ସେପଟେ ଜଳିଗଲା ବିଜେପି ପାର୍ଟି ଅଫିସ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ମାତ୍ରେ ବିଭିନ୍ନ ସହରରେ ବିଜେପି କର୍ମୀମାନେ ଆତସବାଜି କରି ଉତ୍ସବ ପାଳନ କରିଥିଲେ, ଏହି ସମୟରେ ବିଜେପି କାର୍ଯ୍ୟାଳୟରେ ହଠାତ୍ ଲାଗିଯାଇଥିଲା ନିଆଁ।
ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଗୋଟିଏ ପଟେ ମୋଦିଙ୍କ ଶପଥ ଉତ୍ସବ ଚାଲିଥିବା ଆଉ ଗୋଟିଏ ପଟେ ଘଟିଥିଲା ଅଘଟଣ। ହୁ ହୁ ହୋଇ ଜଳି ଉଠିଥିଲା ବିଜେପି ପାର୍ଟି ଅଫିସ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ମାତ୍ରେ ବିଭିନ୍ନ ସହରରେ ବିଜେପି କର୍ମୀମାନେ ଉତ୍ସବ ପାଳନ କରିଥିଲେ। ସେହିଭଳି ଇନ୍ଦୋରରେ ମଧ୍ୟ ଆତସବାଜି କରି ଉତ୍ସବ ପାଳନ କରାଯାଉଥିଲା, କିନ୍ତୁ ଏହି ସମୟରେ ଆତସବାଜି କାରଣରୁ ବିଜେପି କାର୍ଯ୍ୟାଳୟରେ ହଠାତ୍ ଲାଗିଯାଇଥିଲା ନିଆଁ।
ଇନ୍ଦୋରରେ ଥିବା ବିଜେପି କାର୍ଯ୍ୟାଳୟର ଉପର ମହଲାରେ ସୋଫାରେ ବାଣ ନିଆଁ ପଡି ଅଗ୍ନିକାଣ୍ଡ ଘଟିଥିଲା। ଦେଖୁ ଦେଖୁ ଏହା ପୂରା ଫ୍ଲୋରକୁ ବ୍ୟାପି ଯାଇଥିଲା। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘଟଣା ବେଳେ ଅନେକ ବିଜେପି କର୍ମୀ ପାର୍ଟି ଅଫିସ୍ ଭିତରେ ଥିଲେ। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ନିଆଁ ଲାଗିବା ସୂଚନା ପାଇବା ପରେ ତୁରନ୍ତ ସେମାନେ ବହାରକୁ ଚାଲି ଆସିଥିଲେ।
ବିଜେପି କାର୍ଯ୍ୟାଳୟର ଉପର ଫ୍ଲୋର୍ରେ ଦଳୀୟ ପତକା ଓ ଫର୍ଣ୍ଣିଚର ସାମାନ ରଖାଯାଇଥିଲା। ନିଆଁ ଲାଗିବା ଯୋଗୁ ଏସବୁ ପୋଡି ପାଉଁଶ ହୋଇଯାଇଥିବା ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି।