ଗଛମୂଳେ ପାଲ ଟାଙ୍ଗି ପାଠପଢ଼ା

ରାଜକନିକା,୨୮ା୬ (ସଞ୍ଜୟ କୁମାର ଦାଶ): ସରକାର ଶିକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ଯୋଜନା ଦ୍ୱାରା ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ବର୍ଷାଦିନ ଆରମ୍ଭରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅହମଦପୁରରେ ଥିବା ସରକାରୀ ଶାସ୍ତ୍ରିଜୀ ପ୍ରାଥମିକ ବିଦ୍ୟାଳୟର ଭଲ ଥିବା ସ୍କୁଲ ଘରର ଛାତକୁ ଭାଙ୍ଗି ପୁଣି ନିର୍ମାଣ କରାଯାଉଛି। ଏ ନେଇ ଗ୍ରାମବାସୀ ରାଜକନିକା ବିଡିଓଙ୍କୁ ଫେରାଦ ହୋଇଛନ୍ତି। ସ୍କୁଲ ଘର ଛାତ ଭଙ୍ଗାଯିବା ଦ୍ୱାରା ଛାତ୍ରୀଛାତ୍ର ଗଛ ମୂଳେ ପାଲ ତଳେ […] The post ଗଛମୂଳେ ପାଲ ଟାଙ୍ଗି ପାଠପଢ଼ା appeared first on Dharitri Odia News.

ଗଛମୂଳେ ପାଲ ଟାଙ୍ଗି ପାଠପଢ଼ା

ରାଜକନିକା,୨୮ା୬ (ସଞ୍ଜୟ କୁମାର ଦାଶ): ସରକାର ଶିକ୍ଷା ଓ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ଯୋଜନା ଦ୍ୱାରା ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ବର୍ଷାଦିନ ଆରମ୍ଭରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅହମଦପୁରରେ ଥିବା ସରକାରୀ ଶାସ୍ତ୍ରିଜୀ ପ୍ରାଥମିକ ବିଦ୍ୟାଳୟର ଭଲ ଥିବା ସ୍କୁଲ ଘରର ଛାତକୁ ଭାଙ୍ଗି ପୁଣି ନିର୍ମାଣ କରାଯାଉଛି। ଏ ନେଇ ଗ୍ରାମବାସୀ ରାଜକନିକା ବିଡିଓଙ୍କୁ ଫେରାଦ ହୋଇଛନ୍ତି। ସ୍କୁଲ ଘର ଛାତ ଭଙ୍ଗାଯିବା ଦ୍ୱାରା ଛାତ୍ରୀଛାତ୍ର ଗଛ ମୂଳେ ପାଲ ତଳେ ବସି ଅସ୍ବାସ୍ଥ୍ୟକର ପରିବେଶରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟରେ ୯୬ ଜଣ ଛାତ୍ରୀଛାତ୍ର ଏବେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଖରା ଗରମକୁ ତୁହାକୁ ତୁହା ବର୍ଷା ସାଙ୍ଗକୁ ଗୁଳୁଗୁଳିରେ ବସି ପଢ଼ିବାକୁ ପଡୁଛି।
ରାଜକନିକା ବ୍ଲକର ଅବଦୁଲପୁର ପଞ୍ଚାୟତ ଅହମଦପୁରର ସରକାରୀ ଶାସ୍ତ୍ରିଜୀ ପ୍ରାଥମିକ ବିଦ୍ୟାଳୟ ୧୯୭୧ ମସିହାରେ ସ୍ଥାପିତ ହୋଇଥିଲା। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ଏବେ ଏହି ବିଦ୍ୟାଳୟରେ ମୋଟ ୯୬ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ହେଲେ ସ୍କୁଲ ପରିସରରେ ରହିଛି ଶିକ୍ଷା ବିଭାଗ ଦ୍ୱାରା ଘୋଷଣା ହୋଇଥିବା ଏକ ବିପଦସଙ୍କୁଳ ଗୃହ। ହେଲେ ୨୦୦୭ରେ ନିର୍ମାଣ କରାଯାଇଥିବା ନୂତନ ଘରେ ଛାତ୍ରୀଛାତ୍ର ପାଠ ପଢୁଥିଲେ। ଯେଉଁ ଦୁଇଟି ଘରେ ଛାତ୍ରୀଛାତ୍ର ପାଠ ପଢୁଥିଲେ, ସେଥିମଧ୍ୟରୁ ଗୋଟିଏ ଶ୍ରେଣୀ ଗୃହର ଏକ ପାଖରେ ବର୍ଷାଦିନେ ଛାତରୁ ପାଣି ଗଳୁଥିଲା। ହେଲେ ବିଦ୍ୟାଳୟ ଘର ଭଲ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯେଉଁ ଘର ବିପଦସଙ୍କୁଳ ଘୋଷଣା କରାଯାଇଛି ସେଠାରେ ବିଷାକ୍ତ ସାପ ରହୁଛନ୍ତି। କେତେବେଳେ ଯେ ସେହି ଘର ଭୁଶୁଡି ନ ଯିବ କେହି କହି ପାରିବେନାହିଁ। ହେଲେ ସେହି ଘରକୁ ନ ଭାଙ୍ଗି, ଭଲ ଥିବା ଛାତ ଘରକୁ ବର୍ଷାଦିନେ ସମ୍ପୂର୍ଣ୍ଣ ଭାଙ୍ଗି ପଞ୍ଚାୟତ ପକ୍ଷରୁ କାମ କରାଯାଉଛି। ଯଦି ବିଦ୍ୟାଳୟରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିବାର ଥିଲା, ତେବେ ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ପଞ୍ଚାୟତ ପକ୍ଷରୁ ପାଠ ପଢ଼ିବା ଲାଗି କୌଣସି ବିକଳ୍ପ ବ୍ୟବସ୍ଥା ସହ ଶୌଚାଳୟ ନିର୍ମାଣ କରାଯାଇ ପାରିଥାନ୍ତା। ତାହା କରା ନ ଯାଇ ସରକାରୀ ଅର୍ଥକୁ ହରିଲୁଟ କରିବାକୁ ମସୁଧା କରି ଭଲ ଛାତକୁ ଭାଙ୍ଗି ପୁଣି ନିର୍ମାଣ କରାଯାଉଛି। ଏପଟେ ଘରର ଚାରିକାନ୍ଥ ଫାଟି ଅଁା କରିଛି। ସେହି ଫଟା କାନ୍ଥରେ ନୂଆ ଛାତ ପଡ଼ିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯେଉଁଥି ପାଇଁ ବର୍ଷାଦିନରେ ଗଛ ମୂଳେ ପାଲ ତଳେ ବିପଦସଙ୍କୁଳ ଅବସ୍ଥାରେ ଆମ ପିଲାମାନେ ପାଠ ପଢୁଛନ୍ତି। ଯଦି କୌଣସି ଦୁର୍ଘଟଣା ଘଟେ ତେବେ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରମାବାସୀ କହିଛନ୍ତି। ତୁରନ୍ତ ଏଥିପ୍ରତି ବ୍ଲକ ପ୍ରଶାସନ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଭାରତ ମାଳି, ସନାତନ ମଲିକ, ସୁବାସ ମଲିକ, ଧୂମେଇ ମଲିକ, ଗୁଲେଇ ମଲିକ, ବିନୋଦ ବିହାରୀ ମଲିକ, ପ୍ରତାପ ମଲିକ, ଆଦିକନ୍ଦ ମଲିକ, କେତନ ମଲିକ, ମନ୍ଦର ମଲିକ, ଉପେନ୍ଦ୍ର ମଲିକ ଓ ଭୀମସେନ ମଲିକଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି। ଆଗାମୀଦିନରେ ଯଦି ସମସ୍ୟାର ସମାଧାନ କରା ନ ଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସରପଞ୍ଚ ଦୀପ୍ତିମୟୀ ସାହୁଙ୍କୁ ପଚାରିବାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବାରମ୍ବାର ଅଭିଯୋଗ କରିବା ପରେ ଆମେ ଦେଖିଲୁ ଯେ, ସ୍କୁଲ ଛାତରୁ ପାଣି ଗଳୁଛି। ଘର ବିଦ୍ୟୁତ୍‌ ଦ୍ୱାରା ଚାର୍ଜ ହୋଇଯାଉଛି। କେତେବେଳେ କ’ଣ ଅଘଟଣ ଘଟିପାରେ। ପଞ୍ଚାୟତ ପାଣ୍ଠିରୁ ୪ଲକ୍ଷ ୫୦ହଜାର ଓ ସର୍ବଶିକ୍ଷା ଅଭିଯାନରୁ ୧ ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ବରାଦରେ ନୂତନ ଛାତ ନିର୍ମାଣ ହେବ। ବିଦ୍ୟୁତ୍‌ ସହ ଘରର ରିପ୍ୟାରିଂ କରାଯିବ। ଏହି କାମ ତୁରନ୍ତ ସରିଯିବ। ଯେଉଁ ଅଭିଯୋଗ ହେଉଛି ତାହା ଭିତ୍ତିହୀନ। ଏ ନେଇ ପ୍ରାଧନ ଶିକ୍ଷୟିତ୍ରୀ ଅପର୍ଣ୍ଣା ମଲ୍ଲିକଙ୍କୁ ପଚାରିବାରେ ବର୍ଷା ହେଲେ ଛାତରୁ ପାଣି ଗଳୁଥିଲା। ସେହି ସମୟରେ ପିଲାଙ୍କୁ ଶ୍ରେଣୀ ଗୃହରେ ଛିଡ଼ା କରି ରଖୁଥିଲି। ନୂଆ ଛାତ ପାଇଁ ସରପଞ୍ଚଙ୍କୁ ଅଭିଯୋଗ କରିଥିଲି। ରାଜକନିକା ଏବିଇଓ କୈଳାସ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ସ୍କୁଲ ଗୃହ ଛାତ ଭଙ୍ଗା ଯିବା ନେଇ ଆମକୁ କେହି ଜଣାଇନାହାନ୍ତି। ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବିଡିଓ ପୃଥ୍ବୀରାଜ ପରିଡାଙ୍କୁ ପଚାରିବାରେ ପିଲାମାନେ ଗଛ ମୁଳେ ପାଲ ତଳେ ବସି ପଢୁଥିବା ଅଭିଯୋଗ ପାଇଛି। ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

The post ଗଛମୂଳେ ପାଲ ଟାଙ୍ଗି ପାଠପଢ଼ା appeared first on Dharitri Odia News.