ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ୧୪ ଦିନ ରାଜ୍ୟବ୍ୟାପୀ ଚାଲିବ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୧ା୪: ଆଜି ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହିତ ସମଗ୍ର ରାଜ୍ୟରେ ପାଳନ କରାଯାଉଛି। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ। ମୁଖ୍ୟମନ୍ତ୍ରୀ କହିଛନ୍ତି, ”୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ […] The post ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ୧୪ ଦିନ ରାଜ୍ୟବ୍ୟାପୀ ଚାଲିବ କାର୍ଯ୍ୟକ୍ରମ appeared first on Dharitri Odia News.
ଭୁବନେଶ୍ୱର, ୧ା୪: ଆଜି ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହିତ ସମଗ୍ର ରାଜ୍ୟରେ ପାଳନ କରାଯାଉଛି। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ”୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ କରାଯିବ। ଏହି ପକ୍ଷର ପ୍ରତ୍ୟେକ ମୁହୂର୍ତ୍ତ ସବୁ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ନେଇ ପ୍ରେରଣାର ସମୟ ହେଉ । ଓଡ଼ିଆ ପର୍ବ ହେଉ ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିର ଉତ୍ସବ।
ଏହି ସମୟ ମଧ୍ୟରେ ଯେଉଁ ମହାପୁରୁଷ ଓ ମହିୟସୀ ମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ୧୯୩୬ ମସିହାରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ ସମ୍ଭବ ହୋଇଥିଲା, ସେହି ବିନ୍ଧାଣୀ ମାନଙ୍କୁ ଆମେ ସ୍ମରଣ କରିବା ଓ ସମ୍ମାନ ଦେବା। ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ହେଉ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂତନ ଅବସର।”
ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ #ଓଡ଼ିଶାଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡ଼ମ୍ବରର ସହ “ଓଡ଼ିଆ ପକ୍ଷ’ ପାଳନ କରାଯିବ। ଏହା ହେବ ଆମ ମହାନ ଓଡ଼ିଆ ଅସ୍ମିତା, ସାହିତ୍ୟ, ସଂସ୍କୃତି, ପରମ୍ପରା, ନୃତ୍ୟ ଓ ସଙ୍ଗୀତର ଉତ୍ସବ। ଆସନ୍ତୁ ମନ, ପ୍ରାଣ ତଥା ହୃଦୟରୁ ଓଡ଼ିଆ ହେବା। ସ୍ୱାଭିମାନୀ ଓଡ଼ିଆ ଭାବେ… pic.twitter.com/v541qIptsp
— Mohan Charan Majhi (@MohanMOdisha) April 1, 2025
୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ:
ଏପ୍ରିଲ ୧: ସ୍ଵତନ୍ତ୍ର ଭାଷା ଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ରାଜ୍ୟ, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ଓଡ଼ିଶା ଦିବସ ପାଳନ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ପାଳନ କରାଯିବ।
ଏପ୍ରିଲ ୨: ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ ।
ଏପ୍ରିଲ ୩: ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପର ପ୍ରଚାର-ପ୍ରସାର ପାଇଁ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ- “ଆମ ପୋଷାକ ଆମ ପରିଚୟ” ଦିବସ ପାଳନ କରାଯିବ।
ଏପ୍ରିଲ ୪: ରାଜ୍ୟର ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ “ଓଡ଼ିଆରେ ନାମ ଫଳକ ଅଭିଯାନ – ସଚେତନତା ପଦଯାତ୍ରା” ର ଆୟୋଜନ କରାଯିବ।
ଏପ୍ରିଲ ୫: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
ଏପ୍ରିଲ ୬: ଓଡ଼ିଶାରେ ଥିବା ଦେବାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକୁ ସର୍ବଦା ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛତା ଅଭିଯାନର ଆୟୋଜନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ଆୟୋଜନ କରାଯିବ।
ଏପ୍ରିଲ ୭: ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ “ବର୍ଣ୍ଣବୋଧ” ନିମନ୍ତେ ଏହି ଦିନଟିକୁ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ ଭାବେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହା ପାଳନ କରାଯିବ।
ଏପ୍ରିଲ ୮: ରେଡ଼କ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଦିନଟିକୁ ରକ୍ତଦାନ ଅଭିଯାନ ଭାବରେ ପାଳନ କରାଯିବ।
ଏପ୍ରିଲ ୯: ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଦିନଟିକୁ “ଆସ ବହିଟିଏ କିଣିବା” ଅଭିଯାନ ଭାବରେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।
ଏପ୍ରିଲ ୧୦: ଓଡ଼ିଶାର ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ “ଲୋକକଳା ପାଇଁ ଦିନ ଟିଏ -ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ ଉତ୍ସବର ପାଳନ କରାଯିବ। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ।
ଏପ୍ରିଲ ୧୧: ଓଡ଼ିଶା ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ଦିନରେ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ।
ଏପ୍ରିଲ ୧୨: ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା କରାଯିବ।
ଏପ୍ରିଲ ୧୩: ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ଖାଦ୍ୟ ପରମ୍ପରାକୁ ପାଳନ କରିବା ପାଇଁ “ପାରମ୍ପାରିକ ଖାଦ୍ୟ ପାଳନ ଅଭିଯାନ- ଆମ ରୁଚି ଆମ ଖାଦ୍ୟ” ଉତ୍ସବ ପାଳନ କରାଯିବ। ପଞ୍ଚୟତି ରାଜ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯିବ ।
ଏପ୍ରିଲ ୧୪: ଓଡ଼ିଆ ନବବର୍ଷକୁ ମହା ଆଡ଼ମ୍ବର ସହକାରେ ପାଳନ କରାଯିବ।
The post ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ୧୪ ଦିନ ରାଜ୍ୟବ୍ୟାପୀ ଚାଲିବ କାର୍ଯ୍ୟକ୍ରମ appeared first on Dharitri Odia News.