ସଙ୍ଗୀତ ଓ ସୁସ୍ଥତା
ସମଗ୍ର ବିଶ୍ୱରେ ସଙ୍ଗୀତ ଶାସ୍ତ୍ରକୁ ସର୍ବାପେକ୍ଷା ପ୍ରାଚୀନ ଶାସ୍ତ୍ର ଭାବେ ଗ୍ରହଣ କରାଯାଇଥାଏ। ପ୍ରାଚୀନ ଭାରତରେ କାବ୍ୟ, ମହାକାବ୍ୟ, ପୁରାଣ, ଉପନିଷଦ ଓ ଦର୍ଶନ ମଧ୍ୟରେ ସଙ୍ଗୀତର ନାନା ଉଦାହରଣ ମିଳେ। ମହାଋଷି ଯାଜ୍ଞବଳ୍କ କହିଛନ୍ତି – ‘ବୀଣାବାଦନ ତତ୍ତ୍ୱଜ୍ଞଃ ଶ୍ରୁତି ଜାତି ବିଶାରଦଃ / ତାଳଜ୍ଞଶ୍ଚା ପ୍ରୟାସେନ୍ ମୋକ୍ଷମାର୍ଗ ଚ ଗଚ୍ଛତି।’ ଅର୍ଥାତ୍ ‘ଯିଏ ବୀଣାବାଦନର ତତ୍ତ୍ୱ ସମ୍ବନ୍ଧରେ ଅବଗତ, ଶ୍ରୁତି ଓ ଜାତି ସମ୍ବନ୍ଧରେ ବିଶେଷ ଭାବରେ ଜ୍ଞାତ ଏବଂ ତାଳ ବିଷୟରେ ମଧ୍ୟରେ […]

ସମଗ୍ର ବିଶ୍ୱରେ ସଙ୍ଗୀତ ଶାସ୍ତ୍ରକୁ ସର୍ବାପେକ୍ଷା ପ୍ରାଚୀନ ଶାସ୍ତ୍ର ଭାବେ ଗ୍ରହଣ କରାଯାଇଥାଏ। ପ୍ରାଚୀନ ଭାରତରେ କାବ୍ୟ, ମହାକାବ୍ୟ, ପୁରାଣ, ଉପନିଷଦ ଓ ଦର୍ଶନ ମଧ୍ୟରେ ସଙ୍ଗୀତର ନାନା ଉଦାହରଣ ମିଳେ। ମହାଋଷି ଯାଜ୍ଞବଳ୍କ କହିଛନ୍ତି – ‘ବୀଣାବାଦନ ତତ୍ତ୍ୱଜ୍ଞଃ ଶ୍ରୁତି ଜାତି ବିଶାରଦଃ / ତାଳଜ୍ଞଶ୍ଚା ପ୍ରୟାସେନ୍ ମୋକ୍ଷମାର୍ଗ ଚ ଗଚ୍ଛତି।’ ଅର୍ଥାତ୍ ‘ଯିଏ ବୀଣାବାଦନର ତତ୍ତ୍ୱ ସମ୍ବନ୍ଧରେ ଅବଗତ, ଶ୍ରୁତି ଓ ଜାତି ସମ୍ବନ୍ଧରେ ବିଶେଷ ଭାବରେ ଜ୍ଞାତ ଏବଂ ତାଳ ବିଷୟରେ ମଧ୍ୟରେ ଜ୍ଞାତ ରହିଥା’ନ୍ତି, ସେ ଅନାୟାସରେ ମୋକ୍ଷ ବା ନିବୃତ୍ତିମାର୍ଗର ଅଧିକାରୀ ହୋଇଥା’ନ୍ତି।’ ସଙ୍ଗୀତ ଶ୍ରବଣ ଦ୍ବାରା ବିଷାଦ ଓ ବିକାରଗ୍ରସ୍ତ ବ୍ୟକ୍ତି ଆନନ୍ଦ, ଶାନ୍ତି ଓ ସ୍ବାଭାବିକତା ଅନୁଭବ କରୁଛି। ସଙ୍ଗୀତର ମୂର୍ଚ୍ଛନା ଉପଶମ କରିଦିଏ ଶରୀର ଓ ମନର ଯନ୍ତ୍ରଣା। ଏପରିକି ସଙ୍ଗୀତ ଶୁଣିଲେ ଗାଈଠାରେ କ୍ଷୀର କ୍ଷରଣ ବୃଦ୍ଧି ପାଏ। ସୁଗମ ହୋଇଯାଏ ଚାରାଗଛର ବୃଦ୍ଧି ଓ ବିକାଶ ପ୍ରକ୍ରିୟା।
ମଧ୍ୟଯୁଗରେ ଆଲ୍ଲାଉଦ୍ଦିନ ଖିଲଜି ଓ ଆକବରଙ୍କ ସମୟରେ ବିଶେଷ ପ୍ରାଧାନ୍ୟ ଥିଲା ସଙ୍ଗୀତ ଚର୍ଚ୍ଚାର। ଅସାଧାରଣ ସଙ୍ଗୀତ ସାଧକ ତାନ୍ସେନଙ୍କ ନାଁ ଆମେ ସମସ୍ତେ ଜାଣୁ। ସେ ଥିଲେ ଆକବରଙ୍କ ସଭା ଗାୟକ। ୧୨୧୦-୧୨୪୭ ମସିହାରେ ଶାର୍ଙ୍ଗଦେବ ରଚନା କରିଥିଲେ ସଙ୍ଗୀତ ବିଷୟକ ପ୍ରାମାଣ୍ୟ ଗ୍ରନ୍ଥ ‘ସଙ୍ଗୀତ ରତ୍ନାକର’। ସଙ୍ଗୀତ ସମ୍ବନ୍ଧରେ ପ୍ରାଚୀନ କାଳ ଓ ମଧ୍ୟକାଳର ବିଭିନ୍ନ ତତ୍ତ୍ୱ ଓ ତଥ୍ୟ ଏଥିରେ ଲିପିବଦ୍ଧ ଅଛି। କୋକିଳର କଣ୍ଠସ୍ୱରର ମଧୁରତା ଆମ୍ଭମାନଙ୍କୁ ପରମ ତୃପ୍ତି ପ୍ରଦାନ କରିଥାଏ। ତେଣୁ ମଧୁରକଣ୍ଠୀ ଗାୟିକାମାନଙ୍କୁ ଆମେ କୋକିଳକଣ୍ଠୀ ବୋଲି କହିଥାଉ। ବର୍ତ୍ତମାନ କାଳରେ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ର ଆବିଷ୍କାର ଫଳରେ ୨୦୦୦ ମସିହା ପରଠାରୁ ସଙ୍ଗୀତ ଶ୍ରୋତାମାନଙ୍କର ସଂଖ୍ୟା ବ୍ୟାପକ ହାରରେ ବୃଦ୍ଧି ପାଇଛି। ତେଣୁ ଏବେ କ୍ରନ୍ଦନରତ ପିଲାମାନଙ୍କୁ ବୁଝାଇବା ପାଇଁ ମାଆମାନେ ମୋବାଇଲ୍ ଫୋନ୍ରେ ଗୀତ ଶୁଣେଇ ଶୁଆଇ ଆସୁଛନ୍ତି।
ସୁଶୃଙ୍ଖଳିତ ନାଦ ବା ଶବ୍ଦ, ଯାହା ସଙ୍ଗୀତ ନାମରେ ହିଁ ପରିଚିତ, ତାହା ଆମ୍ଭମାନଙ୍କ ଶରୀରରେ ସ୍ୱାଭାବିକ ବେଦନାନାଶକ ବିଟା-ଏଣ୍ଡୋରଫିନ୍ ନାମକ ରାସାୟନିକ ପଦାର୍ଥ କ୍ଷରଣରେ ସାହାଯ୍ୟ କରେ। ଇନ୍ସୁଲିନ୍ର କ୍ଷରଣ ବୃଦ୍ଧି ପାଇ ସାହାଯ୍ୟ କରେ ଡାଇବେଟିସ୍ ନିୟନ୍ତ୍ରଣରେ। ବିନା ଔଷଧରେ, କେବଳ ମାତ୍ର ସଙ୍ଗୀତ ମାଧ୍ୟମରେ ଅନୁସୃତ ହେଉଥିବା ଚିକିତ୍ସା ପଦ୍ଧତିକୁ ସେହି କାରଣରୁ କୁହାଯାଉଛି ମ୍ୟୁଜିକ୍ ଥେରାପୀ ବା ସଙ୍ଗୀତ ଚିକିତ୍ସା। ଚୀନ୍ ସମେତ ବହୁ ଦେଶର ଆଧୁନିକ ଉନ୍ନତ ହସ୍ପିଟାଲ୍ଗୁଡ଼ିକରେ ରହିଛି ମ୍ୟୁଜିକ ଚ୍ୟାମ୍ବର। ସେହି ସଙ୍ଗୀତ କୋଠରି ଭିତରେ ରୋଗୀଙ୍କୁ ରଖି କୌଣସି ଔଷଧ ଓ ପଥ୍ୟ ବିନା କେବଳ ସଙ୍ଗୀତ ଶୁଣେଇ ଚିକିତ୍ସା କରାଯାଇଥାଏ। ଏବେ ବିଶ୍ୱର ଅନ୍ୟ କେତେକ ଆଧୁନିକ ହସ୍ପିଟାଲ ଓ ନର୍ସିଂହୋମ୍ରେ ରୋଗୀମାନଙ୍କୁ ମଧୁର ସଙ୍ଗୀତ ଶୁଣେଇବାର ବ୍ୟବସ୍ଥା ରହିଛି। ମ୍ୟୁଜିକ୍ ଥେରାପିରେ ରୋଗୀମାନଙ୍କୁ କେବଳ ସଙ୍ଗୀତ ଶୁଣେଇବାର ପଦ୍ଧତି ଅବଲମ୍ବନ କରାଯାଇ ନ ଥାଏ, ବରଂ ଗୀତ ଲେଖିବା, ଗୀତ ଗାଇବା ପାଇଁ ଶିକ୍ଷା ଦେବା, ବାଦ୍ୟଯନ୍ତ୍ର ବଜେଇବା ଏବଂ ଏକକ ବା ସଙ୍ଗବଦ୍ଧ ଭାବରେ ଗୀତ ଗାନ କରିବା ନିମନ୍ତେ ଉତ୍ସାହିତ କରାଯାଇଥାଏ। ଏହାଦ୍ୱାରା ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ଘଟେ ଏବଂ ବୃଦ୍ଧିପାଏ ଆତ୍ମବିଶ୍ୱାସ। ଏହିପରି ଭାବରେ ମନ ଭଲ ରହିପାରିଲେ, ଶରୀର ମଧ୍ୟ ଧୀରେ ଧୀରେ ଭଲ ହୋଇଉଠେ।
ଆଲଜିମରସ, ପାର୍କିନସନ୍ସ ଏବଂ ସ୍କିଜୋଫ୍ରେନିଆର ରୋଗୀମାନଙ୍କ କ୍ଷେତ୍ରରେ କୋମଳ ସଙ୍ଗୀତ ସାହାଯ୍ୟରେ ସେମାନଙ୍କ ସ୍ନାୟୁତନ୍ତ୍ରର ଉନ୍ନତ ସାଧନ କରାଯାଉଛି। ମାନସିକ ଆଘାତ କିମ୍ବା କୋମା ରୋଗୀଙ୍କ ପାଇଁ ବି ସଙ୍ଗୀତ ଚିକିତ୍ସା ହିତକର। ଏହିସବୁ ରୋଗୀଙ୍କୁ ବିଜ୍ଞାନସମ୍ମତ ଭାବେ ନିଆଯାଉଛି ସଙ୍ଗୀତ ଚିକିତ୍ସା। ଅତିଉନ୍ନତ ଚିକିତ୍ସା ପଦ୍ଧତିରେ ମଦ ଓ ଡ୍ରଗ୍ସର ଆସକ୍ତି ଦୂରୀଭୂତ କରିବା ପାଇଁ ଔଷଧ ଓ କାଉନ୍ସେଲିଂ ସମେତ ଅତିରିକ୍ତ ପଦ୍ଧତି ଭାବେ ପ୍ରୟୋଗ କରାଯାଉଛି ସଙ୍ଗୀତ ଚିକିତ୍ସା। ଧର୍ଷଣର ଶିକାର ହୋଇଥିôବା ପୀଡ଼ିତଙ୍କୁ ଶୁଣାଇ ଦିଆଯାଏ ସେମାନଙ୍କ ପ୍ରିୟ ସଙ୍ଗୀତ। ଯେଉଁସବୁ ବ୍ୟକ୍ତିଙ୍କଠାରେ ସ୍ମୃତି ଲୋପ ପାଇଥାଏ, ସେମାନଙ୍କୁ ମଧ୍ୟ ସେମାନଙ୍କ ପୂର୍ବର ପସନ୍ଦର ସଙ୍ଗୀତ ଶୁଣାଇ ଚିକିତ୍ସା କରାଯାଉଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଷାଦ ଓ ମନର ଗ୍ଲାନି ଦୂର କରିବା ନିମନ୍ତେ ସର୍ବପ୍ରଥମେ ମ୍ୟୁଜିକ୍ ଥେରାପୀର ବ୍ୟବହାର ଆରମ୍ଭ ହୋଇଥିଲା। ୧୯୪୪ ମସିହାରେ ମିସିଗାନ୍ ଷ୍ଟେଚ୍ ୟୁନିଭରସିଟି ସର୍ବପ୍ରଥମେ ପ୍ରଦାନ କରିଥିଲା ମ୍ୟୁଜିକ୍ ଥେରାପୀର ଡିଗ୍ରୀ। କାନାଡ଼ାର ବିଖ୍ୟାତ ମ୍ୟାକ୍ଗିଲ୍ ବିଶ୍ୱବିଦ୍ୟାଳୟର ଗବେଷଣାରୁ ପ୍ରମାଣ ମିଳିଛି ଯେ ସଙ୍ଗୀତ ଶୁଣିଲେ ଆମ ମସ୍ତିଷ୍କରେ କ୍ଷରିତ ହୁଏ ଡୋପାମିନ୍ ନାମକ ଏକ ବିଶେଷଧରଣର ସ୍ନାୟୁ ସଞ୍ଚରକ ଉପାଦାନ ବା ନିଉରୋଟ୍ରାନ୍ସମିଟର। ଏହି ଉପାଦାନଟି ଆମକୁ ପ୍ରଦାନ କରିଥାଏ ସୁଖ ଓ ସନ୍ତୋଷର ଅନୁଭୂତି। ଯେଉଁମାନେ ନିୟମିତ ସଙ୍ଗୀତଚର୍ଚ୍ଚା କରିଥା’ନ୍ତି, ସେମାନଙ୍କଠାରେ ବୃଦ୍ଧିପାଏ ଗ୍ରୋଥ୍ହରମୋନ୍ର କ୍ଷରଣ। ଇନ୍ସୋମ୍ନିଆ ବା ଅନିଦ୍ରା ରୋଗର ଚିକିତ୍ସା ପାଇଁ ଚୀନ୍ ଓ ଜାପାନରେ ଦୀର୍ଘଦିନରୁ ବ୍ୟବହୃତ ହୋଇଆସୁଛି ଧୀରଲୟର ସଙ୍ଗୀତ।
ଇଂଲଣ୍ଡର ଲିଭରପୁଲ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ପ୍ରମାଣିତ ଯେ କେହି ଯଦି ଅଧଘଣ୍ଟାଏ ଧରି ସଙ୍ଗୀତ ଯନ୍ତ୍ର ବଜାଏ, ତେବେ ତା’ର ମସ୍ତିଷ୍କର ବାମଅଂଶରେ ରକ୍ତ ଚଳାଚଳ ବଢ଼଼ିଯାଏ। ଫଳରେ ମସ୍ତିଷ୍କର କର୍ମକ୍ଷମତା ବହୁଗୁଣ ବୃଦ୍ଧିପାଇବା ସଂଗେ ସଂଗେ ପଢ଼଼ାଶୁଣାରେ ଏକାଗ୍ରତା ବୃଦ୍ଧିପାଏ। ବିଶ୍ୱବିଖ୍ୟାତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଜଣେଇଛି, ଉଚ୍ଚ ରକ୍ତଚାପ ବା ହାଇପରଟେନ୍ସନ ହ୍ରାସ କରାଇବାରେ ସଙ୍ଗୀତ ଚିକିତ୍ସାର ତୁଳନା ନାହିଁ। ବ୍ରିଟେନ୍ର କାର୍ଡିଓ ଭାସ୍କଲାର ସୋସାଇଟିର ମତ ଯେ ମାତ୍ର ୧୦ ମିନିଟ୍ ପାଇଁ ବି ମ୍ୟୁଜିକ୍ କାନରେ ବାଜିଲେ କମିଯାଏ ରକ୍ତଚାପ। ସେହିପରି ଅପରେସନ୍ କରିବା ପୂର୍ବରୁ ଓ ଅପରେସନ କରିସାରିବା ପରେ ସଙ୍ଗୀତ ଶୁଣାଇଲେ କମ୍ ଅନୁଭୂତ ହୋଇଥାଏ ବ୍ୟଥାବେଦନା, ତ୍ୱରାନ୍ୱିତ ହୋଇଯାଏ ଉପଶମ।
ଅଟିଜମ୍ ରୋଗୀଙ୍କ ପାଇଁ ସଙ୍ଗୀତ ବିଶେଷ ଉପଯୋଗୀ। ଉତ୍କଣ୍ଠା, ଉଦ୍ବେଗ, ଅସ୍ୱାଭାବିକ ମାନସିକ ଚାପବୃଦ୍ଧି, ମାନସିକ ଅବସାଦକୁ ବହୁଳାଂଶରେ ହ୍ରାସ କରିଥାଏ ସଙ୍ଗୀତ ଶ୍ରବଣ। ହୃଦ୍ଘାତ ଓ ମସ୍ତିଷ୍କାଘାତ, କର୍କଟ, ଆତ୍ମହତ୍ୟା ପ୍ରବଣତା, ଅବସାଦ ଆଦିର ଚିକିତ୍ସାରେ ସଙ୍ଗୀତର ପ୍ରୟୋଗ ବେଶ୍ ଉପକାରୀ ବୋଲି ଜଣାପଡ଼ିଛି। ନିୟମିତ ସଙ୍ଗୀତ ଶ୍ରବଣ ଦ୍ୱାରା ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁଠାରେ ସୁଗମ ହୋଇଥାଏ ମସ୍ତିଷ୍କର ବିକାଶ।
କଟକ, ମୋ: ୯୪୩୭୭୬୬୧୧୭
ଡ. ନିତ୍ୟାନନ୍ଦ ସ୍ୱାଇଁ