ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ; ହଜି ଗଲାଣି ଅନୁପ୍ରବେଶକାରୀଙ୍କ ଆଖିରୁ ନିଦ

ସରକାରଙ୍କ ସ୍କାନରକୁ ଆସିବା ପରେ, ଛାନିଆ ବାଂଲାଦେଶୀ ଅନୁପ୍ରବେଶକାରୀ। ବେଆଇନ ଭାବେ ଓଡ଼ିଶା ମାଟିରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ମୋହନ ମାଝୀ ସରକାର ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡରେ ଦେଖାଦେଇଛି ତତ୍ପରତା।

ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ; ହଜି ଗଲାଣି ଅନୁପ୍ରବେଶକାରୀଙ୍କ ଆଖିରୁ ନିଦ

ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ। ଏଥିପାଇଁ ତହସିଲ, ବ୍ଲକ୍ ଓ ଥାନା ସ୍ତରରେ ସରକାରୀ ଅଧିକାରୀଙ୍କୁ ନେଇ କମିଟି ଗଠନ ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ବି ଦେଇ ସାରିଛନ୍ତି ରାଜ୍ୟ ସରକାର। ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଏଇ ଉତ୍ତର ପ୍ରଭାବିତ ଜିଲ୍ଲାବାସୀଙ୍କୁ ଖୁସି  ଦେଇଥିଲା ବେଳେ ହଜି ଯାଇଛି ଅନୁପ୍ରବେଶକାରୀଙ୍କ ଆଖିର ନିଦ।

ସରକାରଙ୍କ ସ୍କାନରକୁ ଆସିବା ପରେ, ଛାନିଆ ବାଂଲାଦେଶୀ ଅନୁପ୍ରବେଶକାରୀ। ବେଆଇନ ଭାବେ ଓଡ଼ିଶା ମାଟିରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ମୋହନ ମାଝୀ ସରକାର ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡରେ ଦେଖାଦେଇଛି ତତ୍ପରତା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଓ ରାଜନଗର ଅଞ୍ଚଳ। କୁହାଯାଉଛି- ତାଳଚୁଆ, ରଙ୍ଗଣୀ, ଗୁପ୍ତି, ଡଙ୍ଗାମାଳ, ଭିତରକନିକା, ଗହୀରମଥା, ଅହିରାଜପୁର, ଅମରାବତୀ, କନକନଗର, ଜମ୍ବୁ, ଖାରନାସି, ବତୀଘର, ପିତାପାଟ ଆଦିରେ ନବେ ଭାଗ ଲୋକ ବାଂଲାଦେଶୀ। ୨୦୦୪ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଚିହ୍ନଟ ୧୫୫୧ ଜଣ ଅନୁପ୍ରବେଶକାରୀଙ୍କୁ ଦିଆଯାଇଥିଲା ଦେଶାନ୍ତର ନୋଟିସ୍ । ୨୦ ବର୍ଷ ହେଲା ଏହି ନୋଟିସ ଶୀତଳଭଣ୍ଡାରରେ ପଡ଼ିଥିବା ବେଳେ, ବାସ୍ତବ ସଂଖ୍ୟା ଏହାଠୁ ଢେର୍ ଅଧିକ ବୋଲି ଅଭିଯୋଗ ହୋଇଛି । 

ଆଉ ଏବେ ବାଂଲାଦେଶରେ ଅସ୍ଥିରତା ଜାରି ଥିବା ବେଳେ, ଓଡ଼ିଶାରେ ପୁଣି ଆରମ୍ଭ ହୋଇଛି ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା । ତହସିଲ, ବ୍ଲକ ଓ ଥାନା ସ୍ତରରେ ଅଧିକାରୀମାନଙ୍କ ଟିମ୍ ଗଠନ କରି, ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ସମସ୍ତ ଜିଲ୍ଲାପାଳ ଓ SPଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକ ଖୁସି ପ୍ରକାଶ କରିଥିବା ବେଳେ, ଆଇନତଃ ବସବାସ କରୁଥିବା ବାଂଲାଦେଶୀ ଶରଣାର୍ଥୀମାନେ ମଧ୍ୟ ସ୍ବାଗତ କରିଛନ୍ତି।

କେବଳ କେନ୍ଦ୍ରାପଡ଼ା ନୁହେଁ, ଭଦ୍ରକ ଓ ମାଲକାନଗିରି ଜିଲ୍ଲାରେ ବି ବାଂଲାଦେଶୀ ଶରଣାର୍ଥୀ ରହୁଥିବା ବେଳେ, ସେଠାରେ ବି ଅନୁପ୍ରବେଶକାରୀଙ୍କ ସଂଖ୍ୟା ଓ ଉତ୍ପାତ ବଢ଼ିଚାଲିଥିବା ଅଭିଯୋଗ ହେଉଛି। ସୂଚନା ଅନୁସାରେ, ୨୦୨୧ ମସିହାରେ ଓଡ଼ିଶାରେ ସରକାରୀ ଭାବେ ଚିହ୍ନଟ ହୋଇଥିଲେ ୩ ହଜାର ୭୪୦ ବାଂଲାଦେଶୀ ଅନୁପ୍ରବେଶକାରୀ। ସେମାନେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ମାଲକାନଗିରି, ନବରଙ୍ଗପୁର ଓ ବରଗଡ଼ ଜିଲ୍ଲା, ଏପରିକି ରାଜଧାନୀ ଭୁବନେଶ୍ବରରେ ବି ରହୁଥିଲେ। ତେବେ ହୁଗୁଳା ମେରାଇନ ଥାନା ଓ ମୁକୁଳା ସମୁଦ୍ର ଉପକୂଳ ଯୋଗୁଁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ହୁ ହୁ ବୃଦ୍ଧି ପାଉଥିବା ଏବଂ ସେମାନେ ଜାଲିଆତି କରି ଆଧାର ଓ ରାସନ୍ କାର୍ଡ ବି ହାତଉଥିବା ଅଭିଯୋଗ ହେଉଛି। ତେଣୁ ସେମାନଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ନିଶ୍ଚିତ ରୂପେ ବଡ଼ ଚାଲେଞ୍ଜ ରହିବ।

ବାଂଲାଦେଶରୁ ମାତ୍ର ୨୦୦ କିଲୋମିଟର ଦୂରରେ ରହିଛି ଓଡ଼ିଶାର ବିସ୍ତୀର୍ଣ୍ଣ ୪୮୦ କିଲୋମିଟର ସମୁଦ୍ର ତଟ। ଛୋଟିଆ ଡଙ୍ଗାରେ ବି ଏହାକୁ ଅଳ୍ପ କିଛି ଘଣ୍ଟାରେ ପାରି କରିହେଉଥିବାରୁ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଦଶନ୍ଧି ଦଶନ୍ଧି ଧରି ପଶ୍ଚିମବଙ୍ଗ ପରେ ଓଡ଼ିଶା ବନିଆସିଛି ସଫ୍ଟ ଟାର୍ଗେଟ୍।