ଏହି ୧୦ ଖେଳାଳିଙ୍କ ପାଇଁ ସ୍ମରଣୀୟ ରହିବ ଆଇପିଏଲ୍‌-୧୭

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଆଇପିଏଲ୍‌ର ୧୭ତମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। ଲିଗ୍‌ ପର୍ଯ୍ୟାୟରେ ପଏଣ୍ଟ ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଥିବା କୋଲକାତା ନାଇଟ୍‌ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ସୌଭାଗ୍ୟକ୍ରମେ ଫାଇନାଲରେ ମଧ୍ୟ ପରସ୍ପରକୁ ଭେଟିଥିଲେ। ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କେକେଆର ଇଣ୍ଡିଆନ୍ ପ୍ରିମିଅର ଲିଗ୍ ୨୦୨୪ ଟ୍ରଫି ଉପରେ କବ୍‌ଜା କରିଛି। ତେବେ  ଆଇପିଏଲ୍‌ର ଏହି ସଂସ୍କରଣ ବହୁ କାରଣ […]

ଏହି ୧୦ ଖେଳାଳିଙ୍କ ପାଇଁ ସ୍ମରଣୀୟ ରହିବ ଆଇପିଏଲ୍‌-୧୭
ipl 2024

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଆଇପିଏଲ୍‌ର ୧୭ତମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି। ଲିଗ୍‌ ପର୍ଯ୍ୟାୟରେ ପଏଣ୍ଟ ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଥିବା କୋଲକାତା ନାଇଟ୍‌ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ସୌଭାଗ୍ୟକ୍ରମେ ଫାଇନାଲରେ ମଧ୍ୟ ପରସ୍ପରକୁ ଭେଟିଥିଲେ। ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କେକେଆର ଇଣ୍ଡିଆନ୍ ପ୍ରିମିଅର ଲିଗ୍ ୨୦୨୪ ଟ୍ରଫି ଉପରେ କବ୍‌ଜା କରିଛି।

ତେବେ  ଆଇପିଏଲ୍‌ର ଏହି ସଂସ୍କରଣ ବହୁ କାରଣ ଲାଗି ସ୍ମରଣୀୟ ରହିବ। ସେଥିମଧ୍ୟରେ କିଛି କ୍ରିକେଟର୍‌ ସେମାନଙ୍କ ପ୍ରତିଭାର ଶ୍ରେଷ୍ଠତ୍ୱ ଦେଖାଇବାରେ ସମର୍ଥ ହୋଇଛନ୍ତି। ଏଭଳି କିଛି କ୍ରିକେଟର୍‌ଙ୍କ ଉପରେ ନଜର ପକାଇବା ଯେଉଁମାନେ ସେମାନଙ୍କ ବ୍ୟାଟିଂ ହେଉ କି ବୋଲିଂ ପ୍ରଦର୍ଶନବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି।

୧- ହର୍ଷଲ ପଟେଲ (୨୪ ୱିକେଟ୍‌): ପଞ୍ଜାବ କିଙ୍ଗ୍‌ସର ଦ୍ରୁତ ବୋଲର ହର୍ଷଲ ପଟେଲ ଆଇପିଏଲ୍‌-୧୭ର ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ଡାହାଣହାତୀ ୟର୍କର ସ୍ପେଶାଲିଷ୍ଟ ୧୪ ମ୍ୟାଚ୍‌ରେ ମୋଟ୍‌ ୪୯ ଓଭର ବୋଲିଂ କରି ସର୍ବାଧିକ ୨୪ ୱିକେଟ୍‌ ନେଇଛନ୍ତି। ସେ ପର୍ପଲ କ୍ୟାପ୍‌ ମଧ୍ୟ ହାସଲ କରିଛନ୍ତି, କିନ୍ତୁ ଏହି ଭଲ ପ୍ରଦର୍ଶନ ସତ୍ତ୍ବେତାଙ୍କ ଦଳ ପ୍ଲେ-ଅଫ୍‌ରୁ ବାଦ ପଡ଼ିଥିଲା।

୨- ବରୁଣ ଚକ୍ରବର୍ତ୍ତୀ (୨୧ ୱିକେଟ୍‌): କୋଲକାତା ନାଇଟ୍‌ ରାଇଡର୍ସର ବରୁଣ ଚକ୍ରବର୍ତ୍ତୀ ତାଙ୍କ ସ୍ପିନ ଯାଦୁରେ ଅନେକ ବ୍ୟାଟର୍‌ଙ୍କୁ ଫଶାଇବାରେ ସମର୍ଥ ହୋଇଥିଲେ। ଏହି ସଂସ୍କରଣରେ ସେ ୧୩ ମ୍ୟାଚ୍‌ରେ ମୋଟ୍‌ ୫୪ ଓଭର ବୋଲିଂ କରି ୨୧ ୱିକେଟ୍‌ ଦଖଲ କରିଛନ୍ତି। କୋଲକାତାକୁ ଫାଇନାଲରେ ପହଞ୍ଚାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା।

୩- ଆଭେସ ଖାନ (୧୯ ୱିକେଟ୍‌): ଆଉ ଜଣେ ଭାରତୀୟ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏହି ଆଇପିଏଲ୍‌ରେ ଦେଖିବାକୁ ମିଳିଥିଲା। ସେ ହେଲେ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଆଭେସ ଖାନ। ଟି-୨୦ ବିଶ୍ୱକପ୍‌ ଲାଗି ଦଳରେ ରିଜର୍ଭ ଖେଳାଳି ତାଲିକାରେ ରହିଥିବା ଆଭେସ ୧୫ ମ୍ୟାଚରେ ମୋଟ୍‌ ୫୪.୫ ଓଭର ବୋଲିଂ କରି ୧୯ ୱିକେଟ୍‌ ନିଜ ନାମରେ ଲିପିବଦ୍ଧ କରିଛନ୍ତି।

୪- ଟି. ନଟରାଜନ (୧୯ ୱିକେଟ): ବାମହାତୀ ଦ୍ରୁତ ବୋଲର ଟି. ନଟରାଜନ ନିଜର ଘାତକ ବୋଲିଂ ବଳରେ ସନରାଇଜର୍ସ ହାଇଦ୍ରାବାଦକୁ ଫାଇନାଲରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନିଭାଇଥିଲେ। ସେ ୧୪ ମ୍ୟାଚରେ ୪୯.୨ ଓଭର ବୋଲିଂ କରି ୨୨.୯୫ ହାରରେ ୧୯ ୱିକେଟ୍‌ ଅକ୍ତିଆର କରିଛନ୍ତି।

୫- ହର୍ଷିତ ରାଣା (୧୯ ୱିକେଟ): କୋଲକାତାର ଡାହାଣହାତୀ ଦ୍ରୁତ ବୋଲର ହର୍ଷିତ ରାଣା ମଧ୍ୟ ବେଶ୍‌ ପ୍ରଭାବୀ ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଫାଇନାଲରେ ୨ ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ସହ ମୋଟ୍‌ ୧୩ ମ୍ୟାଚରୁ ୧୯ଜଣଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

୬- ରିୟାନ ପରାଗ (୫୭୩ ରନ): ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟର୍‌ ରିୟାନ ପରାଗ ଏହି ଆଇପିଏଲ୍‌ରେ ଅଗ୍ରଣୀ ରନ ସଂଗ୍ରହକାରୀ ତାଲିକାର ୩ୟ ସ୍ଥାନରେ ରହିଛନ୍ତି। ସେ ୧୬ ମ୍ୟାଚରେ ୫୨ରୁ ଊର୍ଦ୍ଧ୍ୱ ହାରତରେ ୫୭୩ ରନ କରିଛନ୍ତି।

୭- ଟ୍ରାଭିସ ହେଡ୍‌ (୫୬୭ ରନ): ଆଇପିଏଲ୍‌ର ଏହି ସଂସ୍କରଣରେ ଓପନର୍‌ଙ୍କ ମଧ୍ୟରେ ସବୁଠୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ହାଇଦ୍ରାବାଦର ଟ୍ରାଭିସ ହେଡ୍‌। ଫାଇନାଲ ମୁକାବିଲାରେ ଖାତା ଖୋଲିପାରି ନଥିଲେ ମଧ୍ୟ ଏହି ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟର୍‌ ୧୫ ମ୍ୟାଚରେ ମୋଟ୍‌ ୫୬୭ ରନ କରିଛନ୍ତି।

୮- ଅଭିଷେକ ଶର୍ମା (୪୮୪ ରନ): ହେଡ୍‌ଙ୍କ ସାଥୀ ଓପନର୍‌ ଅଭିଷେକ ଶର୍ମାଙ୍କ ବ୍ୟାଟିଂ ଜଲୱା ମଧ୍ୟ ଏହି ଆଇପିଏଲ୍‌ରେ ଦେଖିବାକୁ ମିଳିଥିଲା। ଅଭିଷେକ ୧୬ ମ୍ୟାଚ୍‌ ଖେଳି ୩୪ରୁ ଊର୍ଦ୍ଧ୍ୱ ରନ ହାରରେ ୪୮୪ ରନ କରିଛନ୍ତି। ହାଇଦ୍ରାବାଦ୍‌କୁ ଫାଇନାଲକୁ ନେବାରେ ହେଡ୍‌ ଓ ଅଭିଷେକ ଯୋଡ଼ିଙ୍କ ଅବଦାନ ଅତୁଳନୀୟ ରହିଥିଲା।

୯- ସୁନିଲ ନାରିନ (୪୮୮ ରନ, ୧୭ ୱିକେଟ): ଏହି ସଂସ୍କରଣରେ କୋଲକାତାର ସୁନିଲ ନାରିନ ସବୁଠୁ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ବିବେଚିତ ହୋଇଛନ୍ତି। ନାରିନ ବ୍ୟାଟିଂରେ ୪୮୮ ରନ କରିଥିବାବେଳେ ବୋଲିଂରେ ୧୭ ୱିକେଟ୍‌ ନିଜ ନାମରେ ଲିପିବଦ୍ଧ କରିଛନ୍ତି।

୧୦- ଋଷଭ ପନ୍ତ (୪୪୬ ରନ): କାର ଦୁର୍ଘଟଣାରୁ ଦେଢ଼ବର୍ଷ ପରେ ପ୍ରତିଦ୍ୱନ୍ଦ୍ୱୀତାମୂଳକ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ମଧ୍ୟ ପ୍ରଭାବୀ ବ୍ୟାଟିଂ କରିଥିଲେ। ୪୦.୫୫ ରନ ହାରରେ ୧୩ ମ୍ୟାଚରେ ୪୪୬ ରନ ନିଜ ନାମରେ ଲିପିବଦ୍ଧ କରିଛନ୍ତି।