କିଛି ସମର୍ଥନ, କିଛି ବିରୋଧ

ନୂଆଦିଲ୍ଲୀ,୭ା୭: ଲୋକ ସଭା ନିର୍ବାଚନ ସହ ରାଜ୍ୟ ବିଧାନସଭାଗୁଡ଼ିକର ଭୋଟ ଏକସଙ୍ଗେ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଭାରତର ୩ ଜଣ ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) କିଛି ସମର୍ଥନ କରିଥିବାବେଳେ ଏଥିରେ ଥିବା କେତେକ ପ୍ରସଙ୍ଗକୁ ବିରୋଧ ମଧ୍ୟ କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବ ସିଜେଆଇମାନେ ‘ଏକ ଦେଶ ଏକ ନିର୍ବାଚନ’ ସମ୍ପର୍କିତ ବିଲ୍‌ ଉପରେ ଅନୁଧ୍ୟାନ ପାଇଁ ଗଢ଼ାଯାଇଥିବା ସଂସଦୀୟ କମିଟିକୁ ନିଜ ନିଜର ମତ ଜଣାଇଦେଇଛନ୍ତି। ତେବେ ଏଥିରେ ନିର୍ବାଚନ କମିଶନ(ଇସି)ଙ୍କୁ ପ୍ରଦତ୍ତ […] The post କିଛି ସମର୍ଥନ, କିଛି ବିରୋଧ appeared first on Dharitri Odia News.

କିଛି ସମର୍ଥନ, କିଛି ବିରୋଧ

ନୂଆଦିଲ୍ଲୀ,୭ା୭: ଲୋକ ସଭା ନିର୍ବାଚନ ସହ ରାଜ୍ୟ ବିଧାନସଭାଗୁଡ଼ିକର ଭୋଟ ଏକସଙ୍ଗେ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଭାରତର ୩ ଜଣ ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) କିଛି ସମର୍ଥନ କରିଥିବାବେଳେ ଏଥିରେ ଥିବା କେତେକ ପ୍ରସଙ୍ଗକୁ ବିରୋଧ ମଧ୍ୟ କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବ ସିଜେଆଇମାନେ ‘ଏକ ଦେଶ ଏକ ନିର୍ବାଚନ’ ସମ୍ପର୍କିତ ବିଲ୍‌ ଉପରେ ଅନୁଧ୍ୟାନ ପାଇଁ ଗଢ଼ାଯାଇଥିବା ସଂସଦୀୟ କମିଟିକୁ ନିଜ ନିଜର ମତ ଜଣାଇଦେଇଛନ୍ତି। ତେବେ ଏଥିରେ ନିର୍ବାଚନ କମିଶନ(ଇସି)ଙ୍କୁ ପ୍ରଦତ୍ତ କ୍ଷମତା ସମେତ ବିଭିନ୍ନ ଦିଗକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏକାଧିକ ପ୍ରସ୍ତାବ ଦେଇଛନ୍ତି। ପୂର୍ବତନ ସିଜେଆଇ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଯୁଗ୍ମ ସଂସଦୀୟ କମିଟିରେ ମତାମତ ଦାଖଲ କରିଛନ୍ତି। ଲୋକ ସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକସଙ୍ଗେ କରାଗଲେ ସମ୍ବିଧାନର ମୌଳିକ ଢାଞ୍ଚାଗତ ସିଦ୍ଧାନ୍ତର ଉଲ୍ଲଂଘନ ହେବ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ କରାଯାଇଥିବା ସମାଲୋଚନାକୁ ସେ ଖଣ୍ଡନ କରିଦେଇଛନ୍ତି। ଲୋକ ସଭା ଓ ବିଧାନସଭା ନିର୍ବାଚନ ପୃଥକ୍‌ ଭାବେ କରାଯିବ ବୋଲି ସମ୍ବିଧାନରେ ବାଧ୍ୟତାମୂଳକ କରାଯାଇ ନ ଥିବା ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ କହିଛନ୍ତି। ତେବେ ପ୍ରସ୍ତାବିତ ସାମ୍ବିଧାନିକ ସଂଶୋଧନ ଆଇନରେ ଇସିଙ୍କୁ ଯେଉଁ କ୍ଷମତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ତାକୁ ନେଇ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ ଉଠାଇଥିବା ପ୍ରଶ୍ନ ସହ ଚନ୍ଦ୍ରଚୂଡ଼ ସହମତି ପ୍ରକାଶ କରିଛନ୍ତି। ଇସିଙ୍କୁ ଏଭଳି ନିରଙ୍କୁଶ କ୍ଷମତା ପ୍ରଦାନ ଫଳରେ କମିଶନ ଏକକାଳୀନ ନିର୍ବାଚନ କରାଇବା ଆଳରେ କୌଣସି ବିଧାନସଭାର କାର୍ଯ୍ୟକାଳ ହ୍ରାସ କିମ୍ବା ବୃଦ୍ଧି କରାଇବା ବ୍ୟବହାରିକ ନୁହେଁ। ଇସିଆଇ କେଉଁ ପରିସ୍ଥିତିରେ ଏହି କ୍ଷମତା ପ୍ରୟୋଗ କରିପାରିବେ ତାହା ସମ୍ବିଧାନ ସ୍ପଷ୍ଟ କରିବା ଜରୁରୀ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାଜପା ଏମ୍‌ପି ପି.ପି. ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଏବଂ ଜେ.ଏସ୍‌. ଖେହର ଜୁଲାଇ ୧୧ରେ ଉପସ୍ଥିତ ହୋଇ ବିଲ୍‌ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ପ୍ୟାନେଲ ସଦସ୍ୟମାନଙ୍କ ପ୍ରଶ୍ନ ଉପରେ ନିଜ ନିଜ ମତାମତ ରଖିବେ। ଏହା ପୂର୍ବରୁ ୨ ପୂର୍ବତନ ସିଜେଆଇ ୟୁ.ୟୁ. ଲଳିତ ଏବଂ ରଞ୍ଜନ ଗୋଗୋଇ ଯଥାକ୍ରମେ ୨୦୨୫ ଫେବୃଆରୀ ଓ ମାର୍ଚ୍ଚରେ ଉକ୍ତ କମିଟି ସମ୍ମୁଖରେ ହାଜର ହୋଇସାରିଛନ୍ତି।

The post କିଛି ସମର୍ଥନ, କିଛି ବିରୋଧ appeared first on Dharitri Odia News.