କେତେ ବାଟ ଗଲାଣି ରଥ ନିର୍ମାଣ କାମ

ଓଝା ସେବକମାନେ ତିନି ରଥର ଯୋକା କଣ୍ଟା, ଦଣ୍ଡା କଣ୍ଟା, ଅଗ ପତେଳି କଣ୍ଟା ସହ ବିଡ଼ିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

କେତେ ବାଟ ଗଲାଣି ରଥ ନିର୍ମାଣ କାମ

ପୁରୀ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ତିନି ରଥ ପାଇଁ ଆବଶ୍ୟକ ହେଉଥିବା ମୋଟ ୪୨ଟି ଚକ ମଧ୍ୟରୁ ୩୫ଟିର ନିର୍ମାଣ ଶେଷ ହୋଇଛି। ତିନି ରଥର ୨୧ ଗୋଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି। ଏଥିସହ ତିନି ରଥର ବିଭିନ୍ନ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

ତିନି ରଥର ନିର୍ମାଣ ଶେଷ ହୋଇଥିବା ଆଗ ଓ ପଛର ଦୁଇଟି ଲେଖାଏଁ ମୁହାଁଟର ଅନୁକୂଳ ପୂଜା ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେବ। ଏହା ସହିତ ତିନି ରଥର ପାଞ୍ଚଦଣ୍ଡାର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହେବ।

ତିନି ରଥର ରୂପକାର ସେବକମାନେ କୋଣ ଗୁଜାରେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଥିବା ବେଳେ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ କାର୍ଯ୍ୟ ସହ ରୁପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରି ରହିଛି।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଯୋକା କଣ୍ଟା, ଦଣ୍ଡା କଣ୍ଟା, ଅଗ ପତେଳି କଣ୍ଟା ସହ ବିଡ଼ିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।