କଂଗ୍ରେସର ଶୋଭାଯାତ୍ରା ବେଳେ ଫୁଟିଲା ଗୁଳି

୨୦୧୯ରେ କଂଗ୍ରେସ ପଞ୍ଜାବର ୧୩ଟି ଆସନରୁ ୮ଟିରେ ଜିତିଥିଲା। ବିଜେପି ଓ ଅକାଳୀ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିବା ସହ ଦୁଇଟି ଲେଖାଏ ସିଟ ଜିତିଥିଲେ।

କଂଗ୍ରେସର ଶୋଭାଯାତ୍ରା ବେଳେ ଫୁଟିଲା ଗୁଳି

ଦିନକ ତଳେ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ କହ୍ନୈୟା କୁମାରଙ୍କୁ ପ୍ରଚାର ବେଳେ ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି କଂଗ୍ରେସ ପ୍ରାର୍ଥୀ ଗୁରଜିତ ସିଂହ ଅଜୁଆଲଙ୍କ ରାଲିରେ ଗୁଳିମାଡ଼ ହୋଇଛି। ଗୁରଜିତ ବିଶାଳ ଶୋଭାଯାତ୍ରା କରୁଥିବା ବେଳେ ପଞ୍ଜାବର ଅମୃତସର ନିକଟ ଅଜନାଲା ଠାରେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି।

ଗୁରଜିତଙ୍କୁ କଂଗ୍ରେସ ଅମୃତସରୁ ପ୍ରାର୍ଥୀ କରିଛି। ଘଟଣା ପଛରେ ଇଣ୍ଡିଆ ମେଣ୍ଟରେ ଥିବା ଆପ୍‌ର ହାତଥିବାର ସେ ଅଭିଯୋଗ କରିଛନ୍ତି। ୫୧ ବର୍ଷୀୟ ଗୁରଜିତ ଅଭିଯୋଗ କରିଛନ୍ତି ଯେ ଅମୃତସରର ଆପ୍‌ ପ୍ରାର୍ଥୀ କୁଲଦୀପ ଧାଲିୱାଲଙ୍କ ଜଣେ ସମ୍ପର୍କୀୟ ଗୁଳିମାଡ଼ ପଛରେ ରହିଛନ୍ତି। ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ କାହିଁକି ତାଙ୍କର ବନ୍ଧୁକ ସିଜ କରି ନଥିଲେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ତେବେ ଆପ୍‌ର କୁଲଦୀପ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଉକ୍ତ ଅଞ୍ଚଳରେ ମୋର କୌଣସି ସମ୍ପର୍କୀୟ ନାହାନ୍ତି। ସାଂସଦ ଗୁରଜିତ ମୋ ବିରୋଧରେ ଗୁଳିମାଡ଼ର ଅଭିଯୋଗ ଆଣିଥିବା ମୁଁ ଗଣମାଧ୍ୟରୁ ଜାଣିବାକୁ ପାଇଛି।

ଜର୍ଣ୍ଣାଲି ସିଂହ ନାମ ଜଣେ କର୍ମୀ ଦଳ ପାଇଁ ସେଠାରେ କାମ କରୁଛନ୍ତି। ଗଣମାଧ୍ୟମରୁ ଜାଣିବା ପରେ ଗୁଳିମାଡ଼ କରିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ କହିଛି।”

ଜାତୀୟ ସ୍ତରରେ ଆପ୍‌ ଓ କଂଗ୍ରେସ ମେଣ୍ଟ କରିଥିଲେ ହେଁ ପଞ୍ଜାବରେ ଉଭୟ ଦଳ ଅଲଗା ଅଲଗା ନିର୍ବାଚନ ଲଢ଼ୁଛନ୍ତି। ଗୁଳିମାଡ଼ ସମ୍ପର୍କରେ ପୁଲିସ୍‌ କହିଛି ଯେ “ଗୁଳିମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛି। ଲାଗୁଛି ପୁରୁଣା ଶତ୍ରୁତାରୁ ଗୁଳିମାଡ଼ ହୋଇଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଘଟଣାର ତଦନ୍ତ କରାଯାଉଛି।”

ଅମୃତସରରେ ବିଜେପି ପୂର୍ବତନ କୂଟନୀତିଜ୍ଞ ତରନଜିତ ସିଂହ ସାନ୍ଧୁଙ୍କୁ ଟିକେଟ ଦେଇଛି। ଏଠାରେ ଜୁନ ୧ରେ ଭୋଟିଂ ହେବ। ୨୦୧୯ରେ କଂଗ୍ରେସ ପଞ୍ଜାବର ୧୩ଟି ଆସନରୁ ୮ଟିରେ ଜିତିଥିଲା। ବିଜେପି ଓ ଅକାଳୀ ଦଳ ମିଳିତ ଭାବେ ନିର୍ବାଚନ ଲଢ଼ିବା ସହ ଦୁଇଟି ଲେଖାଏ ସିଟ ଜିତିଥିଲେ। ସଙ୍ଗରୁର ଆସନ ଆପ୍‌ ଖାତାକୁ ଯାଇଥିଲା।