ଖୁଣ୍ଟପାଲି ଶାଖା କେନାଲରେ ଘାଇ, ଚାଷଜମି ପ୍ରଭାବିତ

ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ):କେନାଲ ଉନ୍ନତିକରଣ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏହାର ସୁଫଳ ମିଳୁ ନାହିଁ। ଶାଖା କେନାଲ ଗୁଡ଼ିକରୁ ଆରମ୍ଭ କରି ମୁଖ୍ୟ କେନାଲ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଘାଇ ସୃଷ୍ଟି ହେଉଛି। ଏଥିରୁ କେନାଲ ଉନ୍ନତିକରଣ ପାଇଁ ଆସୁଥିବା ସରକାରୀ ଅନୁଦାନ କିଭଳି ବିନିଯୋଗ ହେଉଛି, ତାହା ସହଜରେ ଅନୁମେୟ। ବରଗଡ଼ ମୁଖ୍ୟ କେନାଲରେ ବିଗତବର୍ଷରେ ଘାଇ ସୃଷ୍ଟି ହୋଇ ଦୀର୍ଘଦିନ ଧରି ପାଣି ଯୋଗାଣ ବନ୍ଦ ରହିଥିବାର ନଜୀର ରହିଥିବା […] The post ଖୁଣ୍ଟପାଲି ଶାଖା କେନାଲରେ ଘାଇ, ଚାଷଜମି ପ୍ରଭାବିତ appeared first on Dharitri Odia News.

ଖୁଣ୍ଟପାଲି ଶାଖା କେନାଲରେ ଘାଇ, ଚାଷଜମି ପ୍ରଭାବିତ

ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ):କେନାଲ ଉନ୍ନତିକରଣ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏହାର ସୁଫଳ ମିଳୁ ନାହିଁ। ଶାଖା କେନାଲ ଗୁଡ଼ିକରୁ ଆରମ୍ଭ କରି ମୁଖ୍ୟ କେନାଲ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଘାଇ ସୃଷ୍ଟି ହେଉଛି। ଏଥିରୁ କେନାଲ ଉନ୍ନତିକରଣ ପାଇଁ ଆସୁଥିବା ସରକାରୀ ଅନୁଦାନ କିଭଳି ବିନିଯୋଗ ହେଉଛି, ତାହା ସହଜରେ ଅନୁମେୟ। ବରଗଡ଼ ମୁଖ୍ୟ କେନାଲରେ ବିଗତବର୍ଷରେ ଘାଇ ସୃଷ୍ଟି ହୋଇ ଦୀର୍ଘଦିନ ଧରି ପାଣି ଯୋଗାଣ ବନ୍ଦ ରହିଥିବାର ନଜୀର ରହିଥିବା ବେଳେ ସୋମବାର ବିଳମ୍ବିତ ରାତିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଶାଖା କେନାଲରେ ଘାଇ ସୃଷ୍ଟି ହୋଇଛି। ଏଥିରେ ପାର୍ଶ୍ୱବର୍ତ୍ତୀ ଚାଷଜମି ପ୍ରଭାବିତ ହୋଇଥିବାବେଳେ ଏହାକୁ ନେଇ ଚାଷୀ ଅସନ୍ତୋଷ ଦେଖାଯାଇଛି।
ସୂଚନା ଅନୁଯାୟୀ, ବରଗଡ଼ ମୁଖ୍ୟ କେନାଲରୁ ବାହାରି ନୂଆଁ ସରସରା(ବଏମାନଟିକ୍ରା) ଦେଇ ଖୁଣ୍ଟପାଲି ଶାଖା କେନାଲ ଲମ୍ବିଛି। ଏହି କେନାଲ ଦ୍ୱାରା ଖୁଣ୍ଟପାଲି, ସରସରା, କଣ୍ଟାଟିକ୍ରା, ପୁଢ଼ିଆଟିକ୍ରା, ଗଞ୍ଝିଆଟିକ୍ରା, ଡୁଙ୍ଗୁରୀଟିକ୍ରା ଆଦି ଅଞ୍ଚଳର ଚାଷୀମାନେ ନିର୍ଭର କରିଥାନ୍ତି। ଅଞ୍ଚଳର ଅନେକ ଚାଷୀ ଏପର୍ଯ୍ୟନ୍ତ ଧାନପହ୍ଲା ରୋଇ ସାରି ଥିବାବେଳେ କେତେକ ଚାଷୀ ଧାନପହ୍ଲା ରୋଇବା ପାଇଁ ଜମି ହଳ କରିଛନ୍ତି। ତେବେ ଏଭଳି ସମୟରେ କେନାଲରେ ଘାଇ ସୃଷ୍ଟି ହେବାରୁ ଅଞ୍ଚଳର ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଖୁଣ୍ଟପାଲି ବ୍ରାହ୍ମଣ ଆମ୍ବବୁରେଇ ନିକଟରେ ଏହି କେନାଲରେ ଘାଇ ହୋଇଛି। ଏହାଦ୍ୱାରା ସେହି ସ୍ଥାନ ନିକଟରେ ରହିଥିବା ଜରା ବାଗ, ଭାଗିରଥି ମାଝି, ପ୍ରଭାକର ମାଝିଙ୍କ ରୁଆଧାନ ପ୍ରଭାବିତ ହୋଇଛି। ନିକଟରେ ଧାନପହ୍ଲା ରୁଆ ସେମାନେ କରିଥିବାବେଳେ କେନାଲ ଘାଇରେ ମାତ୍ରାଧିକ ପାଣି ସେହି ଚାଷଜମିକୁ ମାଡ଼ି ଯିବାରୁ ଅନେକ ଧାନପହ୍ଲା ପାଣିରେ ଭାସି ଯାଇଛି। ସେହିପରି ଚାଷଜମିର ଆଂଶିକ ବାଲିଚର ହୋଇ ପଡ଼ିଛି।
ଅନ୍ୟପଟେ କେନାଲ ଘାଇକୁ ଏପର୍ଯ୍ୟନ୍ତ ମରାମତି କରାଯାଇ ନାହିଁ। କେବଳ ପୂର୍ବାପେକ୍ଷା ଉକ୍ତ ଶାଖା କେନାଲର ପାଣିକୁ କମାଇ ଦିଆଯାଇଛି। ତେବେ ପାଣି କମ୍‌ ଛଡ଼ାଯାଇ ଥିବା ଯୋଗୁ ତାହା କେନାଲ ତଳମୁଣ୍ଡକୁ ମଧ୍ୟ ପହଞ୍ଚି ପାରୁ ନାହିଁ। ଫଳରେ ପାଣି ଅଭାବରୁ ନିକଟରେ ରୁଆ ହୋଇଥିବା ଧାନପହ୍ଲା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ଏଥିସହିତ ହଳ ହୋଇଥିବା ଚାଷଜମି ମଧ୍ୟ ଶୁଖିଯିବାର ସମ୍ଭାବନା ରହିଛି। ଏହି ଦୃଷ୍ଟିରୁ ଘାଇ ତୁରନ୍ତ ଠିକ୍‌ଭାବେ ମରାମତି କରାଯାଇ କେନାଲରେ ଚାଷୀଙ୍କ ଆବଶ୍ୟକ ମୁତାବକ ପାଣି ଛାଡ଼ିବାକୁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଖୁଣ୍ଟପାଲି ଗ୍ରାମର ଚାଷୀ ଦିବାକର ମାଝି କହିଛନ୍ତି, କେନାଲର ୱାଲକୁ ଦେଢ଼ଫୁଟ୍‌ରେ ସୀମିତ ରଖାଯାଉଛି। ଏହା ଅତିକମ୍‌ରେ ସାଢ଼େ ୩ଫୁଟ୍‌ ହେବା ଦରକାର। ସେହିପରି ଉକ୍ତ କେନାଲରେ ଏକ ନାଲା ରହିଛି। ସେଠାରେ ଏକ ବ୍ରିଜ କରାଯିବାର ଆବଶ୍ୟକତା ରହିଛି। ଏହା କରାଗଲେ ଉକ୍ତ କେନାଲରେ ପର୍ଯ୍ୟାପ୍ତ ପାଣି ଆସିବ ଏବଂ ଚାଷୀମାନେ ମଧ୍ୟ ଉପକୃତ ହେବେ। ଏହା ସହିତ କେନାଲରେ ଘାଇ ସୃଷ୍ଟିର ପୁନରାବୃତ୍ତି ଆଶଙ୍କା ମଧ୍ୟ କମ୍‌ ରହିବ ବୋଲି ସେ କହିଛନ୍ତି।

The post ଖୁଣ୍ଟପାଲି ଶାଖା କେନାଲରେ ଘାଇ, ଚାଷଜମି ପ୍ରଭାବିତ appeared first on Dharitri Odia News.