ଏବେ ଭାରତର ଶରଣ ପଶିଲେ, ତାପରେ ଲଣ୍ଡନରେ ନେବେ ଆଶ୍ରୟ !
ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ଭାରତକୁ ଆସିଛନ୍ତି।
ଭାରତରେ ଶେଖ୍ ହାସିନା। ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ଦେଶ ଛାଡ଼ି ନୂଆଦିଲ୍ଲୀ ଆସିଛନ୍ତି। ବାଂଲାଦେଶ ବାୟୁସେନାର C-130 ବିମାନ ଢାକାରୁ ଆସି ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ଓହ୍ଲାଇଥିଲା। ସେଥିରେ ଶେଖ୍ ହାସିନା ଏବଂ ତାଙ୍କ ଭଉଣୀ ଭାରତ ଆସିଛନ୍ତି। ସେମାନେ ଭାରତରେ କିଛି ଦିନ ରହିପାରନ୍ତି ଏବଂ ବ୍ରିଟେନରେ ଶରଣ ନେବାକୁ ଆବେଦନ କରିପାରନ୍ତି ବୋଲି ଅନୁମାନ କରାଯାଉଛି।
ହାସିନାଙ୍କ ଭଉଣୀ ରିହାନାଙ୍କର ବ୍ରିଟେନ୍ ନାଗରିକତା ରହିଛି। ତାଙ୍କ ସହ ଲଣ୍ଡନ ଯାଇ ସେଠାରେ ଶରଣ ନେଇପାରନ୍ତି ଶେଖ୍ ହାସିନା। ସେପଟେ ଦିଲ୍ଲୀ ସ୍ଥିତ ବାଂଲାଦେଶ ଦୂତାବାସ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି । ଭାରତ-ବାଂଲାଦେଶ ସୀମାରେ ବିଏସ୍ଏଫ୍ କୁ ମଧ୍ୟ ହାଇ-ଆଲର୍ଟରେ ରଖାଯାଇଛି ।
ସୂଚନାଯୋଗ୍ୟ, ବାଂଲାଦେଶରେ ସରିଯାଇଛି ହାସିନା ଯୁଗ ! ସତ୍ତା ପଲଟ୍ ପରେ ସେନା ହାତରେ କ୍ଷମତା । ଖାଲି ପିଏମ୍ ପଦ ନୁହେଁ, ଦେଶ ବି ଛାଡ଼ିଦେଲେ ଶେଖ୍ ହାସିନା । ଅତି ଗୁପ୍ତ ଭାବେ ଦେଶ ଛାଡ଼ିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା । ହଜାର ହଜାର ଆନ୍ଦୋଳନକାରୀ ପିଏମ୍ ପ୍ୟାଲେସ 'ବଙ୍ଗଭବନ' ଆଡ଼କୁ ମାଡ଼ି ଆସିବା ପରେ, ଢାକାରେ ନିଜକୁ ଅସୁରକ୍ଷିତ ମନେ କରି ସେ ଦେଶ ଛାଡ଼ିଛନ୍ତି। ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ଭାରତକୁ ଆସିଛନ୍ତି।
ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ଏବଂ ଦେଶବ୍ୟାପୀ ହିଂସାରେ ୩ଶହ ଜଣଙ୍କ ମୃତ୍ୟୁ ହେବା ପରେ, ଅଣାୟତ୍ତ ହୋଇପଡ଼ିଥିଲା ବାଂଲାଦେଶର ଅରାଜକ ସ୍ଥିତି। ଶେଷରେ ଆନ୍ଦୋଳନକାରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ପ୍ରଧାନମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ଏହି ୭୬ ବର୍ଷୀୟା ନେତ୍ରୀ। ଦେଶ ଛାଡ଼ିବା ପୂର୍ବରୁ ଶେଖ୍ ହସିନା ଦେଶବାସୀଙ୍କୁ ସମ୍ବୋଧିତ କରିବା ପାଇଁ ବାର୍ତ୍ତା ରେକର୍ଡ କରିବାର ଥିଲା । କିନ୍ତୁ ସେତକ ବି କରିବାକୁ ଦେଇନଥିଲେ ଆନ୍ଦୋଳନକାରୀ । ପଦ ସହ ଦେଶ ଛାଡ଼ିବା ପାଇଁ ସେନା ତାଙ୍କୁ ୪୫ ମିନିଟର ନୋଟିସ୍ ଦେଇଥିଲା ବୋଲି କୁହାଯାଉଛି।
ବାଂଲାଦେଶରେ ବଡ଼ ହଲଚଲ। ପ୍ରଧାନମନ୍ତ୍ରୀ ପଦ ସହ ଦେଶ ଛାଡ଼ିଲେ ଶେଖ୍ ହାସିନା। ମହଙ୍ଗା ପଡ଼ିଲା ନିଯୁକ୍ତିରେ ମୁକ୍ତିଯୋଦ୍ଧାଙ୍କ ବଂଶଧର ପାଇଁ ସଂରକ୍ଷଣ ନିଷ୍ପତ୍ତି। #Bangladesh #SheikhHasina pic.twitter.com/gFmARbBPF4 — ଓଟିଭି (@otvkhabar) August 5, 2024
ସେପଟେ ଏହି ସତ୍ତାପଲଟ୍ ପରେ, ଦେଶର କ୍ଷମତାଭାର ନିଜ ହାତକୁ ନେଇଛି ବାଂଲାଦେଶ ସେନା । ସେନା ଦ୍ୱାରା ଗଠିତ ଅନ୍ତରୀଣ ସରକାର ଏଣିକି ଦେଶ ଚଳାଇବ ବୋଲି ଘୋଷଣା କରିଛନ୍ତି ବାଂଲାଦେଶ ସ୍ଥଳସେନା ମୁଖ୍ୟ ୱାକର୍-ଉଜ୍-ଜମାନ୍ । ଏଥିସହ ସେନା ଓ ପୋଲିସକୁ ଲୋକଙ୍କ ଉପରକୁ ଗୁଳି ନଚଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜନୈତିକ ଦଳ ଗୁଡ଼ିକ ସହ ଆଲୋଚନା କରି ମୁଁ ଆପଣଙ୍କ ଧନଜୀବନର ଦାୟିତ୍ୱ ନେଉଛି ଏବଂ ଆପଣଙ୍କ ଦାବି ସଂପର୍କରେ ଉଚିତ ପଦକ୍ଷେପ ନିଆଯିବ । ଆପଣମାନେ ଧୈର୍ଯ୍ୟ ଧରନ୍ତୁ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।