କ’ଣ ନିଜକୁ ସୁହାଇଲା ଭଳି ପିଚ୍‌ ପ୍ରସ୍ତୁତ କରିବାକୁ କହିପାରିବେ ଆଇପିଏଲ ଟିମ?

ମ୍ୟାଚ୍‌ ହାରିବା ପରେ ଜହିର ଖାନ ଘରୋଇ ପିଚ୍‌ର କ୍ୟୁରେଟରଙ୍କ ଉପରେ ଅସନ୍ତୋଷ ଝାଡ଼ିବା ସହ ସମ୍ଭବତଃ ପଞ୍ଜାବ କ୍ୟୁରଟର ଏକନା ଷ୍ଟାଡିୟମର ପିଚ୍‌ ପ୍ରସ୍ତୁତ କରିଥିଲେ ବୋଲି କହିଛନ୍ତି।

କ’ଣ ନିଜକୁ ସୁହାଇଲା ଭଳି ପିଚ୍‌ ପ୍ରସ୍ତୁତ କରିବାକୁ କହିପାରିବେ ଆଇପିଏଲ ଟିମ?

ହୋମ ପିଚ୍‌କୁ ନେଇ ଆଇପିଏଲ ପ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜାଏଣ୍ଟସର ବୋଲିଂ କୋଚ ଜହିର ଖାନ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ମଙ୍ଗଳବାର ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଘରୋଇ ଦଳ ପଞ୍ଜାବ କିଙ୍ଗସ ବିପକ୍ଷରେ ମ୍ୟାଚ୍‌ ଖେଳୁଥିଲା। ହେଲେ ଲକ୍ଷ୍ନୌକୁ ଏହି ମ୍ୟାଚ୍‌ରେ ପଞ୍ଜାବ ଏକତରଫା ଭାବେ ୮ ୱିକେଟରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଥିଲା। ଏହାର ଜବାବରେ ପଞ୍ଜାବ ୧୬.୨ ଓଭରରେ ମାତ୍ର ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା।

ମ୍ୟାଚ୍‌ ହାରିବା ପରେ ଜହିର ଖାନ ଘରୋଇ ପିଚ୍‌ର କ୍ୟୁରେଟରଙ୍କ ଉପରେ ଅସନ୍ତୋଷ ଝାଡ଼ିବା ସହ ସମ୍ଭବତଃ ପଞ୍ଜାବ କ୍ୟୁରଟର ଏକନା ଷ୍ଟାଡିୟମର ପିଚ୍‌ ପ୍ରସ୍ତୁତ କରିଥିଲେ ବୋଲି କହିଛନ୍ତି। ଚଳିତ ଆଇପିଏଲରେ କ୍ୟୁରେଟର୍ସ ବନାମ ପ୍ରାଞ୍ଚାଇଜ ନୂଆ ଘଟଣା ନୁହେଁ। ଜହିରଙ୍କ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଚେନ୍ନେଇ ସୁପର କିଙ୍ଗର ମୁଖ୍ୟ କୋଚ ଷ୍ଟେଫେନ ଫ୍ଲେମିଂ ମଧ୍ୟ ଘରୋଇ ପିଚ୍‌କୁ ନେଇ କ୍ଷୋଭ ପ୍ରକାଶ କରିଥିଲେ।

ଘରୋଇ ଟିମ ବଦଳରେ କ୍ୟୁରଟର୍ସ ପ୍ରତିପକ୍ଷ ଟିମକୁ ସୁହାଇଲା ଭଳି ପିଚ୍‌ ପ୍ରସ୍ତୁତ କରୁଥିବା ସେମାନେ କହିଥିଲେ। ଏହି ୩ ପ୍ରାଞ୍ଚାଇଜଙ୍କ ମତ ହେଲା ଆଇପିଏଲର ବିସ୍ଫୋରକ ବ୍ୟାଟିଂ ଟିମ ବିପକ୍ଷରେ ଘରୋଇ ପିଚ୍‌କୁ ଧିମା ଟର୍ଣ୍ଣିଂ ଟ୍ରାକ କରିବା। ଘରୋଇ ପ୍ରାଞ୍ଚାଇଜ ଏପରି ପିଚ୍‌ କ୍ୟୁରେଟର୍ସଙ୍କ ଠାରୁ ଚାହୁଁଥିବା ବେଳେ ସେମାନେ ଅଲଗା କିଛି କରୁଛନ୍ତି। ତେଣୁ ଜହିର, ଫ୍ଳେମିଂ ଓ ରାହାଣେ ଘରୋଇ ପିଚ କ୍ୟୁରେଟର୍ସଙ୍କ ସମାଲୋଚନା କରିଛନ୍ତି।

ମଙ୍ଗଳବାରର ମ୍ୟାଚ୍‌ ପରେ ଜହିର କହିଛନ୍ତି, “ଏଠାରେ ମୋ ପାଇଁ ସବୁଠାରୁ ନିରାଶ କରିବା ଭଳି ଘଟଣା ହେଉଛି ଯେ ଏହା ଆମ ପାଇଁ ଘରୋଇ ମ୍ୟାଚ୍‌। ଆଇପିଏଲରେ ଆମେ ଦେଖିଛୁ ଯେ ଘରୋଇ ପରିବେଶରେ ଦଳଗୁଡ଼ିକ କେମିତି ଫାଇଦା ନେବାକୁ ଚେଷ୍ଟା କରନ୍ତି। ଏହାକୁ ଦୃଷ୍ଟିରେ ରଖିଲେ ଲାଗୁଛି କ୍ୟୁରେଟର ଏହି ମ୍ୟାଚ୍‌କୁ ଆଦୌ ହୋମ ଗେମ ଭାବେ ବିବେଚନା କରି ନାହାନ୍ତି। ସ୍ଥିତିକୁ ତର୍ଜମା କଲେ ଲାଗିବ ଯେ ସତେ ଯେମିତି ପଞ୍ଜାବ କ୍ୟୁରେଟର ଏଠାରେ ଥିଲେ। ଏଇ ଗୋଟିଏ ଜିନିଷକୁ ଆମକୁ ଦେଖିବାକୁ ପଡ଼ିବ।”

ନିଜର କ୍ଷମତା ଅନୁସାରେ ପିଚ୍‌ ଆଶା କରିବା ସମ୍ଭବତଃ ପ୍ରାଞ୍ଚାଇଜଙ୍କ ପାଇଁ ସ୍ୱାଭାବିକ ଘଟଣା। ହେଲେ କ’ଣ ସେମାନେ ଏପରି ଦାବି କରିପାରିବେ? ପିଚ୍‌ ପ୍ରସ୍ତୁତି ପ୍ରସଙ୍ଗରେ ବିସିସଆଇ ଗାଇଡଲାଇନରେ କ’ଣ ଉଲ୍ଲେଖ ରହିଛି?

ଆଇପିଏଲରେ ପିଚ୍‌ର ପ୍ରସ୍ତୁତି କାହା ନିୟନ୍ତ୍ରଣରେ ରହିଥାଏ?

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଗାଇଡଲାଇନରେ କୁହାଯାଇଛି ଯେ ଗ୍ରାଉଣ୍ଡ ଅଧିକାରୀଙ୍କ ପାଖରେ ପିଚ୍‌ ପ୍ରସ୍ତୁତ କରିବାର ସଂପୂର୍ଣ୍ଣ ନିୟନ୍ତ୍ରଣ ବା ଅଧିକାର ରହିଛି। ମ୍ୟାଚ୍‌ ପୂର୍ବରୁ ଗ୍ରାଉଣ୍ଡ ଅଥୋରିଟୀ ପିଚ୍‌ର ଚୟନ ଓ ପ୍ରସ୍ତୁତର ଦାୟିତ୍ୱ ନିର୍ବାହ କରିବେ। ମ୍ୟାଚ୍‌ ବେଳେ ପିଚ୍‌ର ନିୟନ୍ତ୍ରଣ ଓ ଏହାର ରକ୍ଷାଣବେକ୍ଷଣ ଦାୟିତ୍ୱ ଅମ୍ପାୟାରଙ୍କ ପାଖରେ ରହିବ। ଏଠାରେ ଗ୍ରାଉଣ୍ଡ ଅଥୋରିଟୀର ଅର୍ଥ ରାଜ୍ୟ କ୍ରିକେଟ ଆସୋସିଏସନ। ରାଜ୍ୟ କ୍ରିକେଟ ଆସୋସିଏସନର କ୍ୟୁରେଟର ହିଁ ପିଚ୍‌ ପ୍ରସ୍ତୁତ କରିବାର ପୂରା ଅଧିକାର ପାଇଛନ୍ତି ବୋଲି ଗାଇଡଲାଇନରେ କୁହାଯାଇଛି।

ସମାନ କଥା କୋଲାକାତାର ଇଡେନ ଗାର୍ଡେନ୍ସ ପିଚ କ୍ୟୁରେଟର ସୂଜନ ମୁଖାର୍ଜୀ କହିଥିଲେ। ସେ କହିଥିଲେ ଯେ “ ଆଇପିଏଲର ନିୟମ ଅନୁସାରେ ପ୍ରାଞ୍ଚାଇଜ ପିଚ୍‌ ପ୍ରସ୍ତୁତିକୁ ନେଇ କିଛି ବି କହି ପାରିବେ ନାହିଁ। ମୁଁ ଇଡେନର କ୍ୟୁରେଟର ଦାୟିତ୍ୱ ପାଇବା ଦିନ ଠାରୁ ପିଚ୍‌ଗୁଡ଼ିକ ସବୁବେଳେ ସମାନ ଢଙ୍ଗରେ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ପିଚ୍‌ ଯାହା ଥିଲା, ଏବେ ବି ସେଇଆ ଅଛି ଓ ଭବିଷ୍ୟତରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ।”

ଗୋଟିଏ ବାକ୍ୟରେ କହିବାକୁ ଗଲେ ପିଚ୍‌ ପ୍ରସ୍ତୁତି ଉପରେ ଆଇପିଏଲ ପ୍ରାଞ୍ଚାଇଜମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ ଓ ସେମାନେ ନିଜ ଇଚ୍ଛା ଅନୁସାରେ ଏହାକୁ ପ୍ରସ୍ତୁତ କରିବାକୁ ଦାବି କରିପାରିବେ ନାହିଁ। ସେମାନେ ଘରୋଇ ପିଚ୍‌ରେ ସୁହାଇବା ଭଳି ଖେଳାଳିଙ୍କୁ ଚୟନ କରିପାରିଲେ ଭଲ।

ପଚ୍‌ କ୍ୟୁରେଟର୍ସମାନଙ୍କୁ ମଧ୍ୟ ଗୋଟିଏ କଥା ମନେ ରଖିବାକୁ ପଡ଼ିବ। ସେମାନଙ୍କ ପାଖରେ ପିଚ୍‌ ବର୍ଷକ ମଧ୍ୟରୁ ୧୦ ମାସ ରହୁଛି। ଆଇପିଏଲ ୨ ମାସ ଅନୁଷ୍ଠିତ ହେଉଛି। ଆଇପିଏଲରେ ସେମାନେ ଘରୋଇ ଟିମର ଚାହିଦା ଅନୁସାରେ ପିଚ୍‌ ପ୍ରସ୍ତୁତ କଲେ ଭଲ। କାରଣ ପ୍ରାଞ୍ଚାଇଜମାନେ ଉକ୍ତ ପିଚ୍‌କୁ ନିଜ ଘର ଭାବେ ବିବେଚନା କରି ଟଙ୍କା ଓ ସମୟ ଦେଉଛନ୍ତି। ପିଚ୍‌ ସେମାନଙ୍କ ଅନୁସାରେ ପ୍ରସ୍ତୁତ ହେଲେ, ଏହା ଘରୋଇ ଟିମକୁ ବେଶ ଲାଭ ଦେବାରେ ସକ୍ଷମ ହେବ।