କଳାପାଟ-ବଡ଼ମୂଳ ରାସ୍ତା କାମ ଅଧାପନ୍ତରିଆ
ଗଣିଆ,୨୯ା୩(ସନ୍ତୋଷ କୁମାର ପ୍ରଧାନ): ନୟାଗଡ଼ ଜିଲା ଗଣିଆ-କୁତୁରୀ ପୂର୍ତ୍ତ ବିଭାଗ ରାସ୍ତାକୁ ଅକ୍ତିଆର କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହି ରାସ୍ତାର ଗଣିଆଠାରୁ ବଡ଼ମୂଳ ପର୍ଯ୍ୟନ୍ତ ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ହାତକୁ ନେଇଛି। ଗତ ୫ବର୍ଷ ତଳେ ପ୍ରଥମ ପର୍ଯ୍ୟାୟରେ ଗଣିଆ ବଜାରଠାରୁ କଳାପାଟ ଠାକୁରାଣୀ ପୀଠ ପର୍ଯ୍ୟନ୍ତ ୧୦ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। […] The post କଳାପାଟ-ବଡ଼ମୂଳ ରାସ୍ତା କାମ ଅଧାପନ୍ତରିଆ appeared first on Dharitri Odia News.
ଗଣିଆ,୨୯ା୩(ସନ୍ତୋଷ କୁମାର ପ୍ରଧାନ): ନୟାଗଡ଼ ଜିଲା ଗଣିଆ-କୁତୁରୀ ପୂର୍ତ୍ତ ବିଭାଗ ରାସ୍ତାକୁ ଅକ୍ତିଆର କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହି ରାସ୍ତାର ଗଣିଆଠାରୁ ବଡ଼ମୂଳ ପର୍ଯ୍ୟନ୍ତ ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ହାତକୁ ନେଇଛି। ଗତ ୫ବର୍ଷ ତଳେ ପ୍ରଥମ ପର୍ଯ୍ୟାୟରେ ଗଣିଆ ବଜାରଠାରୁ କଳାପାଟ ଠାକୁରାଣୀ ପୀଠ ପର୍ଯ୍ୟନ୍ତ ୧୦ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୨ରେ କଳାପାଟ ଠାକୁରାଣୀ ପୀଠଠାରୁ ବଡ଼ମୂଳ ୧୪ କି.ମି. ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୫କୋଟି ୨୫ଲକ୍ଷ ୨୧ହଜାର ଟଙ୍କା ମଞ୍ଜୁର ହୋଇଥିଲା। ୧୪ କି.ମି. ରାସ୍ତା ମଧ୍ୟରୁ ୩.୫୦୦କି.ମି. କଂକ୍ରିଟ ଓ ୧୦.୫୦୦ କି.ମି. ପିଚୁ ରାସ୍ତା ପାଇଁ ଅଟକଳ ରହିଛି। ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୨ ଫେବୃଆରୀ ୨୩ରୁ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ୨୨ରେ ଶେଷ ହେବାର ଅବଧି ରହିଥିଲା। ତେବେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ସାଙ୍ଗକୁ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ କେତେବେଳେ କାର୍ଯ୍ୟ ହେଉଛି ତ ଆଉ କେତେବେଳେ କାର୍ଯ୍ୟ ବନ୍ଦ ରହୁଛି। ଏହି ରାସ୍ତାରେ ବିଛାଡି ହୋଇ ପଡିଥିବା ମେଣ୍ଟାଲ ଉପରେ ଡଷ୍ଟ ପକାଇ ରଖାଯାଇଛି। ନିର୍ମାଣ ହୋଇଥିବା କଲର୍ଭଟଗୁଡ଼ିକ ନିମ୍ନମାନର କାର୍ଯ୍ୟ ଯୋଗୁ ଅନେକ ସ୍ଥାନରେ ଏହା ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ଠିକାଦାର ରାସ୍ତାର ଅନେକ ସ୍ଥାନରେ ଖୋଳି ଅଧାପନ୍ତରିଆ ଭାବେ ପକାଇ ଦେଇଥିବାରୁ ଲୋକମାନେ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକମାନେ କାର୍ଯ୍ୟ ଶେଷ ପାଇଁ ଠିକାଦାର ଓ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ବି କର୍ଣ୍ଣପାତ କରୁନାହାନ୍ତି।
ଏହି ରାସ୍ତାରେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଉଚ୍ଚ ପଦାଧିକାରୀମାନେ ଯାତାୟତ କରୁଥିଲେ ମଧ୍ୟ କାହାର ଦୃଷ୍ଟି ପଡୁନାହିଁ। ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ବିଭିନ୍ନ ପ୍ରକାର ଭାରିଯାନ ଚଳାଚଳ ଦ୍ୱାରା ରାସ୍ତାର ଏକାଧିଖ ସ୍ଥାନରେ ବଡ ବଡ ଖାଲ ସୃଷ୍ଟି ହୋଇଛି। ଫଳରେ ଅସରାଏ ବର୍ଷା ହେଲେ ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇପଡୁଛି। ତେବେ ପୂର୍ତ୍ତ ବିଭାଗଠାରୁ ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯିବା ପରେ ଭଲ ରାସ୍ତା କାମ ହେବ ବୋଲି ସ୍ଥାନୀୟ ଲୋକେ ଆଶା କରିଥିଲେ। ହେଲେ ନିମ୍ନମାନର କାର୍ଯ୍ୟ ହେଉଛି। ପୁଣି ସେଥିରେ ବିଳମ୍ବ କରାଯାଉଥିବା ଯୋଗୁ ସାଧାରଣରେ ଅସନ୍ତେଷ ପ୍ରକାଶ ପାଇଛି। ସେହିପରି ବୃତ୍ତଙ୍ଗ ସେତୁର ପଶ୍ଚିମ ପାର୍ଶ୍ୱ ରାସ୍ତା ପାର୍ଶ୍ୱ ଧୋଇ ରାସ୍ତା ଖାଇ ଯାଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏହାର ମରାମତି ପାଇଁ ଦୃଷ୍ଟି ଦେଉନାହାନ୍ତି। ଫଳରେ ଲଗାଣ ବର୍ଷା ହେଲେ ରାସ୍ତା ଧୋଇ ଯାତାୟତରେ ବାଧା ସୃଷ୍ଟି ହେଉଛି। ଏଥିଯୋଗୁ ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା ଦେଖାଦେଉଛି।
ପ୍ରକାଶଯୋଗ୍ୟ, ଗଣିଆ ସାଉଥ ବଡ଼ମୂଳ ମଙ୍ଗାନାସୀଠାରେ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ରହିଛି। ବର୍ଷସାରା ଏଠାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାଆନ୍ତି। ରାସ୍ତାର ଏଭଳି ଦୂରବସ୍ଥା ଦେଖି ପର୍ଯ୍ୟଟକମାନେ ଏଠାକୁ ପୁଣିଥରେ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଗଣିଆ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ସାହୁଙ୍କୁ ପଚାରିବାରୁ ଏହି ରାସ୍ତାର ତଥ୍ୟ ମୋ ପାଖରେ ନାହିଁ , କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରନ୍ତୁ ବୋଲି କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ତେବେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଗଣିଆରେ ଦେଖା ମିଳୁ ନ ଥିବା ବେଳେ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ କାର୍ଯ୍ୟର ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଦୃଷ୍ଟି ଦେବା ସହିତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ନଚେତ୍ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଜନଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି।
The post କଳାପାଟ-ବଡ଼ମୂଳ ରାସ୍ତା କାମ ଅଧାପନ୍ତରିଆ appeared first on Dharitri Odia News.