କଂଗ୍ରେସରେ ପିସିସି ଚୌକି ଚର୍ଚ୍ଚା, ୮ ମାସ ହେବ ମିଳୁନାହାନ୍ତି ମଙ୍ଗୁଆଳ
ଭୁବନେଶ୍ବର ; କଂଗ୍ରେସର ନୂଆ ମଙ୍ଗୁଆଳ ହେବେ କି ଓଡ଼ିଶା କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକା ? ୮... The post କଂଗ୍ରେସରେ ପିସିସି ଚୌକି ଚର୍ଚ୍ଚା, ୮ ମାସ ହେବ ମିଳୁନାହାନ୍ତି ମଙ୍ଗୁଆଳ appeared first on .
ଭୁବନେଶ୍ବର ; କଂଗ୍ରେସର ନୂଆ ମଙ୍ଗୁଆଳ ହେବେ କି ଓଡ଼ିଶା କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଉଲାକା ? ୮ ମାସ ଧରି ପିସିସି ସଭାପତି ଖୋଜାରେ ଏଆଇସିସି ଲଗାଇବ କି ବ୍ରେକ ? ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ବୟାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସଭାମଞ୍ଚରେ ସାଂସଦ ସପ୍ତଗିରି ଉଲାକାଙ୍କୁ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ସାଷ୍ଟାମ ନମସ୍କାର ପୁଣି ପିସିସି ସଭାପତି ଚୟନ ଚର୍ଚ୍ଚାକୁ ତାଜା କରିଛି। ତାରାଙ୍କ ଯୁକ୍ତି ହେଉଛି ଦୁଇଥର ସାଂସଦ ତଥା ଓଡ଼ିଶାର ଯୁବ ଚେହେରା ସପ୍ତଗିରି ଉଲାକା ପିସିସି ସଭାପତି ହୁଅନ୍ତୁ । ପିସିସି ସଭାପତି ହେବାକୁ ସେ ପୂରା ଯୋଗ୍ୟ। ଏହାସହ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧିଙ୍କ ସହ ସପ୍ତଗିରିଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ସେ ପିସିସି ସଭାପତି ହେବାରେ ଅସୁବିଧା ନାହିଁ ବୋଲି କହିଛନ୍ତି ତାରା। ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ କହିବା କଥା, ଏଆଇସିସି ସ୍ଥିର କରିବ କିଏ ହେବେ ପିସିସି ମୁଖିଆ। ଖୁବଶୀଘ୍ର ହାଇକମାଣ୍ଡ ଅନ୍ୟ ରାଜ୍ୟ ସହ ଓଡ଼ିଶାର ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ। ସେହିପରି ବିଧାୟକ ଅଶୋକ ଦାସ କହିଛନ୍ତି, ଯିଏ ବି ପିସିସି ସଭାପତି ହେବେ ତାଙ୍କୁ ସମସ୍ତେ ସହଯୋଗ କରିବେ।
କଂଗ୍ରେସ ପିସିସି ସଭାପତିଙ୍କ ନାଁ ଘୋଷଣା କରିପାରୁନଥିବା ବେଳେ, ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିଛି। ରେସରେ ବରିଷ୍ଠ ନେତା ଭକ୍ତ ଦାସ, ଜୟଦେବ ଜେନା, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନାଙ୍କ ନାଁକୁ ନେଇ ଚାଲିଛି ମାନସ ମନ୍ଥନ। ଏଆଇସିସିର ଦୁଇ ପର୍ଯ୍ୟବେକ୍ଷକ ମଧ୍ୟ ଓଡ଼ିଶା ନେତା ଓ କର୍ମୀଙ୍କ ମତାମତ ନେଇ ରିପୋର୍ଟ ପ୍ରଦାନ କରିଛନ୍ତି। କଂଗ୍ରେସ ହାଇକମାଣ୍ଡ ଚର୍ଚ୍ଚିତ ନେତାଙ୍କୁ ନୁହେଁ, ବରଂ ଡାର୍କହର୍ସଙ୍କୁ ପିସିସି ସଭାପତି ମୁକୁଟ ପିନ୍ଧାଇ ପାରନ୍ତି।
୨୫ ବର୍ଷ ହେବ କ୍ଷମତା ବାହାରେ ରହିଛି ରାଜ୍ୟ କଂଗ୍ରେସ। ଦଳକୁ ମଜବୁତ କରିବା ପାଇଁ ଏହାରି ଭିତରେ ଓଡ଼ିଶାକୁ ମିଳିଛି ୬ ଜଣ ପିସିସି ସଭାପତି। ହେଲେ ଦଳର ଭୋଟ ହାର ବଢିବା ବଦଳରେ କମି ଚାଲିଛି। ଏହାସହ ତୃଣମୂଳ ସ୍ତରରେ ମଧ୍ୟ ସଙ୍ଗଠନ ଅସଜଡ଼ା ହୋଇ ପଡିଛି। ଏସବୁ ଭିତରେ ଏଆଇସିସି ଓଡ଼ିଶା ପାଇଁ କାହାକୁ ମୁଖିଆ ଭାବେ ବାଛିବେ, ତାଉପରେ ରହିଛି କଂଗ୍ରେସ ନେତାଙ୍କ ନଜର।
The post କଂଗ୍ରେସରେ ପିସିସି ଚୌକି ଚର୍ଚ୍ଚା, ୮ ମାସ ହେବ ମିଳୁନାହାନ୍ତି ମଙ୍ଗୁଆଳ appeared first on .