କାରରୁ ମିଳିଲା ୨୦ ଲକ୍ଷ, ଭ୍ୟାନ୍‌ରୁ ମିଳିଲା ୪ ଲକ୍ଷ

ଭ୍ୟାନ୍‌ରେ ଥିବା ୨ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଥିବା ବେଳେ କାର ଚାଳକ ଫେରାର ହୋଇଯାଇଛନ୍ତି।

କାରରୁ ମିଳିଲା ୨୦ ଲକ୍ଷ, ଭ୍ୟାନ୍‌ରୁ ମିଳିଲା ୪ ଲକ୍ଷ

ନିର୍ବାଚନ ସମୟ ଚାଲିଥିବା ଯୋଗୁ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ଗାଡ଼ିଗୁଡ଼ିକୁ ଚେକିଂ କରାଯାଉଛି। ଏହି କ୍ରମରେ ଆଜି ରାଜ୍ୟର ଦୁଇଟି ସ୍ଥାନରୁ ପୁଲିସ୍ ୨୪ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭଦ୍ରାସାହି ଛକ ନିକଟରେ ଯାଞ୍ଚ ଚାଲିଥିବା ବେଳେ ଏକ କାର୍‌ରୁ ପୁଲିସ ୨୦ ଲକ୍ଷ ଟଙ୍କା ଜବତ କରିଛି। ଦୁଇଟି ବ୍ୟାଗ୍‌ରେ ଏହି ଟଙ୍କା ଥିଲା। ଏହି ଟଙ୍କା କାହାର ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଧରାପଡ଼ିଯିବା ଭୟରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସେହିପରି ନୂଆପଡ଼ା-ବରଗଡ଼ ଜିଲ୍ଲା ସୀମାନ୍ତ ନୂଆପଡ଼ା ପୁଲିସର ସାହିପଲା ଚେକ୍‌ ପୋଷ୍ଟ ନିକଟରେ ବ୍ଳକିଂ ଚେକିଂ ଚାଲିଥିବା ବେଳେ ଏକ ଭ୍ୟାନରୁ ୪ ଲକ୍ଷ ୮୯ ହଜାର ଟଙ୍କା ଜବତ ହୋଇଛି। ବରଗଡ ଜିଲ୍ଲାରୁ ନୂଆପଡ଼ା ଅଭିମୁଖେ ଏହି ଭ୍ୟାନ୍‌ଟି ଆସୁଥିବା ବେଳେ ନୂଆପଡ଼ା ପୁଲିସ ଏହାକୁ ଯାଞ୍ଚ କରି ଥିଲା। ପୁଲିସ୍ ଗାଡ଼ିରୁ ମିଳିଥିବା ୪ ଲକ୍ଷ ୮୯ ହଜାର ଟଙ୍କା ଜବତ କରିଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି। ଅଟକ ବ୍ୟକ୍ତି ଦ୍ୱୟ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ର ବୋଲି ଜଣାପଡ଼ିଛି।