କିଏ ହେବେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ? ଚାଇନାକୁ ଭାରତର କାଉଣ୍ଟର

ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ବ୍ୟତୀତ ତାଙ୍କ ଉତ୍ତରାଧିକାରୀ ଚୟନ କରିବାର କ୍ଷମତା ଆଉ କାହାର ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।

କିଏ ହେବେ ଦଲାଇ ଲାମାଙ୍କ ଉତ୍ତରାଧିକାରୀ? ଚାଇନାକୁ ଭାରତର କାଉଣ୍ଟର

ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀଙ୍କୁ ଚାଇନା ମନୋନୀତ କରିବ ବୋଲି ବେଜିଂ ଦେଇଥିବା ବୟାନକୁ ଆଜି ଭାରତ କଡ଼ା ବିରୋଧ କରିଛି। ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ବ୍ୟତୀତ ତାଙ୍କ ଉତ୍ତରାଧିକାରୀ ଚୟନ କରିବାର କ୍ଷମତା ଆଉ କାହାର ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।

ଭାରତର ସଂଖ୍ୟାଲଘୁ ମନ୍ତ୍ରୀ କରିଣ ରିଜିଜୁ ଗୋଟିଏ ବିବୃତିରେ କହିଛନ୍ତି, “ଦଲାଇ ଲାମାଙ୍କ ସ୍ଥାନ ବା ପଦବୀ ବେଶ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ତିବ୍ଦତୀୟଙ୍କ ପାଇଁ ନୁହେଁ, ବରଂ ପୂରା ବିଶ୍ୱରେ ଥିବା ତାଙ୍କ ଅନୁଗାମୀଙ୍କ ପାଇଁ ଏହି ପଦ ବେଶ ମହତ୍ତ୍ୱ ରଖିଥାଏ। ତେଣୁ ଉତ୍ତରାଧିକାରୀ କିଏ ହେବେ, ତା’ର ପୂରା ନିଷ୍ପତ୍ତି ଦଲାଇ ଲାମାଙ୍କ ଉପରେ ନିର୍ଭର କରେ।”

ରିଜିଜୁ ଓ ଜେଡିୟୁ ନେତା ଲଲନ ସିଂହ ଭାରତ ସରକାରଙ୍କ ପ୍ରତିନିଧି ଭାବେ ଧର୍ମଶାଳା ଗସ୍ତ କରିବା ସହ ବର୍ତ୍ତମାନର ଦଲାଇ ଲାମାଙ୍କ ୯୦ତମ ଜନ୍ମ ଦିନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହା ସଂପୂର୍ଣ୍ଣ ଗୋଟିଏ ଧାର୍ମିକ ଉତ୍ସବ ବୋଲି ରିଜିଜୁ କହିଛନ୍ତି।

ନିର୍ବାସନ ଦଣ୍ଡ ଭୋଗୁଥିବା ତିବ୍ଦତୀୟ ଧର୍ମଗୁରୁ ୬୦୦ ବର୍ଷର ପୁରୁଣା ପରମ୍ପରାକୁ ଅନୁକରଣ କରି ଦଲାଇ ଲାମା ନିଜ ଜୀବନ ବାଦ ବି କାର୍ଯ୍ୟ କରିବେ ଓ ୧୫ତମ ଦଲାଇ ଲାମାଙ୍କ ଚୟନ ଗାଡେନ ଫୋଡ୍ରାଙ୍ଗ ଟ୍ରଷ୍ଟ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରେ ବୋଲି କହିବା ପରେ କେନ୍ଦ୍ରମନ୍ତ୍ରୀ ରିଜିଜୁଙ୍କ ବୟାନ ସାମ୍ନାକୁ ଆସିଛି। ଗାଡେନ ଫୋଡ୍ରାଙ୍ଗ ଟ୍ରଷ୍ଟ ହେଉଛି ଦଲାଇ ଲାମାଙ୍କ ବିଧିବଦ୍ଧ ଅଫିସ।

ତେବେ ଚାଇନା ଏହାକୁ ବିରୋଧ କରିଥିଲା। ପରବର୍ତ୍ତୀ ଦଲାଇ ଲାମା କିଏ ହେବେ, ତା’ର ଅନୁମତି ବେଜିଂ ହିଁ ଦେବ ବୋଲି ଚାଇନା ପକ୍ଷରୁ କୁହାଯାଇଥିଲା। ୧୯୫୯ରେ ଚାଇନା ବଳପୂର୍ବକ ତିବ୍ବତକୁ ଦଖଲ କରିବାରୁ ୧୪ତମ ଦଲାଇ ଲାମା ପ୍ରାଣ ବଞ୍ଚାଇବାକୁ ଭାରତ ପଳାଇ ଆସିଥିଲେ। ସେତେବେଳେ ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା। ସେହିଦିନଠାରୁ ଚାଇନା ସରକାର ଦଲାଇ ଲାମାଙ୍କୁ ଜଣେ ବିଚ୍ଛିନ୍ନତାବାଦୀ ଭାବେ ବିବେଚନା କରିଆସୁଛି।

୧୯୮୯ରେ ଦଲାଇ ଲାମାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିବାବେଳେ ଆମେରିକାର ଖ୍ୟାତନାମା ‘ଟାଇମ’ ପତ୍ରିକା ପକ୍ଷରୁ ଅହିଂସା ପ୍ରସଙ୍ଗରେ ତାଙ୍କୁ ମହାତ୍ମା ଗାନ୍ଧିଙ୍କ ପ୍ରକୃତ ଉତ୍ତରାଧିକାରୀ ବୋଲି ବିବେଚନା କରାଯାଇଛି। ଦଲାଇ ଲାମାଙ୍କ ପ୍ରକୃତ ନାମ ତେନ୍‌ଜିନ୍‌ ଗ୍ୟାତ୍‌ସୋ। ୧୯୪୦ରେ ସେ ୧୪ତମ ଦଲାଇ ଲାମା ଭାବେ ମନୋନୀତ ହୋଇଥିଲେ।