ଗଣେଶ ମୂର୍ତ୍ତି ଭସାଣି ବେଳେ ଟେକା ମାଡ଼, ବିନା ରୋଶଣିରେ ବିସର୍ଜନ କଲା ପୁଲିସ୍‌

ଶୋଭାଯାତ୍ରା ବେଳେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ଏପରିକି କିଛି ଦୁବୃର୍ତ୍ତ ଶୋଭାଯାତ୍ରା ଉପରକୁ ଢେଲାମାଡ କରିବାରୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ଗଣେଶ ମୂର୍ତ୍ତି ଭସାଣି ବେଳେ ଟେକା ମାଡ଼, ବିନା ରୋଶଣିରେ ବିସର୍ଜନ କଲା ପୁଲିସ୍‌

କେନ୍ଦୁଝର ସହର ଆନନ୍ଦପୁର ସହରରେ ଗଣେଶ ମୂର୍ତ୍ତି ଭସାଣି ବେଳେ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଶୋଭାଯାତ୍ରା ବେଳେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ଏପରିକି କିଛି ଦୁବୃର୍ତ୍ତ ଶୋଭାଯାତ୍ରା ଉପରକୁ ଢେଲାମାଡ କରିବାରୁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗିରହିଥିବା ବେଳେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଫଳରେ ଅଧାରେ ଭସାଣି ବନ୍ଦ ରହିଥିବା ବେଳେ ବିନା ରୋଶଣିରେ ମୂର୍ତ୍ତି ବିସର୍ଜନ କରିଛି ପୁଲିସ୍ ।

ଗଣେଶ ପୂଜା ସରିବାର ପ୍ରାୟ ମାସେ ବିତି ସାରିଥିବା ବେଳେ ଏଯାଏ କିନ୍ତୁ ଆନନ୍ଦପୁରରେ ଭସାଣି ହୋଇ ନ ଥିଲା। ଗତ ରାତିରେ ଶୋଭାଯାତ୍ରା ଆନନ୍ଦପୁର ଥାନା ନିକଟରେ ଯାଉଥିବା ବେଳେ ହଠାତ୍‌ ଢେଲା ମାଡ଼ ହୋଇଥିଲେ। ଫଳରେ ଲୋକେ ଛତ୍ରଭଙ୍ଗ ଦେଇ ଚାରିଆଡ଼େ ଦୌଡ଼ିବାକୁ ଲାଗିଲେ।

ଧାଁଦୌଡ଼ ଯୋଗୁ ଶତାଧିକ ମହିଳା, ଶିଶୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସେଠାରେ ଉପସ୍ଥିତ ପୁଲିସ୍‌ ମୃଦୁ ଲାଠି ଚାଳନା କରିଥିଲା। ଫଳରେ ରାତି ସାରା ଉତ୍ତେଜନା ଲାଗି ରହିଥିଲା।

ବିଳମ୍ବିତ ରାତିରେ ବିନା ରୋଶଣିରେ ପୁଲିସ୍‌ ଠାକୁରଙ୍କୁ ବିସର୍ଜନ କରିଥିବା ଜଣାଯାଇଛି। ଉଭୟ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି। ଆନନ୍ଦପୁରରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ତେବେ ଗଣେଶ ପୂଜା ସରିବାର ପ୍ରାୟ ମାସେ ପରେ ମଧ୍ୟ ଆନନ୍ଦପୁରରେ କାହିଁକି ବିସର୍ଜନ ସମାପ୍ତ ହୋଇ ପାରୁନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ପ୍ରଶାସନ ପକ୍ଷରୁ ଲଟେରୀ ଉଠାଯାଇ ବିଭିନ୍ନ କ୍ଲବମାନଙ୍କର ଭସାଣି ତାରିଖ ନିର୍ଦ୍ଧାରଣ କରାଯାଏ । ତେବେ ଏହାକୁ ସୀମିତ ସମୟ ମଧ୍ୟରେ ନ ସାରି କାହିଁକି ଲମ୍ବା ଯାଉଛି ତାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।