କେନ୍ଦୁଝର ଜିଲାରେ ୧୩ ଲକ୍ଷ ୭୧ ହଜାର ୬୬୧ ଭୋଟର, ୧୭୨୦ ବୁଥ୍‌ରେ କରିବେ ମତଦାନ

କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ୧୮ତମ ସାଧାରଣ ନିର୍ବାଚନ ଲାଗି ଭାରତ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ତାରିଖ ଘୋଷଣା ହୋଇଥିବା ପରିପ୍ରେକ୍ଷୀରେ ରବିବାର ଜିଲାର ନିର୍ବାଚନୀ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲାପାଳ ବିଶାଲ ସିଂହ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଭାରତ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁଯାୟୀ, କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ଜିଲାର ସମସ୍ତ ୬ଟି ବିଧାନସଭା କ୍ଷେତ୍ର ଏବଂ କେନ୍ଦୁଝର […] The post କେନ୍ଦୁଝର ଜିଲାରେ ୧୩ ଲକ୍ଷ ୭୧ ହଜାର ୬୬୧ ଭୋଟର, ୧୭୨୦ ବୁଥ୍‌ରେ କରିବେ ମତଦାନ appeared first on Dharitri Odia News.

କେନ୍ଦୁଝର ଜିଲାରେ ୧୩ ଲକ୍ଷ ୭୧ ହଜାର ୬୬୧ ଭୋଟର,  ୧୭୨୦ ବୁଥ୍‌ରେ କରିବେ ମତଦାନ

କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶରେ ୧୮ତମ ସାଧାରଣ ନିର୍ବାଚନ ଲାଗି ଭାରତ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ତାରିଖ ଘୋଷଣା ହୋଇଥିବା ପରିପ୍ରେକ୍ଷୀରେ ରବିବାର ଜିଲାର ନିର୍ବାଚନୀ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲାପାଳ ବିଶାଲ ସିଂହ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

ଭାରତ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁଯାୟୀ, କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ଜିଲାର ସମସ୍ତ ୬ଟି ବିଧାନସଭା କ୍ଷେତ୍ର ଏବଂ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଅନ୍ତର୍ଭୁକ୍ତ ଥିବା ମୟୂରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ଲାଗି ମେ’ ୨୫ରେ ମତଦାନ ଅନୁଷ୍ଠିତ ହେବ। ଷଷ୍ଠ ପର୍ଯ୍ୟାୟ ପାଇଁ ଗେଜେଟ ବିଜ୍ଞପ୍ତି ୨୯ ଏପ୍ରିଲ ୨୦୨୪ରେ ପ୍ରକାଶ ପାଇବାକୁ ଥିବା ବେଳେ, ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ୬ ମେ’ ରଖାଯାଇଛି। ୭ ମେ’ ପ୍ରାର୍ଥିପତ୍ର ଯାଞ୍ଚ, ୯ ମେ’ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବା ବେଳେ ୨୫ ମେ’ରେ ମତଦାନ ଏବଂ ୪ ଜୁନ୍‌ରେ ଭୋଟ୍‌ ଗଣତି ହେବ ବୋଲି ଜିଲାପାଳ କହିଥିଲେ। ଆହୁରି ମଧ୍ୟ ଜିଲାପାଳ, ଜିଲାସ୍ତରରେ ଖର୍ଚ୍ଚ ତଦାରଖ ପାଇଁ ବ୍ୟବସ୍ଥା, ଜିଲାସ୍ତରୀୟ ମିଡିଆ ସାର୍ଟିଫିକେଟ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ବ୍ୟବହୃତ ନାଗରିକ/ ପ୍ରାର୍ଥୀ କୈନ୍ଦ୍ରିକ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟୋଗଗୁଡ଼ିକ ଯଥା ସି-ଭିଜିଲ ଆପ୍‌, ସୁବିଧା ପୋର୍ଟାଲ, ପ୍ରାର୍ଥୀ ଆଫିଡେଭିଟ ପୋର୍ଟାଲ, ଭୋଟର ସେବା ପୋର୍ଟାଲ, ଭୋଟର ହେଲ୍ପଲାଇନ ଏବଂ ସକ୍ଷମ ଆପ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଜିଲା ନିର୍ବାଚନ ପରିପ୍ରେକ୍ଷୀରେ ଅଧିକ ସୂଚନା ଦେବାକୁ ଯାଇ ଜିଲାପାଳ କହିଛନ୍ତି, ଜିଲାରେ ମତଦାତା ସଂଖ୍ୟା ୧୩,୭୧,୬୬୧ ଥିବା ବେଳେ ସେଥିମଧ୍ୟରୁ ୬,୮୩,୫୧୫ ପୁରୁଷ, ୬,୮୮,୦୬୦ ମହିଳା ଏବଂ ୮୬ ଜଣ ତୃତୀୟ ଲିଙ୍ଗୀ ଅଟନ୍ତି। ସମୁଦାୟ ଭୋଟରଙ୍କ ମଧ୍ୟରୁ ୧୨୪୮୪ ଜଣ ଦିବ୍ୟାଙ୍ଗ ଥିବା ବେଳେ ନୂତନ ଭୋଟର ସଂଖ୍ୟା ୩୫,୫୩୬ ହୋଇଥିବା ବେଳେ ୮୦ ବର୍ଷ ବୟସରୁ ଅଧିକ ୨୦,୦୦୫ ଭୋଟର ଜିଲାରେ ଏହି ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି। ସେହିପରି ଭାବେ ଜିଲାରେ ୬ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୬ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ରିଟର୍ନିଂ ଅଫିସର ଭାବେ ନିୟୋଜିତ ହୋଇଛନ୍ତି। ଜିଲାରେ ସର୍ବମୋଟ୍‌ ୧୭୨୦ ବୁଥ୍‌ ମଧ୍ୟରୁ ସ୍ବତନ୍ତ୍ର ଭାବେ ସଖୀ ବୁଥ୍‌ ୧୭୪, ଯୁବ ବୁଥ୍‌ ୩୦, ଦିବ୍ୟାଙ୍ଗ ବୁଥ୍‌ ୩, ଏବଂ ଗୋଟେ ଏଥ୍‌ନିକ ବୁଥ ଭାବରେ ଚିହ୍ନଟ ହୋଇଛି । ଏହି ୧୭୨୦ ପୋଲିଂ ଷ୍ଟେଶନରେ ୧୦,୭୩୧ ପୁରୁଷ ଏବଂ ୧୬୫୩ ମହିଳା ଏହିପରି ମୋଟ୍‌ ୧୨,୩୮୪ ଜଣ ପୋଲିଂ କର୍ମଚାରୀ ନିୟୋଜିତ ରହି ମତଦାନ ପ୍ରକ୍ରିୟା ଆଗେଇ ନେବେ।

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ଜିଲାପାଳ କହିଥିଲେ। ୨୪ ଘଣ୍ଟା ମଧ୍ୟରେ ହୋର୍ଡିଂ, ବ୍ୟାନର ଆଦି ବିଜ୍ଞାପନ ହଟାଇବାକୁ ଉଦ୍ୟମ କରାଯାଉଛି ବୋଲି କହିଥିଲେ। ନିର୍ବାଚନ ସମ୍ପର୍କିତ ଅଭିଯୋଗ ସିଧାସଳଖ ସି-ଭିଜିଲ ଆପ୍‌ର ଅଭିଯୋଗ କରିପାରିବେ। ୧୦୦ ଘଣ୍ଟା ମଧ୍ୟରେ ଅଭିଯୋଗ ଶୁଣାଣି କରାଯିବ ବୋଲି କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧୀକ୍ଷକ କୁଶଲକର ନୀତିନ ଡାଗୁଡୁ, ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଓ ନିର୍ବାଚନ ଡେପୁଟି କଲେକ୍ଟର ବିକାଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

The post କେନ୍ଦୁଝର ଜିଲାରେ ୧୩ ଲକ୍ଷ ୭୧ ହଜାର ୬୬୧ ଭୋଟର, ୧୭୨୦ ବୁଥ୍‌ରେ କରିବେ ମତଦାନ appeared first on Dharitri Odia News.