କେମିକାଲ କମ୍ପାନୀରେ ବିସ୍ଫୋରଣ ପରେ ଲାଗିଲା ନିଆଁ

ଦିନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟିଥିଲା। ତା’ପରେ ନିଆଁ ହୁ ହୁ ହୋଇ ଜଳିଥିଲା ଓ ଆଖପାଖକୁ ବ୍ୟାପୀ ଯାଇଥିଲା।

କେମିକାଲ କମ୍ପାନୀରେ ବିସ୍ଫୋରଣ ପରେ ଲାଗିଲା ନିଆଁ

ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିୱଲିରେ ଗୁରୁବାର ଏକ କେମିକାଲ କମ୍ପାନୀରେ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଛି।  ୩୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ଫସି ରହିଥିବା ସନ୍ଦେହ କରାଯାଉଛି।

ପ୍ରାଥମକି ସୂଚନା ଅନୁଯାୟୀ, Amudan Chemical କଂପାନୀରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି। ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପରେ କମ୍ପାନୀରେ ନିଆଁ ଲାଗି ଯାଇଥିଲା। ତା’ ସହିତ ପାର୍କିଂରେ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେହିପରି ଏହି ନିଆଁ ଆଖପାଖରେ ଥିବା ୩ଟି କୋଠାକୁ ବ୍ୟାପୀ ଯାଇଥିଲା। ସେଥିରୁ ଗୋଟିଏରେ କାର୍ ଶୋ’ରୁମ୍ ରହିଛି। କାର୍‌ ଶୋ’ରୁମ୍‌ର ପ୍ରାୟ ୧୨ଟି ଗାଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି।  

ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ୧୫ଟି ଦମକଳ ଗାଡ଼ିକୁ ନିଆଁ ଲିଭାଇବା ପାଇଁ ମୁତୟନ କରାଯାଇଛି। ଖବର ଲେଖାଯିବାକୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ନିଆଁକୁ ସଂପୂର୍ଣ୍ଣ କାବୁ କରିବାକୁ ଆହୁରି ଘଣ୍ଟେ ଦୁଇ ଘଣ୍ଟା ଲାଗିପାରେ। 

ଜଣାପଡ଼ିଛି ଯେ ଏହି କେମିକାଲ କମ୍ପାନୀରେ ଏକ ବଏଲରରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା କିଛି ଘରର କାଚ ଝରକା ଭାଙ୍ଗି ଯାଇଛି।