ଓଡ଼ିଆଙ୍କ ଅସ୍ମିତା ବି ସରକାରୀ

ସହଦେବ ସାହୁ ଫେବୃଆରୀ ୩ରୁ ୫ (୨୦୨୪) ଜନତା ମଇଦାନରେ ରାଜ୍ୟ ସରକାର ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରିଥିଲେ। ବିଶ୍ୱ ଶବ୍ଦର ବ୍ୟବହାର ଆମକୁ ଚକିତ କରିଦେଇଛି। ପୃଥିବୀ ସୌରମଣ୍ଡଳର ଏକ ଗ୍ରହ, ସୌରମଣ୍ଡଳ ତ ଆକାଶଗଙ୍ଗା ତାରକାମଣ୍ଡଳର ସୂର୍ଯ୍ୟ ନାମକ ଏକ ତାରକାର ବଳୟ, ପୁଣି ଆକାଶଗଙ୍ଗା ତ ବିଶ୍ୱର ଅସଂଖ୍ୟ ତାରକାମଣ୍ଡଳ ଭିତରୁ ଗୋଟିଏ। ଏପରି ଦେଖିଲେ ପୃଥିବୀ ବିଶ୍ୱର ଏକ ଅଣୁମାତ୍ର, କିନ୍ତୁ ଆମ ପାଇଁ ପ୍ରକାଣ୍ଡ ସ୍ଥାନ। ତହିଁରେ […] The post ଓଡ଼ିଆଙ୍କ ଅସ୍ମିତା ବି ସରକାରୀ appeared first on Dharitri Odia News.

ଓଡ଼ିଆଙ୍କ ଅସ୍ମିତା ବି ସରକାରୀ

ସହଦେବ ସାହୁ

ଫେବୃଆରୀ ୩ରୁ ୫ (୨୦୨୪) ଜନତା ମଇଦାନରେ ରାଜ୍ୟ ସରକାର ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରିଥିଲେ। ବିଶ୍ୱ ଶବ୍ଦର ବ୍ୟବହାର ଆମକୁ ଚକିତ କରିଦେଇଛି। ପୃଥିବୀ ସୌରମଣ୍ଡଳର ଏକ ଗ୍ରହ, ସୌରମଣ୍ଡଳ ତ ଆକାଶଗଙ୍ଗା ତାରକାମଣ୍ଡଳର ସୂର୍ଯ୍ୟ ନାମକ ଏକ ତାରକାର ବଳୟ, ପୁଣି ଆକାଶଗଙ୍ଗା ତ ବିଶ୍ୱର ଅସଂଖ୍ୟ ତାରକାମଣ୍ଡଳ ଭିତରୁ ଗୋଟିଏ। ଏପରି ଦେଖିଲେ ପୃଥିବୀ ବିଶ୍ୱର ଏକ ଅଣୁମାତ୍ର, କିନ୍ତୁ ଆମ ପାଇଁ ପ୍ରକାଣ୍ଡ ସ୍ଥାନ। ତହିଁରେ ୧୯୫ ପାଖାପାଖି ଦେଶ, ତହିଁରୁ ଚାରି ପାଞ୍ଚଟି ଦେଶରେ ସୀମିତ କୌଣସି ସମ୍ମିଳନୀକୁ ବିଶ୍ୱ ସମ୍ମିଳନୀ କହିବା କି? ତାହା ଅନ୍ତର୍ରାଷ୍ଟ୍ରୀୟ ବା ଆନ୍ତର୍ଜାତିକ ସମ୍ମିଳନୀ: ବିଶ୍ୱ ଶବ୍ଦ ଲାଗିବ ନାହିଁ। ପ୍ରବାସୀ ଓଡ଼ିଆମାନେ ଯୋଗଦେଲେ ଭାଷାର ବିକାଶ ଘଟେ ନାହିଁ। ସେମାନେ ତ ନିଜ ମାତୃଭୂମି (ତେଣୁ ମାତୃଭାଷା) ଖୋରାକ ଯୋଗାଇ ପାରିବ ନାହିଁ ଭାବି ବିଦେଶ ପଳାଇଛନ୍ତି, ସେମାନଙ୍କ ପରବର୍ତ୍ତୀ ପିଢ଼ି ଓଡ଼ିଆକୁ ଜୀବିକାର୍ଜନର ବିଫଳ ଭାଷା ବୋଲି ତାକୁ ଭୁଲିଯିବେ। ସେମାନେ ଯେଉଁ ଦେଶରୁ ଆସିଲେ ବି ଓଡ଼ିଆ ଭାଷାର ଅସ୍ମିତା ପ୍ରସାରଣରେ ଗଣାଯିବା କଥା ନୁହେଁ। ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଚାଇନା ଭଳି ବଡ଼ ବଡ଼ ଦେଶର କୌଣସି ପ୍ରାଚ୍ୟ ଭାଷା ବିଶାରଦ ଆସିଥିଲେ ସମ୍ମିଳନୀକୁ ଅଧିକ ଅନ୍ତର୍ଜାତୀୟ କରିଥା’ନ୍ତା, ଯଥା ଜାପାନରେ ମହାଭାରତ ଉପରେ ଗବେଷଣା କରୁଥିବା ଓଡ଼ିଆ।
ସାଇନ୍‌ବୋର୍ଡ ଲେଖୁଥିବା ସ୍ବଳ୍ପ ଶିକ୍ଷିତ ଚିତ୍ରକର ଭଳି ସରକାରଙ୍କ ଇଲେକ୍‌ଟ୍ରୋନିକ୍‌ ବିଭାଗ ଯେଉଁ ୱେବ୍‌ସାଇଟ୍‌ ତିଆରି କଲେ, (ଯେପରି ଆଗକାଳରେ ବାଟା ଜୋତା ଦୋକାନ ନ ଥିଲେ କୌଣସି ସ୍ଥାନ ସହର ନାମବାଚ୍ୟ ହେଉ ନ ଥିଲା, ଆଜିକାଲି ୱେବ୍‌ସାଇଟ୍‌ ନ ଥିବା କୌଣସି କାର୍ଯ୍ୟକ୍ରମ ଅନୁଷ୍ଠାନ ପଦବାଚ୍ୟ ହୁଏ ନାହିଁ), ତା’ର ନଁା ‘ଓଡ଼ିଆ ଭାଷା’ ସମ୍ମିଳନୀ ନ ହୋଇ ହୋଇଛି ‘ଓଡ଼ିଆ’ ସମ୍ମିଳନୀ (worldodiaconference.org)ାଅବଶ୍ୟ ଗୁଗଲରେ ଓଡ଼ିଆ ଭାଷା ସମ୍ମିଳନୀ ସମ୍ପର୍କରେ ଖୋଜିଲେ ଏ ସାଇଟ୍‌ଟି ବି ମିଳିଯିବ, କିନ୍ତୁ ତାହା ଭାଷା ସମ୍ମିଳନୀ ନ ଦର୍ଶାଇ ଓଡ଼ିଆଙ୍କ ସମ୍ମିଳନୀ ନାମ ଦେଖାଇବ। ‘ଅଣଓଡ଼ିଆ’ କାହିଁକି ସେ ୱେବ୍‌ସାଇଟ୍‌ ଭିତରକୁ ପଶିବ? ପୁଣି ସେହି ୱେବ୍‌ସାଇଟ ଅଧୀନରେ ଥିବା ବିଭିନ୍ନ ପରିଚ୍ଛେଦ ତ ସହଜରେ ଖୋଲୁନାହିଁ, ‘ଓଡ଼ିଆମାନେ’ ସମ୍ମିଳନୀ ସମ୍ପର୍କରେ ବିବରଣୀ ପାଇବେ ନାହିଁ, ବାହାର ଲୋକେ ବିଶ୍ୱ ଓଡ଼ିଆ (ଭାଷା) ସମ୍ମିଳନୀ ବିଷୟରେ ବିଶେଷ କିଛି ସୂଚନା ପାଇବେ ନାହିଁ। କ’ଣ କ’ଣ ହେଉଛି ବା ହୋଇଗଲାଣି ତାହା ବି ସେ ସାଇଟ୍‌ରେ ମିଳୁନାହିଁ। କେବଳ ଆମ ରାଜ୍ୟରେ ଓଡ଼ିଆ କାଗଜଗୁଡ଼ିକରେ ଓ ଆମ ଦେଶରେ ପ୍ରସାରିତ ଓଡ଼ିଶାକୁ ଆସୁଥିବା କେତେକ ଇଂଲିଶ୍‌ ଖବରକାଗଜରେ ସରକାରଙ୍କ ବିଜ୍ଞାପନ ଜରିଆରେ (ବିଜ୍ଞାପନ ପାଇଥିବା ଖବରକାଗଜର ସାମ୍ବାଦିକମାନଙ୍କ ପରିବେଷିତ ଖବରରୁ) କିଛି କିଛି ଜାଣିହେଉଛି। ସେହିଭଳି ଟେଲିଭିଜନ ଚାନେଲ୍‌ଗୁଡ଼ିକରେ ବାହାରିଥିବା ସରକାରୀ ପରବେଷିତ ଖବରରୁ କିଛି କିଛି ତଥ୍ୟ ମିଳିଛି। ଯେଉଁ ପାଞ୍ଚ ଛଅଟି ଦେଶରୁ ଓଡ଼ିଆ ଭାଷା ଜ୍ଞାନଥିବା ବକ୍ତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା, ସେ ଦେଶଗୁଡ଼ିକରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ ଦେଖାଉଥିବା ଲୋକେ ଅଛନ୍ତି ତ! ପ୍ରବାସୀ ଓଡ଼ିଆମାନେ ସମ୍ପର୍କୀୟ ଓଡ଼ିଆଙ୍କଠାରୁ ଉଡ଼ା ଖବର ପାଇଥିବେ। ତେଣୁ ୱେବ୍‌ସାଇଟ୍‌ କରିବା ବୃଥା। ଭାରତ ସରକାରଙ୍କ ନ୍ୟାଶନାଲ ଇନ୍‌ଫର୍ମେଟିକ୍ସ (ଏନ୍‌ଆଇସି) ମାଗଣାରେ ହଷ୍ଟିଂ କରୁଛି ବୋଲି ଆମ ରାଜ୍ୟ ସରକାର ଯେଉଁ ସାଇଟ୍‌ଟିଏ କରିଦେଲେ, ତହିଁରେ ଆରମ୍ଭର ପୃଷ୍ଠାଟି ଖୋଲିଦେଲେ। ଓଡ଼ିଶାର ଜନସଂଖ୍ୟା ୨୦୨୩ ଅପ୍ରେଲ ପହିଲାରେ ୪,୬ ୩,୭୩,୦୦୦ ବା ୪ କୋଟି ୬୪ ଲକ୍ଷ ହୋଇଥିଲେ ବି ୱେବ୍‌ସାଇଟ୍‌ର ଉପକ୍ରମଣିକାରେ କୁହାଯାଇଛି ‘ଓଡ଼ିଆ ଭାଷା ଆମ ଓଡ଼ିଶା ପରିବାରର ସାଢ଼େ ଚାରି କୋଟି ଲୋକଙ୍କ ସାମୂହିକ ପରିଚୟ।’ ଓଡ଼ିଶାରେ ପ୍ରାୟ କୋଟିଏ ୯୦ ଲକ୍ଷ ଲୋକ ଓଡ଼ିଆ ନ କହି (ସେମାନଙ୍କ ମାତୃଭାଷା ନୁହେଁ ବୋଲି) ବେଶ୍‌ ସୁରୁଖୁରୁରେ ଚଳିପାରୁଛନ୍ତି- ଓଡ଼ିଆ ସେମାନଙ୍କ ପରିଚୟ ନୁହେଁ। ସରକାରୀ କାମରେ ଓଡ଼ିଆ ବ୍ୟବହାର ଉପରେ ଗୁରୁତ୍ୱ ନ ଥିବାରୁ ଓଡ଼ିଶାବାସୀ ହୋଇ ମଧ୍ୟ ଅନେକେ ଓଡ଼ିଆ ବ୍ୟବହାର କରୁନାହାନ୍ତି, ସେମାନଙ୍କର ଭାଷା ପ୍ରତି ନେଣଦେଣ ନାହିଁ। ଓଡ଼ିଆ ଭାଷା ସେମାନଙ୍କ ‘ପରିଚୟ’ ବୋଲି କେମିତି କହିବା?
ପ୍ରଚାର କରାଗଲା ଯେ ଏ ପ୍ରକାର ସମ୍ମିଳନୀ ଓଡ଼ିଆ ଅସ୍ମିତା ବଢ଼ାଇବ; ଏ ସମ୍ମିଳନୀକୁ ଆସୁଥିବା ଯୁବ ପିଢ଼ି ଭାଷା ପ୍ରତି ଆଗ୍ରହୀ ହେବେ ଓ ପ୍ରାଚୀନ କଥା ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ। ଏପରି କହୁଥିବା ସରକାର ଯଦି ୨୦୦୦ରୁ ନ ହେଲେ ବି ୨୦୧୪ରୁ ଏପରି କରିଆସୁଥାଆନ୍ତେ, ଓଡ଼ିଆ ଅସ୍ମିତା ଖୁବ୍‌ ଉଚ୍ଚକୁ ଉଠିଯାଆନ୍ତାଣି। ସରକାରୀ କାର୍ଯ୍ୟାଳୟରେ ଓ ସରକାରଙ୍କ ସହ ଯୋଗାଯୋଗରେ ତ ଓଡ଼ିଆ ବ୍ୟବହାର ହେଉନାହିଁ, ୨୩ ବର୍ଷ ବିତିଗଲାଣି, ବୁଦ୍ଧିଜୀବୀମାନେ କ’ଣ ଜାଣିନାହାନ୍ତି ଯେ ସାହିତ୍ୟରେ ପୁରସ୍କାର ପାଇଥିବା ବ୍ୟକ୍ତିମାନେ ସେମାନଙ୍କ ଗୋଷ୍ଠୀ ଭିତରେ ପ୍ରଶଂସା ପାଇଥା’ନ୍ତି, ସେମାନେ ଭାଷାର ପ୍ରସାର ଦିଗରେ କିଛି କରନ୍ତି ନାହିଁ, ଅଧିକାର ଓ ପ୍ରଶଂସା ସାବ୍ୟସ୍ତ କରିବା ଦିଗରେ ସେମାନେ ଲାଗିଥାଆନ୍ତି। ସାଧାରଣ ଓଡ଼ିଆ ପ୍ରଶାସନର ଦ୍ୱାରସ୍ଥ ହେବା ପାଇଁ ଜଣେ ଅଧେ ଟାଉଟର ବା ମଧ୍ୟସ୍ଥି ବ୍ୟବହାର କରିବାକୁ ବାଧ୍ୟ, କାରଣ ଇଂରାଜୀରେ ଆପିଲ କଲେ ଶୀଘ୍ରତର ସମାଧାନ ହେଉଛି; ଏଠି ତ ମାତୃଭାଷା ସରକାରୀ ଭାଷା ନୁହେଁ। ସରକାରଙ୍କ ସହିତ ଯୋଗାଯୋଗ କରିବାର ମାଧ୍ୟମ କରିବା ପାଇଁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ର କରିବାର ଚେଷ୍ଟାରୁ ତ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ହେଲା: ସ୍ବତନ୍ତ୍ର ପ୍ରଦେଶ ହେଲା ପରେ ୧୧ ବର୍ଷ ଭିତରେ ଆମ ଦେଶ ସ୍ବାଧୀନ ହୋଇଗଲା ତ ଆମେ ଓଡ଼ିଆକୁ ପ୍ରଶାସନର ଭାଷା କରିପାରିଲୁ ନାହିଁ, ତା’ର ମୁଖ୍ୟ କାରଣ ଆମ ରାଜନେତାମାନଙ୍କ ରାଜନୀତି। ଏବେ ବି ସରକାରୀ ସାହାଯ୍ୟ ଆବଶ୍ୟକ କରୁଥିବା ଓଡ଼ିଆଟିଏ ତା’ର କଥିତ ଓଡ଼ିଆରେ ଆବେଦନ କଲେ କେହି ଶୁଣୁନାହିଁ ବୋଲି କୋର୍ଟ କଚେରିରେ ରାଇଟର (ଲେଖକ) ପଦ ରହିଛି। ଇଂରେଜମାନେ ୧୮୩୫ରେ ଇଂରେଜକୁ ସରକାରୀ ଭାଷା କରିଦେଲେ, ୧୧୨ ବର୍ଷର ଇଂରେଜ ଶାସନ ଆମ ରକ୍ତମଜ୍ଜାଗତ କରିଦେଲା; ଓଡ଼ିଆରେ ଲେଖିବା ପାଇଁ ଆମେ ଏବେ ବି ଇଂରାଜୀରେ ଭାବୁଛୁ ବୋଲି କେତେକ ଓଡ଼ିଆ ଆଇଏଏସ୍‌ ଅଫିସର କହନ୍ତି। ୧୯୩୬ରୁ ୨୦୨୪ ଅଠାଅଶୀ ବର୍ଷ ବିତିଥିଲେ ବି ଓଡ଼ିଆ ଆମ ରକ୍ତମାଂସର ଭାଷା ହୋଇପାରିନାହିଁ; ଏହି ବର୍ଷରୁ ମାତୃଭାଷାରେ ନିମ୍ନ, ପ୍ରାଥମିକ ଓ ସେକେଣ୍ଡାରୀ ସ୍ତରର ପାଠପଢ଼ା ହେବ ବୋଲି ଯାହା କୁହାଯାଉଛି, ତାହା ସଫଳ ହେଲେ ଓଡ଼ିଆ ଭାଷା ଅନ୍ତର୍ଜାତୀୟ ଭାଷା ହୋଇପାରେ।
ଭାଷାର ବ୍ୟବହାର ରାଜଧାନୀରୁ ପ୍ରସାରିତ ହେଲେ ସହଜରେ ସରକାରୀ ଭାଷା ହୋଇପାରେ। ତା’ ମାନେ ନୁହେଁ ଯେ ଭୁବନେଶ୍ୱରିଆ ହିଁ ଓଡ଼ିଆ ଭାଷାର ଅସ୍ମିତା ପାଇଁ କାମ କରିବେ। ଡାକଘରେ, ରେଳ ଷ୍ଟେସନରେ, ବ୍ୟାଙ୍କରେ ଓ ଶିକ୍ଷାୟତନରେ ଫର୍ମ ପୂରଣ ପାଇଁ ଓଡ଼ିଆ ପୃଷ୍ଠା ଥିଲେ ବି ଶିକ୍ଷିତ ଓଡ଼ିଆ ଇଂରାଜୀ ପୃଷ୍ଠାକୁ ପୂରଣ କରୁଥିବା ଯାଏ, ସରକାରୀ ଅଧିକାରୀମାନେ ଆବେଦନ ପତ୍ର ଓଡ଼ିଆରେ ଚାହୁଁ ନଥିବା ଯାଏ ଅର୍ଥାତ୍‌ ଓଡ଼ିଆକୁ ହୀନ ମନେକରୁଥିବା ଯାଏ ଓ ସେପରି ଅଧିକାରୀମାନଙ୍କୁ ସରକାରରେ ଥିବା ରାଜନେତାମାନେ ତାଗିଦା ନ କରିବା ଯାଏ, ଓଡ଼ିଆ ସାହିତ୍ୟରେ ଭାରତର ଶ୍ରେଷ୍ଠ ପୁରସ୍କାର ପାଇ ମଧ୍ୟ ପାଠକସଂଖ୍ୟା ବଢ଼ାଇବାରେ ନ ଲାଗିଲେ ଓଡ଼ିଆ ଭାଷା ସମୃଦ୍ଧ ହେବ ନାହିଁ। ପୁରସ୍କୃତ ବହିକୁ ଏବେ ତ ଶୂନ ଦଶମିକ ୦୦୧ ଠୁ ବି କମ୍‌ ପାଠକ ପଢୁଛନ୍ତି, ତାହା ଦିନେ ଡୋରିବନ୍ଧା ହୋଇ ପୂଜାପୋଥି ହୋଇ ରହିବ। ପୁରାତନ ବା ପ୍ରାଚୀନ ଗ୍ରନ୍ଥ ଯେପରି ରାଜାନୁଗ୍ରହରୁ ସୃଷ୍ଟି ହୋଇଥିଲା, ଏବେ ସେହିପରି ସରକାରୀ-ଅନୁଗ୍ରହ ମିଳିଲେ ପଠନଯୋଗ୍ୟ (ପୂଜାଯୋଗ୍ୟ ନୁହେଁ) ରଚନା ବିକଶିତ ହୋଇପାରିବ ଓ ଓଡ଼ିଆ ଭାଷା ଅନ୍ତର୍ଜାତୀୟ ସ୍ତରର ହୋଇପାରିବ।
sahadevas@yahoo.com

The post ଓଡ଼ିଆଙ୍କ ଅସ୍ମିତା ବି ସରକାରୀ appeared first on Dharitri Odia News.