ଖାଦ୍ୟ ସୁରକ୍ଷା ଓ ବିକଳ୍ପ ମିଲେଟ
ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଯେ କେବଳ ବୈଶ୍ୱିକ ଅର୍ଥନୀତି ଏବଂ ପରିବେଶ ପ୍ରଭାବିତ ଏକଥା ନୁହେଁ, ବରଂ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବିପନ୍ନ। ବିଶ୍ୱ ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନକୁ ନେଇ ଆଗାମୀ ଦିନରେ ଖାଦ୍ୟ ସୁରକ୍ଷା ଦିଗରେ ଭୟଙ୍କର ସ୍ଥିତି ଉତ୍ପନ୍ନ ହେବାର ଆଶଙ୍କା ଚେତାଇବା ପରେ ଏହାର ବିକଳ୍ପ ପନ୍ଥା ଚିନ୍ତା କରିବାକୁ ଅନେକ ରାଷ୍ଟ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଭାରତ ନେତୃତ୍ୱରେ ଆରମ୍ଭ ହୋଇଥିବା ମିଲେଟ ମିଶନ ଖାଦ୍ୟ ସୁରକ୍ଷା ପାଇଁ […] The post ଖାଦ୍ୟ ସୁରକ୍ଷା ଓ ବିକଳ୍ପ ମିଲେଟ appeared first on Dharitri Odia News.
ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଯେ କେବଳ ବୈଶ୍ୱିକ ଅର୍ଥନୀତି ଏବଂ ପରିବେଶ ପ୍ରଭାବିତ ଏକଥା ନୁହେଁ, ବରଂ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବିପନ୍ନ। ବିଶ୍ୱ ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନକୁ ନେଇ ଆଗାମୀ ଦିନରେ ଖାଦ୍ୟ ସୁରକ୍ଷା ଦିଗରେ ଭୟଙ୍କର ସ୍ଥିତି ଉତ୍ପନ୍ନ ହେବାର ଆଶଙ୍କା ଚେତାଇବା ପରେ ଏହାର ବିକଳ୍ପ ପନ୍ଥା ଚିନ୍ତା କରିବାକୁ ଅନେକ ରାଷ୍ଟ୍ର ଉଦ୍ୟମ ଆରମ୍ଭ କରିଛନ୍ତି। ତେବେ ଭାରତ ନେତୃତ୍ୱରେ ଆରମ୍ଭ ହୋଇଥିବା ମିଲେଟ ମିଶନ ଖାଦ୍ୟ ସୁରକ୍ଷା ପାଇଁ ଅଦ୍ୱିତୀୟ ବିକଳ୍ପ ହୋଇଛି ବୋଲି ଏବେ ଆମେରିକାଠାରୁ ଆରମ୍ଭ କରି ବହୁ ୟୁରୋପୀୟ ରାଷ୍ଟ୍ର ହୃଦୟଙ୍ଗମ କରିସାରିଲେଣି। ପ୍ରାୟ ୫ ହଜାର ବର୍ଷ ତଳେ ଭାରତ, ଚାଇନା ଏବଂ କିଛି ଆଫ୍ରିକୀୟ ଦେଶଗୁଡ଼ିକରେ ମିଲେଟ ଜାତୀୟ ଶସ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ଆସୁଥିଲା। ସବୁଜ ବିପ୍ଳବ ପୂର୍ବରୁ କେବଳ ଭାରତରେ ହିଁ ୪୦ ପ୍ରତିଶତ ଶସ୍ୟ ଏହି କ୍ଷେତ୍ରରୁ ଉତ୍ପାଦିତ ହେଉଥିଲା। କିନ୍ତୁ ସବୁଜ ବିପ୍ଳବ ପରେ ଲୋକମାନେ ଅଧିକ ଅମଳକ୍ଷମ ହେବା ଲକ୍ଷ୍ୟରେ ସଙ୍କର ଜାତୀୟ ଧାନ, ଗହମ ଏବଂ ଡାଲି ଜାତୀୟ ଶସ୍ୟ ପ୍ରତି ସର୍ବାଧିକ ଆଗ୍ରହୀ ହେଲେ। ଯାହାକୁ ନେଇ ମିଲେଟ ବା ମାଣ୍ଡିଆ ଜାତୀୟ ଶସ୍ୟ ଉତ୍ପାଦନ କମିବା ସହିତ ଏହା କେବଳ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ସୀମିତ ହୋଇଗଲା। ଏପରି କି ଏହାକୁ ଗରିବଙ୍କ ଖାଦ୍ୟ ବୋଲି କୁହାଗଲା। ହେଲେ ସମୟଚକ୍ରରେ ଏହି ଜାତୀୟ ଶସ୍ୟର ଗୁରୁତ୍ୱ ଏବଂ ଚାହିଦାକୁ ମଣିଷ ସମାଜ ବୁଝିପାରିଛି। ମିଲେଟ ଜାତୀୟ ଶସ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରମୁଖ ଶସ୍ୟ ଭାବେ ବିବେଚନା କରାଯାଇଛି। ମିଲେଟକୁ ସବୁଠାରୁ ପୁଷ୍ଟିକର ଏବଂ ଜଳବାୟୁ ଅନୁକୂଳ ଶସ୍ୟ ଭାବେ ଗ୍ରହଣ କରାଯାଇଛି। ଜାତିସଂଘ ମଧ୍ୟ ଏହାକୁ ସ୍ବୀକାର କରିସାରିଛି। ଯାହାକୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ମିଲେଟ ମିଶନକୁ ସ୍ବୀକୃତି ଦିଆଯାଇଛି। ସବୁଠାରୁ ବଡ଼ କଥା ହେଲା ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ମିଥେନ ଗ୍ୟାସ୍ର ଉପତ୍ନ୍ନକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ଏସୀୟ ରାଷ୍ଟ୍ରମାନେ ଯେଭଳି ବିବାଦୀୟ ସ୍ଥିତିରେ ରହିଛନ୍ତି, ମିଲେଟ ଚାଷ ଏହି ବିବାଦର ଅନ୍ୟତମ ସମାଧାନର ସୂତ୍ର ହେବାକୁ ଯାଉଛି। ବିଶ୍ୱର ଉନ୍ନତ ଏବଂ ଶିଳ୍ପସମୃଦ୍ଧ ରାଷ୍ଟ୍ରମାନଙ୍କ ଦ୍ୱାରା ଅଧିକରୁ ଅଧିକ ଜୀବାଶ୍ମ ଇନ୍ଧନର ବ୍ୟବହାର ଯୋଗୁ ମିଥେନ ଗ୍ୟାସର ପରିମାଣ ବଢ଼ିଚାଲିଛି ବୋଲି ବିକାଶଶୀଳ ଓ ଅନୁନ୍ନତ ଦେଶଗୁଡ଼ିକ ଅଭିଯୋଗ କରୁଥିବା ବେଳେ ଭାରତ, ଚାଇନା, ଦକ୍ଷିଣ ଆମେରିକୀୟ ଓ ଆଫ୍ରିକୀୟ ରାଷ୍ଟ୍ର ଗୁଡ଼ିକରେ ବହୁଳ ଭାବେ ଧାନ ଚାଷ ଓ ଗୋପାଳନରୁ ଅଧିକ ମିଥେନ ଉପତ୍ନ୍ନ ହେଉଥିବା ବିକଶିତ ଦେଶମାନେ ପାଲଟା ଅଭିଯୋଗ କରୁଛନ୍ତି। ତେଣୁ ବିଶ୍ୱ ତାପମାନ ବୃଦ୍ଧିରେ ଅଧିକ ଯୋଗଦାନ ଥିବା ମିଥେନ ବାଷ୍ପର ଉତ୍ସ ଶିଳ୍ପ ନା କୃଷି ତାହାକୁ ନେଇ ନୂଆ ବିବାଦ ଓ ବିତର୍କ ସୃଷ୍ଟି ହୋଇଛି। କିନ୍ତୁ ଏ ଦିଗରେ ମିଲେଟ ଚାଷର ପ୍ରଭାବ ଅନେକ ସମସ୍ୟାର ସମାଧାନ ଆଣିପାରିବ ବୋଲି କୁହାଯାଉଛି। ମିଳିତ ଜାତିସଂଘର ପ୍ରସ୍ତାବ ଅନୁସାରେ ଭାରତ ସରକାର ୨୦୧୮ ବର୍ଷକୁ ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଥିଲାବେଳେ ବର୍ଷ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଘୋଷଣା କରିଛନ୍ତି। ଏହି କ୍ରମରେ ଓଡ଼ିଶାର ମିଲେଟ ମିଶନ ମଧ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି।
ମିଲେଟ ଫସଲ ଉତ୍ପାଦନରେ ତୀବ୍ର ବୃଦ୍ଧି ଏବଂ କୃଷକମାନଙ୍କ ପାଇଁ ଉତ୍ତମ ଆୟର ସୁଯୋଗରେ ଓଡ଼ିଶା ରେକର୍ଡ କରିଛି। ୨୦୧୭ରେ ଓଡ଼ିଶା ମିଲେଟ ମିଶନ ଆରମ୍ଭ ହେବା ପରେ ରାଜ୍ୟରେ ବହୁ ସଂଖ୍ୟକ କୃଷକ ମିଲେଟ ଉପତ୍ାଦନ ଆଡ଼କୁ ମନ ବଳାଇଛନ୍ତି। ମିଲେଟ ଉପତ୍ାଦନ କମି କମି ଆସୁଥିବା ବେଳେ ଏହାର ଉପକାରିତାକୁ ଦୃଷ୍ଟିରେ ରଖି ଓଡ଼ିଶା ମିଲେଟ ମିଶନ କୃଷକମାନଙ୍କୁ ପୁଣି ଏହି ଚାଷ ପ୍ରତି ଆକର୍ଷିତ କରିପାରିଛି। ଓଡ଼ିଶାରେ ବର୍ଷସାରା ଉଷ୍ଣ ବାତାବରଣ ରହିଥାଏ। ତେଣୁ ଏହି ଜଳବାୟୁରେ ଚାଷକାର୍ଯ୍ୟ କଷ୍ଟସାଧ୍ୟ। ମାତ୍ର ମିଲେଟ ଚାଷ ପାଇଁ ସ୍ବଳ୍ପ ଜଳର ଆବଶ୍ୟକତା ପଡ଼ୁଥିବାରୁ ଓଡ଼ିଶାର ବାତାବରଣ ଉପଯୋଗୀ। ଏହାର ଉତ୍ପାଦନ ବଢ଼ାଇବା ସହ ରାଜ୍ୟର ପ୍ରତି ଘରେ ମିଲେଟକୁ ପହଞ୍ଚାଇବା ପାଇଁ ମିଲେଟ ମିଶନ ଜରିଆରେ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି। ଓଡ଼ିଶା ମିଲେଟ ମିଶନ ରାଜ୍ୟରେ ମିଲେଟ ଉତ୍ପାଦନକୁ ପ୍ରୋତ୍ସାହନ ଦେଇଛି, ଫଳରେ ଓଡ଼ିଶାରେ ଏଥର ଆଖିଦୃଶିଆ ରାଶି ଉତ୍ପାଦନ ବୃଦ୍ଧି ପାଇଛି। ୨୦୧୬-୧୭ରେ ମାତ୍ର ୪୦ ହଜାର କୁଇଣ୍ଟାଲ ମିଲେଟ ଉତ୍ପାଦନ ହୋଇଥିବାବେଳେ ୨୦୨୧-୨୦୨୨ରେ ଏହା ୭ଲକ୍ଷ କୁଇଣ୍ଟାଲକୁ ବୃଦ୍ଧି ପାଇଛି। ୨୦୨୨ ଜୁଲାଇ ସୁଦ୍ଧା ଓଡ଼ିଶା ମିଲେଟ ମିଶନରେ କୃଷକମାନଙ୍କ ସଂଖ୍ୟା ୮ ହଜାରରୁ ୧.୫ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ମିଲେଟ ଚାଷରୁ ସଫଳତା ପାଇଥିବା ଅନୁଗୋଳ ଜିଲାର ଜଣେ କୃଷକ କହିଛନ୍ତି, ଚାଷ ପାଇଁ ଆଗରୁ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। କିନ୍ତୁ ମିଲେଟ ଚାଷ କରିବା ଭାରି ସହଜ। ଏହି ଚାଷ କରିବା ଫଳରେ ବଜାରର ମହଙ୍ଗା ମାଡ଼ରେ ମଧ୍ୟ ଉନ୍ନତ ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ବିକଳ୍ପ ପ୍ରଦାନ କରିବାକୁ ସକ୍ଷମ ହୋଇପାରିଛି। ଓଡ଼ିଶା ମିଲେଟ ମିଶନ ନାଗରିକଙ୍କ ମଧ୍ୟରେ ଏକ ଅଦମ୍ୟ ବିଶ୍ୱାସ ସୃଷ୍ଟି କରିଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ଦ୍ୱାରା ଆମ ରାଜ୍ୟରେ ମିଲେଟ ସମ୍ଭାବନାକୁ ପ୍ରଦର୍ଶନ କରିବା ପାଇଁ ଉନ୍ନତ ରଣନୀତି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି। ଚାଷ ସମୟରେ ଅଧିକ ରାସାୟନିକ ସାର ପ୍ରୟୋଗ କରାଯିବା ଦ୍ୱାରା ପରବର୍ତ୍ତୀ ପର୍ଯ୍ୟାୟରେ ବହୁତ ଅସୁବିଧା ଦେଖାଯାଇଥାଏ। ମିଲେଟ ମିଶନ ଜରିଆରେ ଓଡ଼ିଶା ସରକାର ଏ ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଛନ୍ତି। ଏହା ସହ ମିଲେଟ ଚାଷକୁ କିଭଳି ଆହୁରି ଉନ୍ନତମାନର କରାଯାଇପାରିବ, ତାହାର ଉପାୟ ମଧ୍ୟ ଚାଷୀଙ୍କୁ ଶିଖାଇଛନ୍ତି।
ଓଡ଼ିଶା ମିଲେଟ ମିଶନ ପକ୍ଷରୁ କୃଷକମାନଙ୍କ ପାଇଁ ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ଓ ବିଭିନ୍ନ ପୋର୍ଟାଲ କାର୍ଯ୍ୟକାରୀ କରାଯାଉଛି। ଏହି ପଦକ୍ଷେପ ଦ୍ୱାରା ରାଗି ପରି କିଛି ଫସଲ ଅମଳ ସ୍ବଳ୍ପ ସମୟ ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଥିବା ଦେଖାଯାଇଛି। ରାଜ୍ୟ ସରକାରଙ୍କ ଲଗାତର ପଦକ୍ଷେପ ଜରିଆରେ କୃଷକମାନେ ସେମାନଙ୍କର ପାରମ୍ପରିକ ଫସଲକୁ ଗ୍ରହଣ କରିବା ସହ ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ପାଇବାରେ ସକ୍ଷମ ହୋଇପାରୁଛନ୍ତି। ଓଡ଼ିଶା ମିଲେଟ ମିଶନ ଏହାର ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ସହ ମିଲେଟର ଗ୍ରହଣଶୀଳତାକୁ ଅଧିକ ସୁଗମ ଏବଂ ନମନୀୟ କରିବା ପାଇଁ ଉତ୍ତମ ରଣନୀତି ଏବଂ ବୈଜ୍ଞାନିକ କୌଶଳକୁ ସୁନିଶ୍ଚିତ କରୁଛି। ଦିନ ଥିଲା ଓଡ଼ିଶାରେ ମିଲେଟକୁ କେହି ଜାଣୁ ନ ଥିଲେ କିମ୍ବା ଏହାର ଆଦର ନ ଥିଲା। କିନ୍ତୁ ଓଡ଼ିଶାରେ ଏବେ ମିଲେଟ ସୁନା ଫଳ ପାଲଟିଛି। ଗତ ଜି-୨୦ ଶିଖର ସମ୍ମିଳନୀରେ ଓଡ଼ିଶାର ମିଲେଟ ଖାଦ୍ୟ ଆନ୍ତର୍ଜାତିକ ମହଲକୁ ସୁପରିଚିତ କରିଛି। ମାଣ୍ଡିଆ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ ଏବଂ ଏହା ବିନା ଜଳସେଚନ ଓ ବିନା କୀଟାଣୁ ନାଶକ ବା ରାସାୟନିକ ସାର ପ୍ରୟୋଗରେ ଧାନ ଓ ଗହମଠାରୁ କମ୍ ଖର୍ଚ୍ଚରେ ଚାଷ କରାଯାଇପାରିବ। ଭବିଷ୍ୟତରେ ଆମ ସ୍ବାସ୍ଥ୍ୟ ଓ ପୁଷ୍ଟିଜନିତ ସମସ୍ୟାର ସମାଧାନ ପାଇଁ ଏହା ହେବ ସେଗୁଡ଼ିକର ଉପାଦେୟ ବିକଳ୍ପ। ଏହା ଓଡ଼ିଶାର କୃଷି ଓ ଚାଷୀଭାଇ ତଥା ମହିଳା ସ୍ବୟଂ ସହାୟକ ସଂଗଠନ ଲାଗି ସେମାନଙ୍କର ବୃତ୍ତିଗତ କର୍ମକ୍ଷେତ୍ର ପାଇଁ ବଡ଼ ଆର୍ଥିକ ଅବଲମ୍ବନର ଉତ୍ସ। ଦିନକୁ ଦିନ ଏହାର ଗ୍ରହଣୀୟତା ଓ ଚାହିଦା ବଢ଼ୁଥିବାବେଳେ ଲୋକମାନଙ୍କ ମଧ୍ୟରେ ମଧ୍ୟ ଆଗ୍ରହ ବଢ଼ୁଛି। ଯେଉଁଭଳି ଭାବେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ବଜାରରେ ଉପଲବ୍ଧ ହେଉଛି, ଏଥିରୁ ମାଣ୍ଡିଆର ଲୋକପ୍ରିୟତା ପ୍ରମାଣିତ । ମିଲେଟ ଏବେ ଓଡ଼ିଶାରେ କୃଷକମାନଙ୍କ ପାଇଁ ଏବଂ ସ୍ବୟଂ ସହାୟକ ସଙ୍ଗଠନ ଲାଗି ଅତ୍ୟନ୍ତ ଲାଭଦାୟକ କ୍ଷେତ୍ର ପାଲଟିଛି ଏବଂ ଲୋକମାନଙ୍କର ପ୍ରଭୂତ ଲାଭ ହେଉଛି।
– ବିପିନ ବିହାରୀ ରାଉତ
ଉପନିର୍ଦ୍ଦେଶକ, ଓରମାସ, ଭୁବନେଶ୍ୱର
ମୋ : ୯୪୩୭୬୬୬୪୫୩
The post ଖାଦ୍ୟ ସୁରକ୍ଷା ଓ ବିକଳ୍ପ ମିଲେଟ appeared first on Dharitri Odia News.