କ୍ୟାବିନେଟ୍‌ ଅନୁମୋଦନ ପରେ ବିଲ୍‌ ପ୍ରସ୍ତୁତ, ବଜେଟ୍‌ ଅଧିବେଶନରେ ବାଜିପାରେ ମୋହର

ଭୁବନେଶ୍ୱର,୧୪/୧୨: ବଢ଼ିବ ବିଧାୟକଙ୍କ ଦରମା ଓ ଭତ୍ତା । ଲକ୍ଷେ ନୁହଁ ଏଣିକି ବିଧାୟକମାନେ ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା । ମାସିକ ଦରମା ଓ ଭତ୍ତା ବାବଦକୁ ବିଧାୟକଙ୍କ ପିଛା ସରକାର ଏତିକି  ପରିମାଣର ଟଙ୍କା ଏଣିକି ଖର୍ଚ୍ଚ  କରିବେ । ରାଜ୍ୟ କ୍ୟାବିନେଟ୍‌ ଏ ପ୍ରସ୍ତାବରେ ମୋହର ମାରିଥିଲା ବେଳେ ଏ ସଂକ୍ରାନ୍ତରେ ସଂଶୋଧନ ବିଲ୍‌ ମଧ୍ୟ ପ୍ରସ୍ତୁତ ସରିଛି । ବିଧାନସଭାର ଗତ ଅଧିବେଶନରେ ସରକାର ଏ ବିଲ୍‌ ଆଗତ କରିବାକୁ ଚାହିଁଥିଲେ । ମାତ୍ର ଗୃହ ଆଗୁଆ ମୁଲତବି ହୋଇଯିବାରୁ ବିଲ୍‌ ଆଗତ ହୋଇପାରିନି । ମାତ୍ର ସବୁ ଦଳର ବିଧାୟକମାନେ ଦରମା  ବୃଦ୍ଧି ପାଇଁ ସହମତି ପ୍ରକାଶ କରିଛନ୍ତି ।  ଆସନ୍ତା ବଜେଟ୍‌ ଅଧିବେଶନରେ  ସରକାର ଏ ସଂଶୋଧନ ବିଲ୍‌ ପାରିତ କରିବେ ବୋଲି ସୂଚନା ମିଳିଛି ।ଦରଦାମ ବଢ଼ିଲାଣି । ଏତିକି  ଦରମାରେ ଚଳି ହେଉନି ।  ବିଧାୟକମାନଙ୍କ ଦରମା ବଢ଼ାଅ ।  ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନେ ଗତ ଅଧିବେଶନରେ  ଏମିତି ଅଳି କଲେ । ଏକ ସ୍ୱରରେ  ଦରମା ବୃଦ୍ଧି ସପକ୍ଷରେ ଓକିଲାତି  କଲେ । ବାଚସ୍ପତି ମଧ୍ୟ ହସ୍ତକ୍ଷେପ  କଲେ । ତୁରନ୍ତ କମିଟି ଗଠନ  ହୋଇଗଲା । ଚଟାପଟ କମିଟିର  ବୈଠକ ବସିଲା । ବୈଠକରେ  ସର୍ବସମ୍ମତ ନିଷ୍ପତ୍ତି ହେଲା, ଦରମା ଓ  ଭତ୍ତା ମିଶି ମାସିକ ୩ ଲକ୍ଷ ୫ ହଜାର  ମିଳୁ । ବିଧାନସଭା କମିଟିର ସୁପାରିଶ  ପରେ ସରକାର କ୍ୟାବିନେଟ୍‌ ବୈଠକ  ଡାକିଲେ । ମାସିକ ଦରମା ଓ ଭତ୍ତା  ବାବଦକୁ ୨ ଲକ୍ଷ

କ୍ୟାବିନେଟ୍‌ ଅନୁମୋଦନ ପରେ ବିଲ୍‌ ପ୍ରସ୍ତୁତ, ବଜେଟ୍‌ ଅଧିବେଶନରେ ବାଜିପାରେ ମୋହର

ଭୁବନେଶ୍ୱର,୧୪/୧୨: ବଢ଼ିବ ବିଧାୟକଙ୍କ ଦରମା ଓ ଭତ୍ତା । ଲକ୍ଷେ ନୁହଁ ଏଣିକି ବିଧାୟକମାନେ ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା । ମାସିକ ଦରମା ଓ ଭତ୍ତା ବାବଦକୁ ବିଧାୟକଙ୍କ ପିଛା ସରକାର ଏତିକି  ପରିମାଣର ଟଙ୍କା ଏଣିକି ଖର୍ଚ୍ଚ  କରିବେ । ରାଜ୍ୟ କ୍ୟାବିନେଟ୍‌ ଏ ପ୍ରସ୍ତାବରେ ମୋହର ମାରିଥିଲା ବେଳେ ଏ ସଂକ୍ରାନ୍ତରେ ସଂଶୋଧନ ବିଲ୍‌ ମଧ୍ୟ ପ୍ରସ୍ତୁତ ସରିଛି । 

ବିଧାନସଭାର ଗତ ଅଧିବେଶନରେ ସରକାର ଏ ବିଲ୍‌ ଆଗତ କରିବାକୁ ଚାହିଁଥିଲେ । ମାତ୍ର ଗୃହ ଆଗୁଆ ମୁଲତବି ହୋଇଯିବାରୁ ବିଲ୍‌ ଆଗତ ହୋଇପାରିନି । ମାତ୍ର ସବୁ ଦଳର ବିଧାୟକମାନେ ଦରମା  ବୃଦ୍ଧି ପାଇଁ ସହମତି ପ୍ରକାଶ କରିଛନ୍ତି ।  ଆସନ୍ତା ବଜେଟ୍‌ ଅଧିବେଶନରେ  ସରକାର ଏ ସଂଶୋଧନ ବିଲ୍‌ ପାରିତ କରିବେ ବୋଲି ସୂଚନା ମିଳିଛି ।

ଦରଦାମ ବଢ଼ିଲାଣି । ଏତିକି  ଦରମାରେ ଚଳି ହେଉନି ।  ବିଧାୟକମାନଙ୍କ ଦରମା ବଢ଼ାଅ ।  ବିଜେପି, ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନେ ଗତ ଅଧିବେଶନରେ  ଏମିତି ଅଳି କଲେ । ଏକ ସ୍ୱରରେ  ଦରମା ବୃଦ୍ଧି ସପକ୍ଷରେ ଓକିଲାତି  କଲେ । ବାଚସ୍ପତି ମଧ୍ୟ ହସ୍ତକ୍ଷେପ  କଲେ । ତୁରନ୍ତ କମିଟି ଗଠନ  ହୋଇଗଲା । ଚଟାପଟ କମିଟିର  ବୈଠକ ବସିଲା । ବୈଠକରେ  ସର୍ବସମ୍ମତ ନିଷ୍ପତ୍ତି ହେଲା, ଦରମା ଓ  ଭତ୍ତା ମିଶି ମାସିକ ୩ ଲକ୍ଷ ୫ ହଜାର  ମିଳୁ । 

ବିଧାନସଭା କମିଟିର ସୁପାରିଶ  ପରେ ସରକାର କ୍ୟାବିନେଟ୍‌ ବୈଠକ  ଡାକିଲେ । ମାସିକ ଦରମା ଓ ଭତ୍ତା  ବାବଦକୁ ୨ ଲକ୍ଷ ୭୫ ହଜାର ଟଙ୍କା ବିଧାୟକମାନଙ୍କୁ ଦେବାକୁ  କ୍ୟାବିନେଟ୍‌ ଅନୁମୋଦନ କଲା । ଏ  ସଂକ୍ରାନ୍ତୀୟ ବିଲ୍‌ ପାରିତ କରିବାକୁ  ମଧ୍ୟ ବିଲ୍‌ ପ୍ରସ୍ତୁତ ହୋଇଗଲା । କିନ୍ତୁ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ  ପାଇଁ ମୁଲତବି ହୋଇଯିବାରୁ ନିଷ୍ପତ୍ତି  ଅଟକିଛି । ମାତ୍ର ବିଧାୟକମାନଙ୍କ  ଦରମା ବଢ଼ାଇବାକୁ ସରକାର ଏତେ ତତ୍ପର ହୋଇପଡ଼ିଲେ  ଯେ, ବିଧାନସଭାରେ ଆଲୋଚନାର ସପ୍ତାହକ ମଧ୍ୟରେ କ୍ୟାବିନେଟ୍‌  ଅନୁମୋଦନ ସହ ସଂଶୋଧିତ ବିଲ୍‌ ତିଆରି ହୋଇଗଲା । 

୩ ତାରିଖରେ ବିଧାନସଭାରେ ଏ ସଂପର୍କରେ ଚର୍ଚ୍ଚା  ହୋଇଥିଲା । ସଦସ୍ୟମାନେ ଗୃହର ଦୃଷ୍ଟି ଆକର୍ଷଣ  କରିଥିଲେ ଯେ, ସମୟ ଅନୁସାରେ ବଜାର ଦରଦାମ  ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ଖର୍ଚ୍ଚ ଏବେ ବଢ଼ି ଚାଲିଛି ।  ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି  କରାଯାଉ । ବିଧାୟକମାନଙ୍କର ଦରମା ମଧ୍ୟ ବଢ଼ୁ । ବିଧାୟକମାନଙ୍କ ଦରମା କ୍ଷେତ୍ରରେ ଓଡ଼ିଶା  ଦେଶରେ ୨୭ ନମ୍ବର ସ୍ଥାନରେ ଅଛି । ଏଥିପାଇଁ  ପୂର୍ବରୁ ଏକ କମିଟି ଗଠନ କରାଯାଇଥିଲା । ଏ କମିଟି ବିଧାୟକମାନଙ୍କ ଦରମା ଅଢ଼େଇ ଲକ୍ଷ ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ୭୦  ହଜାର କରିବାକୁ ପୂର୍ବରୁ ସୁପାରିସ କରିଛି । ଏହାକୁ  ଲାଗୁ କରାଯାଉ । ବିଧାୟକଙ୍କ ହାତପାଣ୍ଠି ମଧ୍ୟ ୫  କୋଟିକୁ ବୃଦ୍ଧି କରିବାକୁ ସଦସ୍ୟମାନେ ଦଳମତ  ନିର୍ବିଶେଷରେ ଦାବି କରିଥିଲେ । 

ବାଚସ୍ପତି ବିଧାୟକମାନଙ୍କ ଉଦ୍‌ବେଗକୁ ଦେଖି  ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ କମିଟି  ଗଠନ କଲେ । କଂଗ୍ରେସ ବିଧାୟକ ଦଳ ନେତା  ରାମଚନ୍ଦ୍ର କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ତାରା ବାହିନୀପତି,  ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ,  ପୂର୍ଣ୍ଣ ସେଠୀ ଆଦି ସଦସ୍ୟ ରହିଲେ । 

କମିଟିର  ସୁପାରିଶକୁ ଆଧାର କରି କ୍ୟାବିନେଟ୍‌ ମୋହର  ମାରିଲା । ରକେଟ୍‌ ଗତିରେ ଓଡ଼ିଶା ବିଧାନସଭା  ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ(ସଂଶୋଧିତ)  ବିଲ-୨୦୨୪ ସହ ମନ୍ତ୍ରୀ, ଉପବାଚସ୍ପତି ଓ ବାଚସ୍ପତିଙ୍କ ଦରମା ଓ ଭତ୍ତା(ସଂଶୋଧିତ) ବିଲ୍‌ ୨୦୨୪ ପ୍ରସ୍ତୁତ ହୋଇଗଲା । ସରକାର ଆଗକୁ ଏ  ବିଲ୍‌ ପାରିତ କରି ବିଧାୟକଙ୍କୁ ପ୍ରାୟ ୩ ଗୁଣା ଦରମା  ଓ ଭତ୍ତା ଦେବାକୁ ସ୍ଥିର କରିଛନ୍ତି । 

ସୂଚନାଯୋଗ୍ୟ, ଓଡ଼ିଶାରେ ୨୦୦୩ରେ  ବିଧାୟକମାନଙ୍କ ଦରମା ଓ ଭତ୍ତା ୨୧,୯୫୦ ଟଙ୍କାକୁ  ବଢ଼ିଥିଲା । ୨୦୧୧ରେ ଏହା ପୁଣି ୬୦ ହଜାର ଟଙ୍କାକୁ  ଓ ୨୦୧୭ରେ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା ।  ସେହିପରି ବିଧାୟକମାନଙ୍କ ହାତପାଣ୍ଠି ମଧ୍ୟ ୧ କୋଟି  ଟଙ୍କାରୁ ୩ କୋଟି ଟଙ୍କାକୁ ବଢ଼ି ସାରିଛି ।