କେଜ୍ରିୱାଲଙ୍କୁ ୫ମ ଥର ପାଇଁ ସମନ କଲା ଇଡି
ଇଡି ୫ମ ଥର ପାଇଁ କେଜ୍ରିୱାଲଙ୍କୁ ସମନ କରି ସାରିଲାଣି। କିନ୍ତୁ ସେ ଥରେ ହେଲେ ବି ଦୁର୍ନୀତି ମାମଲାରେ ଜେରା ହେବାକୁ ଇଡି ଅଫିସରେ ପହଞ୍ଚି ନାହାନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଇଡି ପୁଣି ଥରେ ସମନ କରିଛି। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ କେଜ୍ରିୱାଲଙ୍କୁ ସମନ କରାଯାଇଛି।
ତାଙ୍କୁ ଶୁକ୍ରବାର ଦିଲ୍ଲୀ ସ୍ଥିତ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି। ଏହାକୁ ମିଶାଇ ଇଡି ୫ମ ଥର ପାଇଁ କେଜ୍ରିୱାଲଙ୍କୁ ସମନ କରି ସାରିଲାଣି। କିନ୍ତୁ ସେ ଥରେ ହେଲେ ବି ଦୁର୍ନୀତି ମାମଲାରେ ଜେରା ହେବାକୁ ଇଡି ଅଫିସରେ ପହଞ୍ଚି ନାହାନ୍ତି।
ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ପ୍ରଥମେ ନଭେମ୍ବର ୨, ପରେ ଡିସେମ୍ବର ୨୧, ଜାନୁଆରୀ ୩ ଓ ଜାନୁଆରୀ ୧୩ରେ କେଜ୍ରିୱାଲଙ୍କୁ ସମନ କରିଥିଲା। ପୂର୍ବରୁ ହୋଇଥିବା ସମନକୁ କେଜ୍ରିୱାଲ ଖାତିର କରି ନଥିଲେ। ଏଥର ବି ଯଦି ସେ ହାଜର ନ ହୁଅନ୍ତି, ତା’ହେଲେ ଗିରଫ ପରୱାନା ପାଇଁ ତଦନ୍ତକାରୀ ସଂସ୍ଥା କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରେ।
ପୂର୍ବରୁ ଇଡି କରିଥିବା ୪ଟି ସମନକୁ ଆପ ବସ୍ କେଜ୍ରିୱାଲ ବିଭିନ୍ନ ଆଳ ଦେଖାଇ ଟାଳି ଦେଇଥିଲେ। ସେ ଇଡିର ଏପରି ବାରମ୍ବାର ସମନକୁ ବେଆଇନ ଓ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରିବାକୁ ଗୋଟିଏ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଥିଲେ।
ତୃତୀୟ ସମନ ପରେ କେଜ୍ରିୱାଲ ଏହାକୁ ରାଜନୀତିକ ଅଭିସନ୍ଧି ବୋଲି କହି ଇଡିକୁ ତୀବ୍ର ସମାଲୋଚନା କରିଥିଲେ।