ଓଡ଼ିଶାରୁ ରାଜ୍ୟସଭାକୁ କିଏ ଯିବେ? ମନମୋହନ କହିଲେ- ମୁଁ ରେସ୍ରେ ନାହିଁ
ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ।
ରାଜ୍ୟସଭା ରେସ୍ରେ ମୁଁ ନାହିଁ। ମୋ ନାଁ ନେଇ ଯେଉଁ ଚର୍ଚ୍ଚା ହେଉଛି ଏସବୁ କପୋଳକଳ୍ପିତ। କିଏ ରାଜ୍ୟସଭାକୁ ଯିବ ନିର୍ଦ୍ଦିଷ୍ଟ ସମୟରେ ଦଳର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ।” ଆଜି ଏପରି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ରାଜ୍ୟସଭାରେ ରେସରେ ତାଙ୍କ ନାଁ ନେଇ ସମ୍ବାଦିକଙ୍କ ପ୍ରଶ୍ନରେ ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, ରଜ୍ୟସଭା କିଏ ଯିବ ସେନେଇ ପାର୍ଟି
ପାର୍ଲିଆମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ। ପାର୍ଲିଆମେଣ୍ଟାରୀ ବୋର୍ଡ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେବ। ମୁଁ ରାଜ୍ୟ ସଭା ରେସ୍ରେ ନାହିଁ।
ଆସନ୍ତା ୨୦ ତାରିଖରେ ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ପଦବୀରେ ହେବ ରାଜ୍ୟ ସଭା ଉପନିର୍ବାଚନ। ସାଂସଦ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଗୋଟିଏ ଆସନ ଖାଲି ପଡ଼ିଛି। ତେବେ ଓଡ଼ିଶାରୁ ରାଜ୍ୟ ସଭାକୁ କିଏ ଯିବ, ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହି ସବୁ ଭିତରେ ସୁଜିତ୍ କୁମାରଙ୍କୁ ବିଜେପି ରାଜ୍ୟସଭାଙ୍କୁ ପଠାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟରେ ରେସରେ ଥିବା ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମନମୋହନ। ସେ ରାଜ୍ୟସଭାରେ ରେସ୍ରେ ନାହାନ୍ତି ବୋଲି ଆଜି ଗଣମାଧ୍ୟମରେ କହିଛନ୍ତି।
ସୂଚନାଯୋଗ୍ୟ, ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି। ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।