କାଳ ହେଲା ବାହାଘର ଭୋଜି, ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର
ବାହାଘର ଭୋଜି ଖାଇ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଏଭଳି ଦୁଃଖଦ ଘଟଣା ଘଟିଛି।
ମାଲକାନଗିରି ମାଥିଲି ବ୍ଲକ ଚାଉଳମେନ୍ଦି ପଞ୍ଚାୟତ ବନ୍ଧଗୁଡା ଗ୍ରାମର ଧନା ନାଲି ସହ ତାଙ୍କର ୪ ଶିଶୁ ଏକ ବାହାଘରର ଭୋଜି ଖାଇବାକୁ ନୂଆଗୁଡା ଗ୍ରାମକୁ ଯାଇଥିଲେ। ଭୋଜି ଖାଇ ଘରକୁ ଫେରିବା ପରେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ସମସ୍ତଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ପ୍ରଥମେ ମାଥିଲି ମେଡିକାଲ, ପରେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାଲକାନଗିରି ମେଡିକାଲରେ ଜଣେ ଶିଶୁର ମୃତ୍ୟୁ ହୋଇଯାଇଥିଲା। ଅନ୍ୟମାନେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିଲା।
ତେବେ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଯାଞ୍ଚ କରୁଛନ୍ତି ଓ ଖାଦ୍ୟର ନମୂନା ପରୀକ୍ଷା ପାଇଁ ପଠଯାଇଛି। ଭୋଜି ଖାଇ କାହିଁକି ଶିଶୁମାନେ ଅସୁସ୍ଥ ହୋଇପଡ଼ିଲେ ତାହାର କାରଣ ଜଣାପଡ଼ି ନାହିଁ। ପ୍ରାଥମିକ ତଦନ୍ତରୁ ଏହା ଫୁଡ ପଏଜନିଂ ବୋଲି ଜଣାପଡ଼ୁଛି। ଏହି ଘଟଣାର ତଦନ୍ତ ଚାଲିଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।