କମାଲ୍‌ କଲେ ଲିଟିଲ୍‌ ଚେସ୍‌ ମାଷ୍ଟର; ଜିତିଲେ ଅନ୍ତର୍ଜାତୀୟ ମେଡାଲ

କମାଲ୍ କଲା ୮ବର୍ଷର ବିଚକ୍ଷଣ ନାବାଳକ। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଜିତିଲା ଅନ୍ତର୍ଜାତୀୟ ମେଡାଲ। ଭୁବନେଶ୍ବରର କୁନି ପୁଅ ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛି ଗୌରବ।

କମାଲ୍‌ କଲେ ଲିଟିଲ୍‌ ଚେସ୍‌ ମାଷ୍ଟର; ଜିତିଲେ ଅନ୍ତର୍ଜାତୀୟ ମେଡାଲ

କମାଲ୍ କଲା ୮ବର୍ଷର ବିଚକ୍ଷଣ ନାବାଳକ। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଜିତିଲା ଅନ୍ତର୍ଜାତୀୟ ମେଡାଲ। ଭୁବନେଶ୍ବରର କୁନି ପୁଅ ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛି ଗୌରବ। ଜର୍ଜିଆରେ ଆୟୋଜିତ ହୋଇଥିବା ଅଣ୍ଡର-୮ ଫିଡେ ଚେସ୍‌ ବିଶ୍ବକପରେରେ ବ୍ରୋଞ୍ଜ ମେଡାଲ ଜିତି ସମସ୍ତଙ୍କୁ କରିଛି ଗୌରବାନ୍ୱିତ।

ଭୁବନେଶ୍ୱରର ସାତ୍ତ୍ୱିକ ସ୍ୱାଇଁ। ବୟସ ମାତ୍ର ୮ବର୍ଷ। ହେଲେ ଏହି କୁନି ବାଳକ କରିଦେଖାଇଛି କମାଲ୍। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଅନ୍ତର୍ଜାତୀୟ ମେଡାଲ ଜିତିଛି । ଜର୍ଜିଆରେ ଆୟୋଜିତ ହୋଇଥିବା ଅଣ୍ଡର ୮, ଅଣ୍ଡର ୧୦ ଓ ଅଣ୍ଡର ୧୨ ଫିଡେ ଚେସ ବିଶ୍ବକପ। ସାତ୍ତ୍ୱିକ ଅଣ୍ଡର-୮ ଫିଡେ ଚେସ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସାତ୍ତ୍ଵିକ ୧୫୬୭ ପଏଣ୍ଟ ହାସଲ କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଜାଦ ଖୁଦୁଜାଦେଙ୍କୁ ପରାସ୍ତ କରି ବ୍ରୋଞ୍ଜ ମେଡାଲ ଜିତିଛନ୍ତି।

ବ୍ରୋଞ୍ଜ ମେଡାଲ ଜିତି ଓଡ଼ିଶା ଫେରିଛନ୍ତି ସାତ୍ତ୍ବିକ। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ରାଜ୍ୟ ପାଇଁ ମେଡାଲ ଜିତିଥିବାରୁ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। ପୂର୍ବରୁ ମଧ୍ୟ ରାଷ୍ଟ୍ରୀୟ ଏବଂ ଜାତୀୟ ସ୍ତରରେ ଅନେକ ପଦକ ଜିତି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ସାତ୍ତ୍ବିକ ।ପୁଅର ପ୍ରଦର୍ଶନକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ସାତ୍ତ୍ବିକଙ୍କ ବାପା-ମା।

ବିଶେଷକରି ମା’ ସୋନମ ମହାନ୍ତିଙ୍କ ସାତ୍ତ୍ବିକଙ୍କ ଚେସ ଖେଳିବା ଯାତ୍ରାରେ ବହୁ ଅବଦାନ ରହିଛି। କୋଭିଡ ସମୟରେ ସେ ପୁଅକୁ ଚେସ ଖେଳିବା ଶିଖାଇଥିଲେ। ସାତ୍ତ୍ବିକ ମଧ୍ୟ ଚେସ ପ୍ରତି ଆଗ୍ରହ ଦେଖାଇ ୟୁଟୁବରୁ ଆଡଭାନ୍ସ ଖେଳ ଶିଖିଥିଲେ ବୋଲି କହିଛନ୍ତି ମା’ ସୋନମ । ଭବିଷ୍ୟତରେ ଗ୍ରାଣ୍ଡ ମାଷ୍ଟର ହେବାକୁ ଲକ୍ଷ୍ୟ ରଖିଛନ୍ତି ସାତ୍ତ୍ବିକ। ତେଣୁ ଆଗକୁ ସରକାରୀ ସ୍ତରରେ ସାହାଯ୍ୟ ମିଳିଲେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ତାଙ୍କ ପରିବାର ।