ଗାଡ଼ିରେ ଏକାଧିକ ଫାସ୍‌ଟ୍ୟାଗ୍‌ ଲାଗିଥିଲେ ସାବଧାନ!

ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍‌ ଟୋଲ୍‌ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ।

ଗାଡ଼ିରେ ଏକାଧିକ ଫାସ୍‌ଟ୍ୟାଗ୍‌ ଲାଗିଥିଲେ ସାବଧାନ!

ଗାଡ଼ିରେ ଏକାଧିକ ଫାସ୍‌ଟ୍ୟାଗ୍‌ ଲାଗିଥିଲେ ସାବଧାନ! ଗୋଟିଏକୁ ଛାଡ଼ି ଜାନୁଆରୀ ୩୧ ପରେ ବ୍ଲାକଲିଷ୍ଟ ହୋଇଯିବ ଅନ୍ୟ ସବୁ ଫାସ୍‌ଟ୍ୟାଗ୍‌। କାରଣ ଗୋଟିଏ ଗାଡ଼ିରେ ଲାଗିପାରିବନି ଏକାଧିକ ଫାସ୍‌ଟ୍ୟାଗ୍‌। ଏମିତିକି ଗୋଟିଏ ଫାସ୍‌ଟ୍ୟାଗ୍‌ ଏକାଧିକ ଗାଡ଼ିରେ ବ୍ୟବହାର କରାଯାଇ ପାରିବନି। ପ୍ରତି ଗାଡ଼ି ପାଇଁ ରହିବ ଗୋଟିଏ ମାତ୍ର ଫାସ୍‌ଟ୍ୟାଗ୍‌। ଏଥିପାଇଁ ‘ୱାନ ଭେଇକିଲ ୱାନ ଫାସ୍‌ଟ୍ୟାଗ୍‌’ ଅଭିଯାନ ଆରମ୍ଭ କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)।

ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍‌ ଟୋଲ୍‌ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ। ୱାନ ଭେଇକିଲ ୱାନ ଫାସ୍‌ଟ୍ୟାଗ୍‌ କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ଗାଡ଼ି ମାଲିକଙ୍କୁ ସେମାନଙ୍କ ଫାଷ୍ଟ୍ୟାଗ୍ ପାଇଁ KYC ପୂରଣ କରିବାକୁ ପଡ଼ିବ। ନଚେତ୍ ଫାଷ୍ଟଟ୍ୟାଗରେ ବାଲାନ୍ସ ଥିଲେ ମଧ୍ୟ ଅସଂପୂର୍ଣ୍ଣ KYC ଥିବା ଫାସ୍‌ଟ୍ୟାଗ୍‌ ନିଷ୍କ୍ରିୟ କରିଦେବେ ବ୍ୟାଙ୍କ।

ଏକାଧିକ ଫାସ୍‌ଟ୍ୟାଗ୍‌ କ୍ଷେତ୍ରରେ ସଦ୍ୟତମ ଫାସ୍‌ଟ୍ୟାଗ୍‌କୁ ଛାଡ଼ି ଅନ୍ୟ ସବୁ ନିଷ୍କ୍ରିୟ ହୋଇଯିବ। ଏଥିପାଇଁ ଫାସ୍‌ଟ୍ୟାଗ୍‌ ଉପଭୋକ୍ତା ନିକଟସ୍ଥ ଟୋଲ ପ୍ଲାଜା କିମ୍ବା ତାଙ୍କୁ ଫାସ୍‌ଟ୍ୟାଗ୍‌ ଜାରି କରିଥିବା ବ୍ୟାଙ୍କର କଷ୍ଟମର କେୟାରକୁ କଲ୍ କରି ଏନେଇ ସୂଚନା ପାଇପାରିବେ।

ଏପଟେ NHAIର ପଦକ୍ଷେପକୁ ନେଇ ଉଠିଲାଣି ପ୍ରଶ୍ନ। ଉପଭୋକ୍ତାଙ୍କ କହିବା କଥା, ଟୋଲ ପ୍ଲାଜାରେ ଗୋଟିଏ କମ୍ପାନୀର ଫାସ୍‌ଟ୍ୟାଗ୍‌ କାମ ନ କଲେ, ସେମାନେ ବାଧ୍ୟହୋଇ ଅନ୍ୟ କୌଣସି କମ୍ପାନୀର ଫାସ୍‌ଟ୍ୟାଗ୍‌ ଲଗାଉଛନ୍ତି। ଯଦି ଟୋଲ୍ ପ୍ଲାଜାରେ ଏଭଳି ସମସ୍ୟାର ତତ୍କାଳ ସମାଧାନ ହୋଇପାରୁଥାନ୍ତା, ଏକାଧିକ ଫାସ୍‌ଟ୍ୟାଗ୍‌ ଲଗାଇବାକୁ ପଡ଼ୁନଥାନ୍ତା।

ସେପଟେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତ, ଫାସ୍‌ଟ୍ୟାଗ୍‌ ଆସିବା ପରେ ମଧ୍ୟ ଟୋଲ୍ ପ୍ଲାଜାରେ ନିରବଚ୍ଛିନ୍ନ ଯାତାୟାତ ସୁଗମ ହୋଇପାରିନି। ଅନେକ ସମୟରେ ଟୋଲ ପ୍ଲାଜାରେ ବହୁ ଗେଟ୍ ବନ୍ଦ ରହୁଛି। ଫଳରେ ଲୋକଙ୍କୁ ଏବେ ଲାଇନ୍‌ ଲଗାଇବାକୁ ପଡ଼ୁଛି। ସରକାର ପ୍ରଥମେ ଏସବୁ ସମସ୍ୟାର ସମାଧାନ କରନ୍ତୁ।

ଦେଶରେ ଏବେ ୮ କୋଟିରୁ ଅଧିକ ଫାସ୍‌ଟ୍ୟାଗ୍‌ ଉପଭୋକ୍ତା ଅଛନ୍ତି। ପ୍ରାୟ ୯୮ ପ୍ରତିଶତ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ଲାଗିଛି। ତେବେ ୱାନ ଭେଇକିଲ ୱାନ ଫାସ୍‌ଟ୍ୟାଗ୍‌ କାର୍ଯ୍ୟକ୍ରମ, ଟୋଲ୍ ପ୍ଲାଜାରେ କିଭଳି ସୁଧାର ଆଣୁଛି, ତାହା ଦେଖିବାକୁ ବାକି ରହିଲା।