ଆଜି ଦେବସ୍ନାନ ପୂର୍ଣ୍ଣିମା : ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁଦେବତା, ଅପରାହ୍ନ ୩ଟା ୪୦ରେ ହାତୀ ବେଶ
ପୁରୀ : ଆଜି ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦୀରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ଦାରୁଦେବତା ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ପୁଣି ହାତୀ ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ସ୍ନାନବେଦୀ ପ୍ରସ୍ତୁତ ଥିବାବେଳେ ସେହି ଦିବ୍ୟ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଆଉ ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ […]

ପୁରୀ : ଆଜି ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦୀରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ଦାରୁଦେବତା ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ କରିବେ ପ୍ରତ୍ୟକ୍ଷ ସ୍ନାନ। ପୁଣି ହାତୀ ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ସ୍ନାନବେଦୀ ପ୍ରସ୍ତୁତ ଥିବାବେଳେ ସେହି ଦିବ୍ୟ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଆଉ ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ।
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଶୁକ୍ରବାର ସେନାପଟା ଲାଗି ଶେଷ ହୋଇଛି। ରତ୍ନସିଂହାସନରେ ଚାରବାଡ଼ ବନ୍ଧା ସରିଥିବାବେଳେ ଭୋର ୫ଟାରୁ ସକାଳ ୭ଟା ମଧ୍ୟରେ ପହଣ୍ଡି ଲାଗି ନୀତି ନିର୍ଘଣ୍ଟ ହୋଇଛି। ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ସ୍ନାନବେଦୀକୁ ଆସିବେ ଜଗତରନାଥ ଶ୍ରୀଜଗନ୍ନାଥ। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ଦାରୁବିଗ୍ରହମାନେ ସ୍ନାନବେଦୀରେ କରିବେ ପ୍ରତ୍ୟକ୍ଷ ସ୍ନାନ। ସୁନା ଗୋସେଇଁ ପରିବାରର ସଦସ୍ୟମାନେ ସୁନାକୂଅରୁ ୧୦୮ ଗଡ଼ୁ ଜଳ ଆଣି ଜଳ ଗୃହରେ ରଖିବେ। ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ। ଅଧିବାସ ଗୃହରୁ ଗରାବଡୁ ସେବକମାନେ ୧୦୮ ଗଡ଼ୁ ଜଳ ନେଇ ୪ଟି ପନ୍ତିରେ ସ୍ନାନବେଦୀରେ ରଖିବେ।
ମଧ୍ୟାହ୍ନ ୧୨ଟା ୨୦ରୁ ସ୍ନାନବିଧି ଆରମ୍ଭ କରାଯିବ। ଜଳ ବିଜେ ଓ ପୂଜା ପରେ ଚତୁର୍ଦ୍ଧାବିଗ୍ରହଙ୍କ ସ୍ନାନ ନୀତି ସମ୍ପନ୍ନ ହେବ। ଶ୍ରୀବଳଭଦ୍ର ୩୩ ଗଡ଼ୁ, ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିବେ। ଅପରାହ୍ନ ୩ଟାରେ ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୩ଟା ୪୦ରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହେବ। ଏହି ବେଶ ଥାଇ ଘଣ୍ଟ ଛତା ସକାଳ ଧୂପ ଭୋଗ ସରିବ। କିନ୍ତୁ ମଙ୍ଗଳ ଆଳତି ସରିବା ପରଠାରୁ ନିରବଚ୍ଛିନ୍ନ ଭାବେ ସ୍ନାନବେଦୀ ସମ୍ମୁଖ ତଳ ର୍ୟାମ୍ପରେ ଭକ୍ତମାନେ ଦର୍ଶନ କରିପାରିବେ।
ସନ୍ଧ୍ୟା ସାଢେ ୭ରୁ ରାତି ସାଢେ ୧୦ଟା ଅର୍ଥାତ୍ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ଉପରକୁ ଯାଇ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ। ରାତି ୧୧ଟାରେ ହାତୀବେଶ ମଇଲମ ହେବ। ଏହାପରେ ପୁଷ୍ପାଞ୍ଜଳି ଓ ଡୋର ଲାଗି ସରିବା ପରେ ମହାପ୍ରଭୁ ସ୍ନାନବେଦୀରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ। ରାତି ସାଢେ ୧୧ଟାରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଶେଷ କରାଯିବା ଲାଗି ସମୟ ନିର୍ଘଣ୍ଟ ହୋଇଛି। ଏହାପରେ ରାତି ସାଢେ ୨ଟାରେ ସୁନାଚିତା ଓ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯିବ। ଆରମ୍ଭ ହେବ ଅଣସର ନୀତି। ସ୍ନାନ ପରେ ଜ୍ୱରରେ ପଡିବେ ମହାପ୍ରଭୁ। ଏହାପରେ ଉପଶମ ପାଇଁ ଚାଲିବ ଉପଚାର। ଦଇତାପତି ସେବକମାନେ ଏହି ଗୁପ୍ତ ସେବା କରିବେ। ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୭ତାରିଖରେ ରଥରେ ବସି ଯିବେ ଜନ୍ମବେଦୀକୁ।
ଦେବସ୍ନାନ ପୂର୍ଣ୍ଣିମା ଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର। ଅନ୍ୟପକ୍ଷରେ ଘୋଷଯାତ୍ରା ବିଧି ଯୋଗୁ ପ୍ରାୟ ମାସେ ପର୍ଯ୍ୟନ୍ତ ରତ୍ନବେଦୀରେ ଆଉ ଦାରୁବିଗ୍ରହଙ୍କ ଦର୍ଶନ ମିଳିବ ନାହିଁ। ତେଣୁ ଶ୍ରୀମନ୍ଦିରରେ ଶୁକ୍ରବାର ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅପରପକ୍ଷେ ଗୁରୁବାର ରାତି ୨ଟା ୫ରେ ଶ୍ରୀମୁଖ ଖଣ୍ଡୁଆ ଏବଂ ୨ଟା ୫୦ରେ ବାହୁଟ କଣ୍ଟ ହୋଇଥିଲା। ରାତି ୩ଟା ୨୦ରେ କୋଠସୁଆଁସିଆମାନେ ଚାରବନ୍ଧାକୁ ପ୍ରବେଶ କରିଥିଲେ। ଶୁକ୍ରବାର ସକାଳ ୮ଟା ୫୫ରେ ଚାରବନ୍ଧା ସରିଥିଲା। ଏହାପରେ ଦଇତାପତି ସେବକମାନେ ସେନାପଟା ଲାଗିକୁ ପ୍ରବେଶ କରିଥିଲେ। ତେଣୁ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଏହାପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା।