କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ
କାନ୍ଦି କାନ୍ଦି ଶେଷ ବିଦାୟ ଜଣାଇଲେ ଜୁଏଲ । ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳ ସଦସ୍ୟ ।
ଦୁଃଖଦ ଖବର । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ବିୟୋଗ। ଗତକାଲି ରାତିରେ ୫୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଝିଙ୍ଗିଆ। ଗତ ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି।
ଜୁଏଲ ନିଜ ପତ୍ନୀଙ୍କୁ ହରାଇ ମ୍ରିୟମାଣ ହୋଇପଡ଼ିଛନ୍ତି। ଜୁଏଲଙ୍କ ରାଜନୈତିକ ଓ ବ୍ୟକ୍ତିଗତ କାର୍ଯ୍ୟରେ ଧର୍ମପତ୍ନୀଙ୍କ ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା। ବିୟୋଗ ତାଙ୍କ ଜୀବନରେ ବଡ଼ କ୍ଷତି ସୃଷ୍ଟି କରିଥିବା ସେ କହିଛନ୍ତି। ଗତକାଲି ଭୁବନେଶ୍ୱର ଲୁମ୍ବିନୀବିହାର ବାସଭବନରେ ପାର୍ଥିବ ଶରୀରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଏବଂ ବରିଷ୍ଠ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ।