ଖୁଚୁରା ବଜାରରେ କମୁନି ଆଳୁ-ପିଆଜ ଦର, ଏମ୍‌‌ଆଇଙ୍କ ସଲାସୁତରାରେ ଚାଲିଛି ଶୋଷଣ

ଭୁବନେଶ୍ୱର : ପାଇକାରୀ ବଜାରରେ ଦୀର୍ଘ ଦିନ ହେଲା ଆଳୁ, ପିଆଜ ଦର ସ୍ଥିର ରହିଛି। କିନ୍ତୁ ପରିତାପର କଥା ଖୁଚୁରା ବଜାରରେ ଦର ହ୍ରାସ ପାଉନି। ବ୍ୟବସାୟୀମାନେ ମନଇଚ୍ଛା ଯାହା ପାଟିକୁ ଆସୁଛି, ସେଥିରେ ବିକ୍ରି କରୁଛନ୍ତି। ବଡ଼ ବଡ଼ ହାଟଗୁଡ଼ିକରେ ନିର୍ଦ୍ଦିଷ୍ଟ ଦରରେ ବିକ୍ରି ହେଉଥିବାବେଳେ ଛୋଟ ଛୋଟ ବଜାର ମନଇଚ୍ଛା ଦର କଷି ଗ୍ରାହକଙ୍କୁ ଶୋଷଣ କରାଯାଉଛି। ସେମାନେ ସ୍ଥାୟୀ ଦୋକାନ କରି ଗ୍ରାହକଙ୍କୁ ରିତିମତ ଶୋଷୁଥିଲେ ହେଁ ଯୋଗାଣ ବିଭାଗ ପକ୍ଷରୁ […]

ଖୁଚୁରା ବଜାରରେ କମୁନି ଆଳୁ-ପିଆଜ ଦର, ଏମ୍‌‌ଆଇଙ୍କ ସଲାସୁତରାରେ ଚାଲିଛି ଶୋଷଣ
Prices of potatoes and onions not down in the retail market

ଭୁବନେଶ୍ୱର : ପାଇକାରୀ ବଜାରରେ ଦୀର୍ଘ ଦିନ ହେଲା ଆଳୁ, ପିଆଜ ଦର ସ୍ଥିର ରହିଛି। କିନ୍ତୁ ପରିତାପର କଥା ଖୁଚୁରା ବଜାରରେ ଦର ହ୍ରାସ ପାଉନି। ବ୍ୟବସାୟୀମାନେ ମନଇଚ୍ଛା ଯାହା ପାଟିକୁ ଆସୁଛି, ସେଥିରେ ବିକ୍ରି କରୁଛନ୍ତି। ବଡ଼ ବଡ଼ ହାଟଗୁଡ଼ିକରେ ନିର୍ଦ୍ଦିଷ୍ଟ ଦରରେ ବିକ୍ରି ହେଉଥିବାବେଳେ ଛୋଟ ଛୋଟ ବଜାର ମନଇଚ୍ଛା ଦର କଷି ଗ୍ରାହକଙ୍କୁ ଶୋଷଣ କରାଯାଉଛି। ସେମାନେ ସ୍ଥାୟୀ ଦୋକାନ କରି ଗ୍ରାହକଙ୍କୁ ରିତିମତ ଶୋଷୁଥିଲେ ହେଁ ଯୋଗାଣ ବିଭାଗ ପକ୍ଷରୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଖୋଦ୍‌‌ ରାଜଧାନୀରେ ଯଦି ଏଭଳି ହେଉଛି, ତେବେ ଗ୍ରାମାଞ୍ଚଳରେ କ’ଣ ହେଉଥିବ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।

ଆଳୁର ଆମଦାନୀକୁ ନେଇ ପୂର୍ବରୁ ଅସ୍ଥିରତା ଲାଗି ରହିଥିଲା। ଏହାପରେ ବିକଳ୍ପ ଭାବେ ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଳୁ ଆମଦାନୀ କରାଗଲା। ବଜାରରେ ଆଳୁକୁ ନେଇ ଯେଉଁ ତିରୋଟାଭାବ ସୃଷ୍ଟି ହୋଇଥିଲା ତା’ ଆଉ ନାହିଁ। ପାଇକାରୀ ଦର ୟୁପି/ପଞ୍ଜାବ ଆଳୁ କିଲୋ ପିଛା ୨୫ ଟଙ୍କା ଥିବାବେଳେ ପଶ୍ଚିମବଙ୍ଗ ଆଳୁ କିଲୋ ପିଛା ୨୮ ଟଙ୍କା ରହୁଛି। ସେହିଭଳି ଛୋଟ ପିଆଜ କିଲୋ ୩୨ ଟଙ୍କା ଥିବାବେଳେ ବଡ଼ ପିଆଜ ୩୫ ଟଙ୍କା ରହୁଛି। ପାଇକାରୀ ଦରଠାରୁ ଖୁଚୁରା ଦର ଅତି ବେଶୀରେ ୫ରୁ ୮ ଟଙ୍କା ଅଧିକ ରହିବା କଥା। ହେଲେ ଛୋଟ ବଜାରଗୁଡ଼ିକରେ ଆଳୁ କିଲୋ ୪୦ ଟଙ୍କାରୁ କମ୍‌‌ରେ ମିଳୁନି। ପିଆଜ କିଲୋ ମଧ୍ୟ ୪୫ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାର ଉପରେ କାହାର ନିୟନ୍ତ୍ରଣ ନ ଥିବାରୁ ଏବଂ ଲୋକଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚିପାରୁ ନ ଥିବାରୁ ସେମାନେ ଖାଉଟିଙ୍କୁ ଶୋଷଣ କରିବା ମଉକା ହାତଛଡ଼ା କରୁନାହାନ୍ତି।

ଖୁଚୁରା ବଜାରକୁ ଜିଲ୍ଲା ଯୋଗାଣ ବିଭାଗ ନିୟନ୍ତ୍ରଣ କରିବା କଥା। ବିପଣନ ଗୁଇନ୍ଦା ସୂଚନା ଆଧାରରେ ଯୋଗାଣ ବିଭାଗ ପଦକ୍ଷେପ ଗ୍ରହଣ କରିବା ନିୟମ ରହିଛି। ମାତ୍ର ଯୋଗାଣ ବିଭାଗର ଅଧିକାରୀ ଓ ବିପଣନ ନିରୀକ୍ଷକ(ଏମ୍‌‌ଆଇ)ମାନେ ନିରବଦ୍ରଷ୍ଟା ସାଜୁଛନ୍ତି। ଏମ୍‌‌ଆଇମାନେ ବଜାର ଦର ଉପରେ ଅନୁଧ୍ୟାନ କରିବାର ପ୍ରାବଧାନ ରହିଛି। ଏହାକୁ ବିଭାଗ ପାଖରେ ପହଞ୍ଚାଇ ଅସାଧୁ ବ୍ୟବସାୟୀଙ୍କ ଉପରେ ଚଢ଼ଉ କରିବା ଦାୟିତ୍ୱ ଏମାନଙ୍କର। ହେଲେ ବ୍ୟବସାୟୀ ଓ ଏମ୍‌‌ଆଇଙ୍କ ସଲାସୁତରାରେ ବେପାର ଚାଲୁଛି। ଏହାକୁ ନେଇ ଗ୍ରାହକଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ବ୍ୟବସାୟୀ ମହାସଂଘର କହିବାନୁସାରେ, ପାଇକାରୀ ଓ ଖୁଚୁରା ବଜାରର ଦରଦାମ୍‌‌ ତାରତମ୍ୟ ପାଇଁ ସରକାର ଦାୟୀ। କାରଣ ସରକାର ଖୁଚୁରା ବିକ୍ରୟ ନୀତି ପ୍ରଣୟନ କରୁନାହାନ୍ତି। ତେଣୁ ଖୁଚୁରା ବେପାରୀମାନେ ମନଇଚ୍ଛା ବିକ୍ରି କରୁଛନ୍ତି। ଯୋଗାଣ ବିଭାଗ ଗୋଦାମ ଉପରେ ନଜର ରଖିଥିବାବେଳେ ଖୁଚୁରା ବେପାରୀଙ୍କୁ ସବୁ ମାଫ୍‌‌ କରିଦେଇଛି। ଏନେଇ ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ନିୟମିତ ଭାବେ ବଡ଼ ବଡ଼ ବଜାରରେ ଚଢ଼ଉ ଜାରି ରଖିଛୁ। ଛୋଟ ଦୋକାନୀମାନେ କେତେବେଳେ ଦୋକାନ ଖୋଲୁଛନ୍ତି ଓ ବିକ୍ରି କରୁଛନ୍ତି, ତା’ର ନିର୍ଦ୍ଦିଷ୍ଟ ସମୟ ନାହିଁ। ତେଣୁ କେତେବେଳେ ସେମାନେ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି, ଆମେ ଜାଣିପାରୁନୁ। ଆଗାମୀ ଦିନରେ ବିଭାଗ ଏଥିପ୍ରତି ଯତ୍ନବାନ ହେବ।