ଏଫ୍‌ଏକ୍ୟୁ ମାନର ଧାନ କିଣାକୁ ନେଇ ଚିନ୍ତାରେ ଚାଷୀ, ମିଲର

ରାୟଗଡ଼ା,୨୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଧାନମଣ୍ଡି ଆରମ୍ଭ ହୋଇ ୧୦ ଦିନ ବିତିଯାଇଥିଲେ ମଧ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଅନ୍ୟପଟେ ଦାଉ ସାଧୁଛି ଅଦିନିଆ ବର୍ଷା। ଗତ ୨ ଦିନ ହେଲା ବର୍ଷା ଯୋଗୁ ବର୍ଷକର ଉତ୍ପାଦିତ ଫସଲ ପାଣିରେ ଓଦା ହୋଇ ନଷ୍ଟହେବାକୁ ବସିଲାଣି। ସେପଟେ ଖଳାରେ ପାଣି ଜମି ରହିଥିବାରୁ ଚାଷୀ ବାଧ୍ୟ ହୋଇ ଓଦା ଧାନକୁ ରାସ୍ତା ଉପରେ ପକାଇ […] The post ଏଫ୍‌ଏକ୍ୟୁ ମାନର ଧାନ କିଣାକୁ ନେଇ ଚିନ୍ତାରେ ଚାଷୀ, ମିଲର appeared first on Dharitri Odia News.

ଏଫ୍‌ଏକ୍ୟୁ ମାନର ଧାନ କିଣାକୁ ନେଇ ଚିନ୍ତାରେ ଚାଷୀ, ମିଲର

ରାୟଗଡ଼ା,୨୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଧାନମଣ୍ଡି ଆରମ୍ଭ ହୋଇ ୧୦ ଦିନ ବିତିଯାଇଥିଲେ ମଧ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଅନ୍ୟପଟେ ଦାଉ ସାଧୁଛି ଅଦିନିଆ ବର୍ଷା। ଗତ ୨ ଦିନ ହେଲା ବର୍ଷା ଯୋଗୁ ବର୍ଷକର ଉତ୍ପାଦିତ ଫସଲ ପାଣିରେ ଓଦା ହୋଇ ନଷ୍ଟହେବାକୁ ବସିଲାଣି। ସେପଟେ ଖଳାରେ ପାଣି ଜମି ରହିଥିବାରୁ ଚାଷୀ ବାଧ୍ୟ ହୋଇ ଓଦା ଧାନକୁ ରାସ୍ତା ଉପରେ ପକାଇ ଶୁଖାଇବାକୁ ଚେଷ୍ଟା କରୁଛନ୍ତି। ଜିଲାରେ ଧାନ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏଫ୍‌ଏକ୍ୟୁ ମାନର ଧାନକୁ ନେଇ ଚିନ୍ତାରେ ଚାଷୀ ଓ ମିଲର। ଚାଷୀ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବାକୁ ସରକାର ପକ୍ଷରୁ କୁହାଯାଇଛି। ତେବେ ଜିଲାର ସମସ୍ତ ଚାଷୀ କ’ଣ ଏଫ୍‌ଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବେ କି ବୋଲି ମିଲର୍ସମାନେ ପ୍ରଶ୍ନ କରୁଛନ୍ତି। ସେପଟେ ଚାଷୀ ଏଫ୍‌ଏକ୍ୟୁ ମାନର ଧାନ ଦେଲେ ସେହି ଧାନ ମିଲିଂକରି ଚାଉଳ ଦେବେ ବୋଲି କହି ୨୦ଜଣ ବଡ ମିଲର ଚୁକ୍ତି କରିନାହାନ୍ତି। ଯେଉଁ ମିଲର ଚୁକ୍ତି କରିଛନ୍ତି ସେମାନେ ମଧ୍ୟ ବର୍ତ୍ତମାନ ସନ୍ଦେହ ଭିତରେ ଅଛନ୍ତି। ଏଫ୍‌ଏକ୍ୟୁ ମାନର ଧାନ ମଣ୍ଡିକୁ ନ ଆସିଲେ ସେମାନେ କିଭଳି ଚାଉଳ ପ୍ରଦାନ କରିବେ।
ଜିଲାରେ ଚଳିତବର୍ଷ ୯ ଲକ୍ଷ ୪୩ ହଜାର ୭୦୧କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ସମଗ୍ର ଜିଲାରେ ୧୩ଟି ଲ୍ୟାମ୍ପ୍‌ସ ଓ ଗୋଟିଏ ଏମ୍‌ପିସିଏସ୍‌ ଧାନ ସଂଗ୍ରହ ପାଇଁ ସରକାରଙ୍କ ଅନୁମତି ପାଇଛନ୍ତି। ୪୩ଟି ମଣ୍ଡିରେ ଏହି ଧାନ କିଣିବା ନିମନ୍ତେ ନିଷ୍ପତ୍ତି ହୋଇଛି। କିନ୍ତୁ ବିଡମ୍ବନାର ବିଷୟ ମାତ୍ର ୯ଟି ମଣ୍ଡିରେ ହିଁ ଗତ ୧୦ ଦିନ ମଧ୍ୟରେ ଧାନ କିଣା ହୋଇଛି। ୨୦ ହଜାର ୫୦୪ ଜଣ ଚାଷୀ ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ମାତ୍ର ୧୦୯ ଜଣ ଚାଷୀଙ୍କଠାରୁ ଆଜି ସୁଦ୍ଧା ମାତ୍ର ୬ ହଜାର ୪୦୨ କେଜି ଧାନ କିଣାଯାଇଛି। ତେବେ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ମିଲର ସହଯୋଗ କରୁ ନ ଥିବା ଅଭିଯୋଗ ହେଉଛି। ମିଲରମାନେ ବିଭିନ୍ନ ଦାବି ସମ୍ପର୍କରେ ସରକାରଙ୍କୁ ପୂର୍ବରୁ ଅବଗତ କରାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସେମାନେ ଧାନ କିଣାରେ ଅସହଯୋଗ ଜାରି ରଖିଥିବା କହିଛନ୍ତି। ଯୋଗାଣ ବିଭାଗ ମଧ୍ୟ ଡିସେମ୍ବର ପ୍ରଥମ ସପ୍ତାହରେ ଯେଉଁଭଳି ପଦକ୍ଷେପ ଗ୍ରହଣ କରିବା କଥା ତାହା କରିଲା ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ତେବେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ସରକାରଙ୍କ ଧାନ ସଂଗ୍ରହ ନୀତିକୁ ନିନ୍ଦା କରିଛନ୍ତି। ଏଫ୍‌ଏକ୍ୟୁ ମାନର ଧାନ ଉତ୍ପାଦନ ଭଳି ବିହନ କୃଷି ବିଭାଗ ପ୍ରଦାନ କରିଥିଲା କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଛନ୍ତି। ଏହିସବୁ ଦ୍ୱନ୍ଦ୍ୱ ଭିତରେ ଧାନ ସଂଗ୍ରହ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥୀ ସୋରେନଙ୍କୁ ପଚାରିବାରୁ ବର୍ଷା କାରଣରୁ ଧାନ ସଂଗ୍ରହ ବିଳମ୍ବ ହୋଇଥିଲା। ଏବେ ମିଲରମାନେ ସମସ୍ତ ଧାନ ଗ୍ରହଣ କରିବେ ଓ ଚାଷୀ ମଧ୍ୟ ନିଜର ଧାନ ବିକ୍ରି କରିବେ ବୋଲି କହିଛନ୍ତି।

The post ଏଫ୍‌ଏକ୍ୟୁ ମାନର ଧାନ କିଣାକୁ ନେଇ ଚିନ୍ତାରେ ଚାଷୀ, ମିଲର appeared first on Dharitri Odia News.