କଣାସରେ ଡାଇରିଆରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଦାୟୀ: ବିଜେଡି

ଭୁବନେଶ୍ୱର : ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ଡାଇରିଆରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟ ସରକାର […]

କଣାସରେ ଡାଇରିଆରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଦାୟୀ: ବିଜେଡି
State government responsible for 4 deaths due to diarrhea in Kanas said BJD

ଭୁବନେଶ୍ୱର : ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ଡାଇରିଆରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ କୌଣସି ପ୍ରକାରର ତତ୍ପରତା ଦେଖାଇ ନାହାନ୍ତି ବୋଲି ଅଭିଯୋଗ କରିଥିଲେ।

ଶ୍ରୀ ସାମନ୍ତରାୟ କହିଥିଲେ, କଣାସ ଅଞ୍ଚଳର ବାସିନ୍ଦାମାନେ ଗତ ୧୦ ଦିନ ହେବ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଓ ଏହା ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ସତ୍ତେ୍ୱ ରାଜ୍ୟ ସରକାରଙ୍କ ପ୍ରତିନିଧି ତ ଦୂରର କଥା, ସ୍ଥାନୀୟ ବିଧାୟକ ଓ ସାଂସଦ ମଧ୍ୟ ଗତକାଲି ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ସେଠାରେ ପହଁଚିଲା ପରେ ଲୋକଙ୍କ ରୋଶର ଶିକାର ହୋଇଥିଲେ।

ସେ କହିଥିଲେ, ଏହି ସମସ୍ୟା ମୁଖ୍ୟତଃ ଦୟା, ଲୁଣା ଓ ମକରା ନଦୀର ପ୍ରଦୂଷିତ ଜଳକୁ ଜନସାଧାରଣ ପିଇବା ପାଇଁ ବ୍ୟବହାର କରୁଥିବାରୁ ଘଟୁଛି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଗଙ୍ଗୁଆ ନଦୀର ଜଳରେ ଭୁବନେଶ୍ୱରର ସ୍ୱିଏଜ ପାଣି ମିଶୁଥିବାରୁ ଓ ଗଙ୍ଗୁଆ ନଦୀର ଜଳ ଦୟା ନଦୀରେ ମିଶୁଥିବାରୁ ଜଳ ପ୍ରଦୂଷିତ ହେଉଛି ଓ ଏହି ଜଳ ପାନୀୟ ଉପଯୋଗୀ ରହୁନାହିଁ।

ପ୍ରଦୂଷିତ ସ୍ୱିଏଜ ଜଳକୁ ପ୍ରଦୂଷଣରୁ ରୋକିବା ପାଇଁ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପୂର୍ବ ସରକାର ୯୦୦ କୋଟି ଟଙ୍କା ମଞ୍ଜୁରୀ ଦେଇଥିଲେ। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓ ନଗର ଉନ୍ନୟନ ବିଭାଗ, ଜଙ୍ଗଲ ପରିବେଶ ବିଭାଗର ସେକ୍ରେଟାରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଯାଇଥିଲା, ଯାହା ନୂତନ ସରକାର ଆସିବା ପରେ ବନ୍ଦ ହୋଇ ରହିଛି। ସେହିପରି, ଗଙ୍ଗୁଆ ଓ ଦୟା ନଦୀରେ ପ୍ରଦୂଷିତ ଜଳ ନମିଶିବା ଲାଗି ଆଉ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ଲାଗିବ ବୋଲି ଟେଣ୍ଡର ଡକାଯାଇଥିଲେ ସୁଦ୍ଧା ନୂଆ ସରକାର ଆସିବା ପରେ ଏହି କାର୍ଯ୍ୟ ଆଗକୁ ବଢ଼ୁନାହିଁ। କଣାସ ପିଏଚ୍‌ସିରେ ଏବେ ଚାବି ଝୁଲୁଛି। ସେଠାରେ କାର୍ଯ୍ୟରତ ଥିବା ଲୋକପ୍ରିୟ ଡାକ୍ତର ରମେଶ ବେହେରା, ବିଧାୟକଙ୍କ ଦୁର୍ବ୍ୟବହାର ଯୋଗୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି।

ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପାଇପ ଯୋଗେ ପ୍ରତି ଘରକୁ ଜଳ ଯୋଗାଣ ବ୍ୟବସ୍ଥା କାମ ପ୍ରାୟତଃ ଶେଷ ହୋଇ ଆସିଥିଲେ ମଧ୍ୟ ନୂଆ ସରକାର ଆସିବା ପରେ କାମ ବନ୍ଦ ହୋଇ ରହିଛି। ତେଣୁ ସରକାର ବ୍ୟବସ୍ଥିତ ହୋଇସାରିଥିବା କାର୍ଯ୍ୟକୁ ତୁରନ୍ତ କରନ୍ତୁ। ତାଛଡ଼ା, ରାଜ୍ୟ ସରକାର ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ପ୍ରଦାନ କରନ୍ତୁ ଓ ଡାଇରିଆକୁ ନିୟନ୍ତ୍ରଣରେ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି ବୋଲି ଶ୍ରୀ ସାମନ୍ତରାୟ କହିଥିଲେ।