କ୍ଷଣିକରେ ଧୂଳିସାତ୍‌, ଭିଡିଓ ଭାଇରାଲ

ଘଟଣା ଘଟିବାର ୪୦ ମିନିଟ ପୂର୍ବରୁ ଆସିଥିଲା ସତର୍କ ସୂଚନା ।

କ୍ଷଣିକରେ ଧୂଳିସାତ୍‌, ଭିଡିଓ ଭାଇରାଲ

ଇସ୍ରାଏଲର ମିସାଇଲ ମାଡ଼ରେ ମଙ୍ଗଳବାର ଲେବାନନର ରାଜଧାନୀ ବିରୁଟରେ ଏକ ବହୁତଳ ଆବାସିକ କୋଠା ମାତ୍ର କିଛି ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଥିଲା। ଆଉ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଏହି ବହୁ ତଳ (୧୦ ମହଲାରୁ ଅଧିକ) କୋଠାକୁ ମିସାଇଲ ମାଡ଼ କରି ଉଡ଼ାଇ ଦେବାର ପ୍ରାୟ ୪୦ ମିନିଟ ପୂର୍ବରୁ ସତର୍କ କରାଇ ଦେଇଥିଲା ଇସ୍ରାଏଲ। ଏହି କୋଠା ସହିତ ଏହା ଆଖପାଖରେ ଥିବା ଆଉ ଦୁଇଟି ବହୁତଳ କୋଠା ଖାଲି କରି ଦେବାକୁ ଇସ୍ରାଏଲ ସେନାର ଜଣେ ମୁଖପାତ୍ର ସେଠାରେ ବସବାସ କରୁଥିବା ଲୋକଙ୍କୁ ସୋଶାଲ ମିଡିଆ ଯୋଗେ ବାର୍ତ୍ତା ଦେଇଥିଲେ।

ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ କ୍ଷୟକ୍ଷତିର ଆକଳନ କରିବା ସହିତ ଏଥିଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ସେଠାରେ ପହଞ୍ଚିଥିଲେ।

ଅନ୍ୟପକ୍ଷରେ ହେଜବୁଲ୍ଲା ପକ୍ଷରୁ ମଙ୍ଗଳବାର କୁହାଯାଇଥିଲା ଯେ ଯେତେଦିନ ପର୍ଯ୍ୟନ୍ତ ଇସ୍ରାଏଲ ଯୁଦ୍ଧ ଜାରି ରଖିଥିବ, ସେତେ ଦିନ ଯାଏଁ କୌଣସି ଆଲୋଚନା ହେବ ନାହିଁ। ଏହା ସହିତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବାସଭବନ ଉପରେ କରାଯାଇଥିବା ଡ୍ରୋନ୍ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଇରାନ ସମର୍ଥିତ ଲେବାନନର ଏହି ବିଦ୍ରୋହୀ ସଂଗଠନ।